କର୍ଣ୍ଣାଟକ ସରକାର ଟଳମଳ : ଆଉ ଦୁଇ ଜଣ ଇସ୍ତଫା ଦେଲେ, ବିଦ୍ରୋହୀ ବିଧାୟକଙ୍କୁ ଗୋଆ ନିଆଗଲା

ବେଙ୍ଗାଲୁରୁ : ବିଧାନସଭାରୁ କଂ‌ଗ୍ରେସ ଓ ଜେଡିଏସର ୧୩ ଜଣ ବିଧାୟକଙ୍କ ଇସ୍ତଫା ଯୋଗୁଁ କର୍ଣ୍ଣାଟକ ରାଜନୀତିରେ ସୃଷ୍ଟି ହୋଇଥିବା ସଙ୍କଟ ଥମିବାର ନାମ ଧରୁନି। ସଙ୍କଟ ଟାଳିବା ଲାଗି ଉଭୟ କଂଗ୍ରେସ ଏବଂ ଜେଡିଏସ୍ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଏପରିକି ବିଦ୍ରୋହୀ ବିଧାୟକମାନଙ୍କୁ ମନ୍ତ୍ରୀ କରାଇବା ଲାଗି ଆଜି ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। କିନ୍ତୁ ସଙ୍କଟ ଦୂର ହେବା ପରବର୍ତେ ଏହା ପ୍ରତି ମୁହୂର୍ତରେ ଆହୁରି ଜଟିଳ ହେବାରେ ଲାଗିଛି। ଆଜି ଦୁଇ ଜଣ ସ୍ବାଧୀନ ବିଧାୟକ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି। ଏହାକୁ ନେଇ ପରିସ୍ଥିତି ଏପରି ହୋଇଛି ‌େଯ ଏଚ୍‌ଡି କୁମାରସ୍ବାମୀଙ୍କ ନେତୃତ୍ବରେ ଗଠିତ ମେଣ୍ଟ ସରକାର ‌େଯକୌଣସି ମୁହୂର୍ତରେ ଭୁଶୁଡ଼ିଯାଇପାରେ।

ଇତିମଧ୍ୟରେ ବିଧାନସଭାରୁ ଇସ୍ତଫା ଦେଇଥିବା ୧୩ ଜଣ ବିଧାୟକଙ୍କୁ ଆଜି ସନ୍ଧ୍ୟାରେ ମୁମ୍ବାଇରୁ ସ୍ବତନ୍ତ୍ର ବିମାନ ଯେ‌ାଗେ ଗୋଆ ନିଆଯାଇଛି। ସେମାନଙ୍କ ସହିତ ଅନେକ ବିଜେପି ନେତା ଅଛନ୍ତି। ତେଣୁ ସେମାନଙ୍କ ସହିତ ଯୋଗା‌େଯାଗ କରିବା ଲାଗି କଂଗ୍ରେସ ଓ ଜେଡିଏସ୍ ନେତାମାନଙ୍କ ଉଦ୍ୟମ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ। ବିଜେପି ନେତା କହୁଛନ୍ତି ଯେ ଇସ୍ତଫା ଦେଇଥିବା ବିଧାୟକମାନେ ସେମାନଙ୍କ ଜିଦରେ ଅଟଳ ରହିଛନ୍ତି। ଇସ୍ତଫା ପ୍ରତ୍ୟାହାର କରିବାକୁ ସେମାନେ ମନା କରିଦେଇଛନ୍ତି। କିନ୍ତୁ ସଂପୃକ୍ତ ବିଧାୟକମାନଙ୍କ ପକ୍ଷରୁ କୌଣସି ବିବୃତି ଏପର୍ଯ୍ୟନ୍ତ ଜାରି ହୋଇନାହିଁ।

ଇତିମଧ୍ୟରେ କୁମାରସ୍ବାମୀଙ୍କ ସରକାରକୁ ରକ୍ଷା କରିବା ଲାଗି ସମସ୍ତ ୩୦ ଜଣ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି। ମନ୍ତ୍ରିମଣ୍ଡଳରେ ବିଦ୍ରୋହୀ ବିଧାୟକମାନଙ୍କୁ ସାମିଲ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ଏହି ସଙ୍କଟ ପାଇଁ କଂଗ୍ରେସ ଓ ଜେଡିଏସ୍ ନେତାମାନେ ବିଜେପିକୁ ଦାୟୀ କରିଥିବା ବେଳେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି। ଆଜି ଏହି ମାମଲା ସଂସଦରେ ଉଠିବାରୁ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କ ପଦରୁ ଇସ୍ତଫା ଦେବାପରେ କଂଗ୍ରେସରେ ଇସ୍ତଫା ସୁଅ ଛୁଟିଛି। କଂଗ୍ରେସ ‌େନତାମାନେ ଅଭିଯୋଗ କରିଛନ୍ତି ଯେ ବିଜେପି ନେତାମାନେ ସେମାନଙ୍କର ବିଧାୟକଙ୍କୁ ଅପହରଣ କରିନେଇ ମୁଣ୍ଡଜାମିନ କରି ରଖିଛନ୍ତି। ଆଜି ଯେଉଁ ଦୁଇ ଜଣ ସ୍ବାଧୀନ ବିଧାୟକ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସେମାନଙ୍କୁ ମଧ୍ୟ ଗୋଆ ନିଆଯାଇଛି।

୨୨୪ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଯଦି ୧୩ ଜଣ ବିଧାୟକଙ୍କ ଇସ୍ତଫା ଗୃହୀତ ହୁଏ, ତାହାହେଲେ ସଭ୍ୟସଂଖ୍ୟା ୨୧୧କୁ ହ୍ରାସ ପାଇବ। ଏଭଳି ସ୍ଥଳେ ସ୍ପଷ୍ଟ ବହୁମତ ଲାଗି ୧୦୬ ସଭ୍ୟଙ୍କ ସମର୍ଥନ ଦରକାର। ୨ ଜଣ ସ୍ବାଧୀନ ବିଧାୟକ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ବିଜେପିକୁ ସମର୍ଥନ ଘୋଷଣା କରିଥିବାରୁ ବିଜେପି ସଂଖ୍ୟା ୧୦୬ରେ ପହଂଚିଥିବା ବେଳେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସଂଖ୍ୟା ୧୦୩କୁ ହ୍ରାସ ପାଇଛି। ଆସନ୍ତାକାଲି ବାଚସ୍ପତି ବିଧାୟକମାନଙ୍କ ଇସ୍ତଫା ବିଷୟରେ କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ନଜର ରହିଛି।

ଗତ ବିଧାନସଭ‌ା ନିର୍ବ‌ାଚନରେ ବିଜେପିର ୧୦୫ ଜଣ ବିଧ‌‌ାୟକ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସର ୭୮ ଏବଂ ଜେଡିଏସ୍‌ର ୩୭ ଜଣ ନିର୍ବାଚିତ ହୋଇଥିଲେ। ତେବେ ୩ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ (୧୧୮) ସରକାର ଗଠନ କରିଥି‌ଲା।

ଇତିମଧ୍ୟରେ ବିଜେପିର ଜଣେ ନେତା କହିଛନ୍ତି ଯେ କଂଗ୍ରେସର ଆଉ ୪/୫ ଜଣ ବିଧାୟକ ଇସ୍ତଫା ଦେଇ ଗୋଆ ଯିବେ।

ସମ୍ବନ୍ଧିତ ଖବର