କର୍ଣ୍ଣାଟକ ସରକାରରେ ସଙ୍କଟ ଜାରି: ସରକାର ବିରୋଧରେ ଆଉ ୫ ବିଧାୟକ

ମଧ୍ୟପ୍ରଦେଶ କଂଗ୍ରେସରେ ବି ଛନକା

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସରେ ଲାଗି ରହିଥିବା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୂର୍ବରୁ ଦଳର ୪ ଜଣ ବିଧାୟକ ମୁମ୍ବାଇରେ ଡେରା ପକାଇ ଅନ୍ୟ ବିଧାୟକଙ୍କୁ ସରକାର ବିରୋଧରେ ମତାଉଥିବା ବେଳେ ଆଜି ଆଉ ୫ ଜଣ ବିଧାୟକ ସରକାରକୁ ବିରୋଧ କରିବା ପାଇଁ ତୟାର ଥିବା ଜଣାପଡ଼ିଛି। ଏହି ସଙ୍କଟର ମୁକାବିଲା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି ଏବଂ ଆସନ୍ତା ୧୮ ଜାନୁଆରିରେ ବିଧାୟକ ଦଳ ବୈଠକ ଡକାଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ କହିଛନ୍ତି ଯେ ସରକାର ପ୍ରତି କୌଣସି ବପଦ ନାହିଁ ଏବଂ ସେ ନିଶ୍ଚିନ୍ତ ଅଛନ୍ତି। ଗତକାଲି ୨ ଜଣ ସ୍ବାଧୀନ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଥିଲେ। କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ଏବଂ ବିଜେପି ପରସ୍ପର ବିରୋଧରେ ବିଧାୟକଙ୍କୁ କିଣାବିକା କରୁଥିବା ଅଭିଯୋଗ ଆଣିଛନ୍ତି। ବିଜେପି ତା’ର ସମସ୍ତ ବିଧାୟକଙ୍କୁ ଗୁରୁଗ୍ରାମର ଏକ ରିସୋର୍ଟରେ ରଖିଛି। ସରକାର ପ୍ରତି ବିପଦ ବଢ଼ି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜକୁ ‘ନିଶ୍ଚିନ୍ତ’ ବୋଲି ଘୋଷଣା କରିବା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। କଂଗ୍ରେସ ନେତାମାନେ ତାଙ୍କ କାମରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ବାରମ୍ବାର ଅଭିଯୋଗ କରିଆସୁଥିବା କୁମାରସ୍ବାମୀ କଂଗ୍ରେସ ବିଧାୟକଙ୍କ ଦ୍ବାରା ସୃଷ୍ଟି ଏହି ସଙ୍କଟକୁ ଗୁରୁତ୍ବ ଦେଉନାହାନ୍ତି। ତେବେ ସେ କହିଛନ୍ତି ଯେ ବର୍ତ୍ତମାନର ଅସ୍ଥିରତା ଏକ ସାମୟିକ ଘଟଣା ଏବଂ ବିଜେପିର କୌଣସି ଯୋଜନା ସଫଳ ହେବନାହିଁ। କର୍ଣ୍ଣାଟକରେ କୌଣସି ଦଳ ପାଖରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନାହିଁ। ରାଜ୍ୟର ମୋଟ ୨୨୪ ବିଧାନସଭା ଆସନରୁ ବିଜେପି ପାଖରେ ୧୦୪ ବିଧାୟକ ଅଛନ୍ତି। କଂଗ୍ରେସର ୮୦ ଏବଂ ଜେଡିଏସ୍‌ର ୩୭ ବିଧାୟକ ଥିବା ବେଳେ ବହୁଜନ ସମାଜ ପାର୍ଟି ଏବଂ କେପିଜିପିର ଜଣେ ଲେଖାଏଁ ବିଧାୟକ ଅଛନ୍ତି। କଂଗ୍ରେସ ସାଧାରଣ ସଂପାଦକ କେ.ସି. ବେଣୁଗୋପାଳ କହିଛନ୍ତି ଯେ ଜଣେ ବି ବିଧାୟକ ଦଳ ଛାଡ଼ିବେ ନାହିଁ ଏବଂ ଆସନ୍ତାକାଲି ସବୁକିଛି ସ୍ପଷ୍ଟ ହୋଇଯିବ। ଆଜି ଜେଡିଏସ୍‌ କର୍ମୀମାନେ ବିଜେପି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

୧୮ରେ କଂଗ୍ରେସ ବିଧାୟକ ଦଳ ବୈଠକ
ମୁଁ ନିଶ୍ଚିନ୍ତ: କୁମାରସ୍ବାମୀ

ମଧ୍ୟପ୍ରଦେଶ କଂଗ୍ରେସରେ ବି ଛନକା
ଭୋପାଳ: କଂଗ୍ରେସ ବିଧାୟକଙ୍କ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ସରକାର ପ୍ରତି ଏବେ ବିପଦ ଘନେଇ ଆସିଥିବା ବେଳେ ମଧ୍ୟପ୍ରଦେଶରେ ମଧ୍ୟ ସେଭଳି ସ୍ଥିତି ସୃଷ୍ଟି ହେବା ସମ୍ଭାବନା ଦେଖାଦେଇଛି। ବିଜେପି କେତେକ କଂଗ୍ରେସ ବିଧାୟକଙ୍କ ସହିତ ସଂପର୍କରେ ଅଛି ବୋଲି ରାଜ୍ୟର ଆଇନ ମନ୍ତ୍ରୀ ପି.ସି. ଶର୍ମା ବୟାନ ଦେବାପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରାଜ୍ୟରେ ବିଜେପିଠାରୁ କଂଗ୍ରେସ ମାତ୍ର ୫ଟି ଅଧିକ ଆସନରେ ବିଜୟୀ ହୋଇଛି। ବିଜେପିର ୧୦୪ ବିଧାୟକ ଥିବା ବେଳେ କଂଗ୍ରେସର ୧୦୯ ଜଣ ବିଧାୟକ ଅଛନ୍ତି। ଏଠାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୧୧୬। ଏବେ କଂଗ୍ରେସ ସମର୍ଥନରେ୧୨୧ ଜଣ ବିଧାୟକ ଅଛନ୍ତି। ମଧ୍ୟପ୍ରଦେଶ ଯଦି କିଛି ବିଧାୟକ ସେମାନଙ୍କ ପକ୍ଷ ପରିବର୍ତ୍ତନ କରିବାକୁ ଚାହିବେ ତା’ହେଲେ କମଳନାଥ ସରକାରଙ୍କ ପ୍ରତି ବିପଦ ମାଡ଼ିଆସିବ।

ସମ୍ବନ୍ଧିତ ଖବର