କର୍ଣ୍ଣାଟକ ସଙ୍କଟ, ଧରା ଦେଉନାହାନ୍ତି ବିଦ୍ରୋହୀ ବିଧାୟକ

୧୦ କଂଗ୍ରେସ ବିଧାୟକ ମୁମ୍ବାଇରେ, ଇସ୍ତଫା ପ୍ରତ୍ୟାହାର ନ କରିବାକୁ ଘୋଷଣା

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାରରେ ଦେଖାଦେଇଥିବା ଗମ୍ଭୀର ସଙ୍କଟ ଆଜି ଦ୍ବିତୀୟ ଦିବସରେ ଆହୁରି ଜଟିଳ ହୋଇଛି। ଗତକାଲି ଇସ୍ତଫା ଦେଇଥିବା କଂଗ୍ରେସ ଏବଂ ଜେଡିଏସ୍‌ର ୧୨ ବିଧାୟକଙ୍କୁ ମନାଇବା ପାଇଁ ଉଭୟ ଦଳ ଜୋର୍‌ଦାର ପ୍ରୟାସ କରିଛନ୍ତି। ତେବେ ୧୦ ଜଣ ବିଦ୍ରୋହୀ ବିଧାୟକଙ୍କ ସହ ସଂପର୍କ ସ୍ଥାପନ କରିବାରେ ଦଳୀୟ ନେତାମାନେ ବ୍ୟର୍ଥ ହୋଇଛନ୍ତି। ମୁମ୍ବାଇର ଏକ ହୋଟେଲରେ ଏବେ ବିଦ୍ରୋହୀ ବିଧାୟକମାନେ ଡେରା ପକାଇଥିବା ବେଳେ ସେମାନେ ଲଗାତାର ବିଜେପି ନେତାଙ୍କ ସହ ଯୋଗଯୋଗରେ ଥିବା କୁହାଯାଉଛି । ସପ୍ତାହକ ମଧ୍ୟରେ ମୋଟ ୧୪ ବିଧାୟକଙ୍କ ଇସ୍ତଫା ସରକାରଙ୍କ ସ୍ଥିତିକୁ ଦୋହଲାଇ ଦେଇଛି। ଯଦି ଏହି ବିଧାୟକଙ୍କ ଇସ୍ତଫା ଗୃହୀତ ହେବ ତା’ହେଲେ ସରକାର ସଂଖ୍ୟାଗରିଷ୍ଠତା ହରାଇବେ। ଆଜି ଉଭୟ ଦଳର ବରିଷ୍ଠ ନେତାମାନେ ବେଙ୍ଗାଲୁରୁରେ ତୁହାକୁ ତୁହା ବୈଠକ କରିଥିଲେ ମଧ୍ୟ କୌଣସି ସମାଧାନ ପନ୍ଥା ବାହାରି ନାହିଁ। ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାର ସ୍ବାମୀ ଆମେରିକାରୁ ଫେରିବା ପରେ ବିଧାୟକଙ୍କୁ ମନାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସେ ବରିଷ୍ଠ କଂଗ୍ରେସ ନେତା ଜି. ପରମେଶ୍ବରଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ଇସ୍ତଫା ପ୍ରତ୍ୟାହାରର ପ୍ରଶ୍ନ ଉଠୁନାହିଁ ବୋଲି ଆଜି ରାତିରେ ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ଘୋଷଣା କରିଥିବାରୁ ଏବେ ସରକାରଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି।

କଂଗ୍ରେସ ନେତା ଡିକେ ଶିବକୁମାର ଆଜି ଜେଡିଏସ୍‌ ସୁପ୍ରିମୋ ଏଚ୍‌ଡି ଦେବଗୌଡ଼ାଙ୍କୁ ଭେଟି ମେଣ୍ଟ ସରକାରଙ୍କ ପରବର୍ତ୍ତୀ ରଣନୀତି ସଂପର୍କରେ ଆଲୋଚନା କରିଥିଲେ। ଏହାପରେ ବିଦ୍ରୋହୀ ବିଧାୟକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ଏଥିରେ ସହଯୋଗ କରିନଥିଲେ। ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରାମେୟା ୯ ତାରିଖ ଦିନ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଇଛନ୍ତି। ବୈଠକରେ କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ କେ ସି ବେଣୁଗୋପାଳ ଏବଂ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଦିନେଶ ଗୁଣ୍ଡୁରାଓ ମଧ୍ୟ ସାମିଲ ହେବେ। କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଙ୍କଟ ପାଇଁ କଂଗ୍ରେସ ଏବଂ ଜେଡିଏସ୍‌ ବିଜେପିକୁ ଦାୟୀ କରୁଥିବା ବେଳେ ରାଜ୍ୟ ବିଜେପି ନେତାମାନେ ଏହାକୁ ଭିତ୍ତିହୀନ ଅଭିଯୋଗ ବୋଲି କହିଛନ୍ତି। ବିଦ୍ରୋହୀ ବିଧାୟକମାନେ ଏବେ ମୁମ୍ବାଇର ସୋଫିଟେଲ ହୋଟେଲରେ ଅବସ୍ଥାନ କରୁଛନ୍ତି ଏବଂ ସେମାନେ ବୁଧବାର ପର୍ଯ୍ୟନ୍ତ ସେଠାରେ ରହିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର