ଶ୍ରୀରଙ୍ଗପାଟନା/ନୂଆଦିଲ୍ଲୀ: କର୍ଣ୍ଣାଟକ ଶ୍ରୀରଙ୍ଗପାଟନାର ଏକ ସରକାରୀ ବିଦ୍ୟାଳୟର ଜଣେ ପ୍ରଧାନ ଶିକ୍ଷକଙ୍କୁ ସେହି ବିଦ୍ୟାଳୟ ହଷ୍ଟେଲର ଜନୈକା ନାବାଳିକା ଅନ୍ତେବାସିନୀଙ୍କୁ ଅସଦାଚରଣ କରିବା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ନାବାଳିକା ଛାତ୍ରୀ ଜଣକ ଘଟଣା ସଂପର୍କରେ ନିଜର ସହପାଠିନୀମାନଙ୍କୁ କହିବା ପରେ ଏହାକୁ କେନ୍ଦ୍ରକରି ବିଦ୍ୟାଳୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ବିଦ୍ୟାଳୟର ଛାତ୍ରୀମାନେ ଏକଜୁଟ ହୋଇ ଠେଙ୍ଗାବାଡ଼ି ଧରି ପ୍ରଧାନ ଶିକ୍ଷକଙ୍କୁ ନିର୍ଧୁମ୍ ପିଟିଥିଲେ।
ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଛାତ୍ରୀମାନେ ହାତରେ ବାଡ଼ି ଧରି ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବାର ଦେଖିବାକୁ ମିଳୁଛି। ପରେ ମାଡ଼ରୁ ରକ୍ଷା ପାଇବା ପାଇଁ ପ୍ରଧାନ ଶିକ୍ଷକ ନିଜକୁ ଏକ ଶ୍ରେଣୀଗୃହ ଭିତରେ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ବାଡ଼ିରେ ସଜ୍ଜିତ ଛାତ୍ରୀମାନେ ସେ କୋଠରୀ ମଧ୍ୟରେ ପଶି ତାଙ୍କୁ ପିଟୁଛନ୍ତି। ପରେ ବିଦ୍ୟାଳୟର ଅନ୍ୟ କର୍ମଚାରୀ ଏବଂ ଶିକ୍ଷକମାନେ ଘଟଣାସ୍ଥଳକୁ ଆସି ଉତ୍ତ୍ୟକ୍ତ ଛାତ୍ରୀମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।
ଏହି ଘଟଣା ସଂପର୍କରେ ଅଧିକାରୀମାନେ କହିଛନ୍ତି ଯେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ସେ ଅତୀତରେ ଅନେକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ପୁଲିସ ସ୍କୁଲ ହଷ୍ଟେଲରେ ପହଞ୍ଚି ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଥିଲା। ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ପାଇଁ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।