ଟିପୁ ସୁଲତାନ ଜୟନ୍ତୀ ପାଳନ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କର୍ଣ୍ଣାଟକ ସରକାରଙ୍କୁ ହାଇକୋର୍ଟଙ୍କ ପରାମର୍ଶ

ବାଙ୍ଗାଲୁରୁ : କର୍ଣ୍ଣାଟକରେ ଟିପୁ ସୁଲତାନ ଜୟନ୍ତୀ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କର୍ଣ୍ଣାଟକ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ତେବେ କୋର୍ଟ ନଭେମ୍ବର ୧୦ ତାରିଖରେ ପାଳନ ହେଉଥିବା ଟିପୁ ଜୟନ୍ତୀ ସମାରୋହ ବନ୍ଦ ନେଇ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଉପରେ କୌଣସି ରୋକ ଲଗାଇନାହାନ୍ତି ।  ଗତ ଜୁଲାଇ ମାସରେ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହି ସମାରୋହକୁ ବନ୍ଦ କରାଯାଇଥିଲା ।
ରାଜ୍ୟରେ ୨୦୧୫ଠାରୁ ପ୍ରତିବର୍ଷ ନଭେମ୍ବର ମାସରେ ଟିପୁ ଜୟନ୍ତୀ ପାଳନ ହୋଇଆସୁଛି । ତତ୍‌କାଳୀନ କଂଗ୍ରେସ ସରକାର ରାଜ୍ୟ ସରକାରଙ୍କ ଏକ ବାର୍ଷିକ ସାଂସ୍କୃତିକ ସମାରୋହ ଭାବେ ଏହାକୁ ଆରମ୍ଭ କରିଥିଲେ । କିନ୍ତୁ ବିଜେପି ଏହାକୁ ବିରୋଧ କରିଆସୁଥିଲା । ସଂଖ୍ୟାଲଘୁ ତୁଷ୍ଟୀକରଣ ପାଇଁ ଏହାକୁ ପାଳନ କରାଯାଉଥିଲା ବୋଲି ବିଜେପି ଅଭିଯୋଗ କହୁଛି । ସୂଚନାଯୋଗ୍ୟ ଯେ ଟିପୁ ସୁଲତାନଙ୍କୁ କଂଗ୍ରେସ ଜଣେ ସ୍ୱାଧୀନତା ସଂଗ୍ରାମୀଭାବେ ଦେଖୁଥିବାବେଳେ କର୍ଣ୍ଣାଟକ ବିଶେଷକରି ମହୀଶୂରରେ ଲୋକମାନେ ତାଙ୍କୁ ଜଣେ ହିନ୍ଦୁ ହତ୍ୟାକାରୀବୋଲି ଦାବି କରନ୍ତି ।

ସମ୍ବନ୍ଧିତ ଖବର