ନୂଆଦିଲ୍ଲୀ: ପଶୁପାଳନ ମନ୍ତ୍ରାଳୟ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ଦ୍ୱାରା ‘ବିପଜ୍ଜନକ’ ବିବେଚିତ କେତେକ ପ୍ରଜାତିର କୁକୁରର ଆମଦାନି, ପ୍ରଜନନ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ କର୍ଣ୍ଣାଟକ ହାଇକୋର୍ଟ ବୁଧବାର ରଦ୍ଦ କରି ଦେଇଛନ୍ତି।

Advertisment

‘ବିପଜ୍ଜନକ’ କୁକୁର ପ୍ରଜାତି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସର୍କୁଲାର ଜାରି ହେବା ପୂର୍ବରୁ ଗୃହପାଳିତ ପଶୁ ମାଲିକ ଏବଂ ସଂପୃକ୍ତ ସଂଗଠନମାନଙ୍କ ସହ ପରାମର୍ଶ କରାଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଯଦି ଗୃହପାଳିତ ପଶୁମାନେ କାହାକୁ ଆହତ କରନ୍ତି ତେବେ ଗୃହପାଳିତ ପଶୁ ମାଲିକମାନେ ଏଥିପାଇଁ ଦାୟୀ ଏବଂ ସେମାନଙ୍କୁ ହିଁ ପୀଡ଼ିତର ସମସ୍ତ ଖର୍ଚ୍ଚ ବହନ କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୧୩ ତାରିଖରେ ପଶୁପାଳନ ମନ୍ତ୍ରାଳୟ ଏକ ସର୍କୁଲାର ଜାରି କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିଶ୍ଚିତ କରିବାକୁ କହିଥିଲା ଯେ ପିଟ୍‌ବୁଲ୍‌ ଏବଂ ଅନ୍ୟାନ୍ୟ ପ୍ରଜାତିର କୁକୁର ବିକ୍ରି, ପ୍ରଜନନ ଏବଂ ରକ୍ଷଣାବେକ୍ଷଣ ପାଇଁ କୌଣସି ଲାଇସେନ୍‌ସ କିମ୍ବା ଅନୁମତି ପ୍ରଦାନ କରାଯିବ ନାହିଁ ଯାହା ମାନବ ଜୀବନ ପାଇଁ ‘ବିପଜ୍ଜନକ’। କୁକୁରଙ୍କ ଦ୍ୱାରା ହେଉଥିବା ଅନେକ ମାରାତ୍ମକ ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି କେନ୍ଦ୍ର ଏହି ନିର୍ଦ୍ଦେଶ ଦେଇଥିଲା।

‘ବିପଜ୍ଜନକ’ ବୋଲି ପ୍ରମାଣିତ ହୋଇଥିବା ପ୍ରଜାତିଗୁଡ଼ିକ ମଧ୍ୟରେ ପିଟ୍‌ବୁଲ୍‌ ଟେରିୟର, ଟୋସା ଇନୁ, ଆମେରିକୀୟ ଷ୍ଟାଫର୍ଡଶାୟର ଟେରିୟର, ଫିଲା ବ୍ରାସିଲେରୋ, ଡୋଗୋ ଆର୍ଜେଣ୍ଟିନାଓ, ଆମେରିକୀୟ ବୁଲଡଗ୍‌, ବୋଏର୍ବୋଏଲ, କଙ୍ଗଲ, ସେଣ୍ଟ୍ରାଲ ଏସିଆନ୍‌ ସିପ୍‌ଡଗ୍‌, କକେସିଆନ୍‌ ସେଫର୍ଡ କୁକୁର, ଦକ୍ଷିଣ ରୁଷୀୟ ଶେଫର୍ଡ କୁକୁର, ଟର୍ନଜାକ୍‌, ସାର୍ପ୍ଲାନିକାକ୍‌, ଜାପାନୀ ଟୋସା ଏବଂ ଅକିଟା, ମାଷ୍ଟିଫ୍‌ (ବୋଏର୍ବୋଏଲ), ରୋଟୱେଲର, ଟେରିଅର୍ସ, ରୋଡେସିଆନ୍‌ ରିଜ୍ୱ୍ୟାକ୍‌, କାନ୍ଵାସ୍‌, ମସ୍କୋ ଗାର୍ଡ କୁକୁର, କାନେ କୋର୍ସୋ ପ୍ରଜାତିର ସମସ୍ତ ପ୍ରକାର କୁକୁର ଅନ୍ତର୍ଭୁକ୍ତ।