କର୍ଣ୍ଣାଟକରେ ଆସ୍ଥା ଭୋଟ ଆଜି

ମୁଖ୍ୟମନ୍ତ୍ରୀ ବଦଳ ପ୍ରସ୍ତାବକୁ ବିଦ୍ରୋହୀଙ୍କ ପ୍ରତ୍ୟାଖ୍ୟାନ

ବେଙ୍ଗାଲୁରୁ : ଆସନ୍ତାକାଲି (ସୋମବାର) କର୍ଣ୍ଣାଟକ ରାଜନୀତି ପାଇଁ ନିର୍ଣ୍ଣାୟକ ଦିନ ହେବାକୁ ଯାଉଛି। ଶାସକ ମେଣ୍ଟର ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଯୋଗୁଁ ସଙ୍କଟରେ ପଡ଼ିଥିବା କୁମାରସ୍ବାମୀ ସରକାର କାଲି ଆସ୍ଥା ଭୋଟର ସମ୍ମୁଖୀନ ହେବ। ପରାଜୟରୁ ରକ୍ଷା ପାଇବା ଲାଗି ମେଣ୍ଟ ନେତାମାନଙ୍କ ସବୁ ଉଦ୍ୟମ ବିିଫଳ ହୋଇଛି। ଏପରିକି କୁମାରସ୍ବାମୀଙ୍କ ବଦଳରେ କଂଗ୍ରେସ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି କୁମାରସ୍ବାମୀଙ୍କ ପ୍ରସ୍ତାବକୁ ମଧ୍ୟ ବିଦ୍ରୋହୀ ବିଧାୟକମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସେମାନେ ନିଜ ଇସ୍ତଫା ଜିଦରେ ଅଟଳ ରହିଛନ୍ତି।

ବିଜେପି ନେତା ବିଏସ ୟେଦୁରପ୍ପା କହିଛନ୍ତି, ସୋମବାର ହେଉଛି ମେଣ୍ଟ ସରକାରର ଶେଷଦିନ। ଆସ୍ଥା ଭୋଟ ତୁରନ୍ତ କରିବା ପାଇଁ ଦୁଇ ସ୍ବାଧୀନ ବିଧାୟକ ସୁପ୍ରିମ କୋର୍ଟ ଯିବାକୁ ନିଷ୍ପତ୍ତି ନେବା ସତ୍ତ୍ବେ ଆସନ୍ତାକାଲି ଆସ୍ଥା ଭୋଟ ହେବ ଏବଂ ମେଣ୍ଟ ସରକାରର ପତନ ହେବ ବୋଲି ୟେଦୁରପ୍ପା କହିଛନ୍ତି।

ସୂଚନାଯୋଗ୍ୟ ଯେ ସୁପ୍ରିମ କୋର୍ଟଙ୍କ ମଧ୍ୟବର୍ତିକାଳୀନ ଆଦେଶ ଏବଂ ରାଜ୍ୟପାଳଙ୍କ ହସ୍ତକ୍ଷେପ ଯୋଗୁଁ ପରିସ୍ଥିତି ଜଟିଳ ହୋଇଛି। ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି ମୁମ୍ବାଇରେ ରହୁଥିବା ୧୫ ବିଧାୟକଙ୍କୁ କୌଣସି ପରିସ୍ଥିତିରେ ଚଳିତ ଅଧିବେଶନରେ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ବିଧାୟକମାନେ ଗୃହରେ ଉପସ୍ଥିତ ରହିବେ କି ନାହିଁ ତାହା ସେମାନଙ୍କ ଉପରେ ନିର୍ଭର କରୁଛି। ସେମାନଙ୍କୁ ଦଳ ହୁଇପ୍ ମଧ୍ୟ ଜାରି କରିପାରିବ ନାହିଁ।

ସେହିଭଳି ଗୃହରେ ବହୁମତ ସାବ୍ୟସ୍ତ କରିବା ପାଇଁ ରାଜ୍ୟପାଳ ବଜୁଭାଇ ବାଲା କୁମାରସ୍ବାମୀଙ୍କୁ ଦୁଇ ଥର ସମୟ ସୀମା ଦେଇ ସାରିଛନ୍ତି। ପ୍ରଥମେ ଶୁକ୍ରବାର ଅପରାହ୍ଣ ଦେଢ଼ଟା ଏବଂ ପରେ ସଂଧ୍ୟା ୬ଟା ସୁଦ୍ଧା ଆସ୍ଥା ଭୋଟ ପ୍ରକ୍ରିୟା ସାରିବାକୁ ସମୟ ସୀମା ଦେଇଥିଲେ। କିନ୍ତୁ ବାଚସ୍ପତି ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଏଭଳି ନିର୍ଦ୍ଦେଶ ବାଚସ୍ପତିଙ୍କ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ ବୋଲି କହିଥିଲେ।

ଗତ ଦୁଇ ସପ୍ତାହ ମଧ୍ୟରେ ୧୬ ଜଣ ବିଧାୟକ ସେମାନଙ୍କ ଇସ୍ତଫା ଦେଇଛନ୍ତି। ଏଥିରେ କଂଗ୍ରେସର ୧୩ ଜଣ ବିଧାୟକ ଥିବାବେଳେ ଜେଡିଏସର ୩ ଜଣ ବିଧାୟକ ଅଛନ୍ତି। ଏହାବ୍ୟତୀତ ମେଣ୍ଟ ସରକାରକୁ ସମର୍ଥନ ଦେଉଥିବା ୨ ଜଣ ସ୍ବାଧୀନ ବିଧାୟକ ମଧ୍ୟ ସରକାରଙ୍କଠାରୁ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ତେବେ ଇସ୍ତଫା ଦେଇଥିବା ଜଣେ କଂଗ୍ରେସ ବିଧାୟକ ରାମଲିଙ୍ଗା ରେଡ୍ଡି ତାଙ୍କ ମତ ବଦଳାଇଥିବା କୁହାଯାଉଛି।

୨୨୪ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସ ଓ ଜେଡିଏସ ମେଣ୍ଟର ମୋଟ ୧୧୭ ଜଣ ବିଧାୟକ ରହିଥିଲେ। ସୁପ୍ରିମ୍‌ କୋର୍ଟ ଯାଇଥିବା ୧୫ ବିଧାୟକଙ୍କ ଇସ୍ତଫା ଯଦି ଗୃହୀତ ହୁଏ ତାହେଲେ ସରକାରଙ୍କ ନିକଟରେ ୧୦୧ ବିଧାୟକ ରହିବେ। ଅନ୍ୟପକ୍ଷରେ ଦୁଇ ସ୍ବାଧୀନ ବିଧାୟକଙ୍କ ସମର୍ଥନ ମି‌ଳିଲେ ବିଜେପିର ସଂଖ୍ୟା ୧୦୭ରେ ପହଞ୍ଚିବ। ‌ବିଦ୍ରୋହୀ ବିଧାୟକ ଅନୁପସ୍ଥିତ ରହିଲେ ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ୧୦୫ ଦରକାର। ଏହାହେଲେ କର୍ଣ୍ଣାଟକରେ ବିଜେପି ପାଇଁ ସରକାର ଗଠନ ସହଜ ହେବ।

ସମ୍ବନ୍ଧିତ ଖବର