୧୬୧୦ କୋଟିର ପ୍ୟାକେଜ୍‌ ଘୋଷଣା କଲା କର୍ଣାଟକ

ବେଙ୍ଗାଲୁରୁ : କରୋନା ଭୂତାଣୁ ବିପତ୍ତି କାଳରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସ୍ୱାର୍ଥରକ୍ଷା ପାଇଁ କର୍ଣାଟକ ସରକାର ୧୬୧୦ କୋଟି ଟଙ୍କାର ଥଇଥାନ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ, ଯେଉଁମାନେ ଲକ୍‌ଡାଉନ୍‌ରେ ନିଜର ଜୀବିକା ହରାଇଛନ୍ତି, ସେଇମାନେ ଏଥିରେ ଉପକୃତ ହେବେ। ଅନ୍ୟ ରାଜ୍ୟରୁ ଆସି ମଜୁରି ଖଟୁଥିବା ନାଗରିକମାନେ ଆଉ ନିଜ ରାଜ୍ୟକୁ ଫେରି ନଯାଇ କାମ ପାଇବେ। ଏହା ସଂପୃକ୍ତ ଘରମୁହାଁ ଶ୍ରମିକମାନଙ୍କ ପାଇଁ ଆଶା ସଂଚାର କରିବ।

ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁୟୁରପ୍ପା କହିଛନ୍ତି ଯେ ଏହା ଦ୍ୱାରା ଫୁଲଚାଷୀ, ଫଳଚାଷୀ, ପରିବାଚାଷୀ, ବୁଣାକାର, ରଜକ, ଭଣ୍ଡାରି ଓ ନିର୍ମାଣ ଶ୍ରମିକମାନେ ୫୦୦୦ ଟଙ୍କାର ନଗଦ ଅର୍ଥ ପାଇବେ। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଦିଆଯିବ। ଏପରିକି ଟାକ୍ସି ଡ୍ରାଇଭର ଓ ଅଟୋରିକ୍ସା ଡ୍ରାଇଭରମାନେ ମଧ୍ୟ ଏହି ବର୍ଗରେ ଆସୁଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ସହାୟତା ମିଳିବ। ୧୧.୫ ଲକ୍ଷ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସମେତ ୬୦ହଜାର ରଜକ, ୨.୩ ଲକ୍ଷ ଭଣ୍ଡାରି, ୭.୫ ଲକ୍ଷ ଅଟୋରିକ୍ସା ଚାଳକ ଓ ଟାକ୍ସିଚାଳକ ଏହି ସହାୟତା ପାଇବେ। ମନ୍ଦିର ଓ ବିବାହାଦି କର୍ମ ସବୁ ବନ୍ଦ ରହିବା ଦ୍ୱାରା ଫୁଲଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ହେକ୍ଟର ପିଛା ୨୫୦୦୦ ଟଙ୍କା ପ୍ରଦାନ କରାଯିବ। ସେହିଭଳି ଫଳ ଉତ୍ପାଦନ ହୋଇ ମଧ୍ୟ ବଜାରକୁ ପରିବାହିତ ହୋଇପାରୁ ନାହିଁ। ଫଳ ଓ ପରିବା ଚାଷୀମାନଙ୍କୁ କେତେ କ୍ଷତିପୂରଣ ଦିଆଯିବ, ତାହା ଉପରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ହେବ।

ସମ୍ବନ୍ଧିତ ଖବର