ବେଙ୍ଗାଲୁର: କର୍ଣ୍ଣାଟକ ସରକାରଙ୍କୁ ସୋମବାର ଏକ ବୋମା ବିସ୍ଫୋରଣ ଧମକ ଇମେଲ ମିଳିଛି, ଯେଉଁଥିରେ ଧମକ ଦେଇଥିବା ବ୍ୟକ୍ତି ଜଣକ ଶନିବାର ବେଙ୍ଗାଲୁରୁରେ ବିସ୍ଫୋରଣ ହେବାର ଚେତାବନୀ ଦେଇଛି।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୟା, ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର, ଗୃହମନ୍ତ୍ରୀ ଏବଂ ବେଙ୍ଗାଲୁରୁ ପୁଲିସ କମିସନରଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ ସହରରେ ରାତି ୨.୪୮ରେ ଘଟିବ ବୋଲି ଇମେଲରେ ଦର୍ଶାଯାଇଛି। ଏହି ଇମେଲକୁ ସହିଦ ଖାନ ନାମକ ଜଣେ ବ୍ୟକ୍ତି ପଠାଇଥିବା ବେଳେ ଏହା ଏବେ ପୂରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।
ଇମେଲ ଅନୁଯାୟୀ ଏହି ବିସ୍ଫୋରଣ ରେଷ୍ଟୁରାଣ୍ଟ, ମନ୍ଦିର, ବସ୍ କିମ୍ବା ଟ୍ରେନ୍ ଥିବା ଭଳି ବ୍ୟସ୍ତବହୁଳ ସ୍ଥାନରେ ହୋଇପାରେ। ଜନସାଧାରଣମାନଙ୍କର ଉତ୍ସବ ସମୟରେ ବୋମା ଲଗାଇବାକୁ ମଧ୍ୟ ପ୍ରେରକ ଚେତାବନୀ ଦେଇଛି।
ଏଥିସହ, ଇମେଲରେ ଦର୍ଶାଯାଇଛି ଯେ ବିସ୍ଫୋରଣକାରୀମାନେ ୨.୫ ମିଲିୟନ ଡଲାର (୨୦ କୋଟିରୁ ଅଧିକ ଟଙ୍କା) ଦେଲେ ଯାଇ ବିସ୍ଫୋରଣ ରୋକିବେ। ଏହି ବିସ୍ଫୋରଣ ଧମକ ଭରା ମେଲ୍ ମିଳିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।