ବିନା ଭଲ ପାଇବାରେ ପତ୍ନୀଙ୍କଠାରୁ ଟଙ୍କା ନେବା କ୍ରୁରତା, ଦୁହାଁଳିଆ ଗାଈ ଭଳି ବ୍ୟବହାର କରି ହେବନାହିଁ : କର୍ଣ୍ଣାଟକ ହାଇକୋର୍ଟ

ବାଙ୍ଗାଲୋର: ପତ୍ନୀଙ୍କୁ ଦୁହାଁଳିଆ ଗାଈ ଭଳି ବ୍ୟବହାର କରିହେବ ନାହିଁ | ବିନା ଭଲ ପାଇବାରେ ତାଙ୍କଠାରୁ ଟଙ୍କା ନେବା କ୍ରୁରତା ବୋଲି କୋର୍ଟ ନିଜ ରାୟରେ କହିଛନ୍ତି | ନିକଟରେ କର୍ଣ୍ଣାଟକ ହାଇକୋର୍ଟ ଜୁନ ୨୦୨୦ରେ ଫ୍ୟାମିଲି କୋର୍ଟ ଦେଇଥିବା ଏକ ଆଦେଶ ବିରୁଦ୍ଧରେ ଜଣେ ମହିଳାଙ୍କ ଆବେଦନ ଶୁଣାଣି ବେଳେ ଏହି କଥା କହିଛନ୍ତି ।

ଜଷ୍ଟିସ ଆଲୋକ ଆରାଡେ ଏବଂ ଜଷ୍ଟିସ ଜେଏମ ଖାଜିଙ୍କ ଖଣ୍ଡପୀଠ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଯଦିଓ ତାଙ୍କ ସ୍ୱାମୀଙ୍କ ବିଫଳ ବ୍ୟବସାୟରେ ପତ୍ନୀ ୬୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି, କିନ୍ତୁ ତାଙ୍କୁ ଭଲ ବ୍ୟବହାର କରାଯାଇ ନାହିଁ | ଭଲ ବ୍ୟବହାର କରାଯାଇ ନଥିବାରୁ ପତ୍ନୀ ଜଣକ ମାନସିକ ଯନ୍ତ୍ରଣା ମଧ୍ୟ ପାଇଛନ୍ତି । ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ସ୍ୱାମୀ ତାଙ୍କୁ ଦୁହାଁଳିଆ ଗାଈ ଭଳି ବ୍ୟବହାର କରିଛନ୍ତି ଏବଂ ସ୍ୱାମୀଙ୍କର ପତ୍ନୀଙ୍କ ପ୍ରତି କୌଣସି ଭଲପାଇବା ନଥିଲା |

ସ୍ୱାମୀଙ୍କର ଏଭଳି ବ୍ୟବହାର ପତ୍ନୀଙ୍କୁ ମାନସିକ ଯନ୍ତ୍ରଣା ଦେଇଛି | ଯେଉଁଭଳି ପତ୍ନୀଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଇଛି, ତାହା ମାନସିକ କ୍ରୁରତାର ଉଦାହରଣ ପାଇଁ ଯଥେଷ୍ଟ | ସ୍ୱାମୀ ଜଣକ କୋର୍ଟଙ୍କୁ କହିଥିଲେ ଯେ ଯେହେତୁ ତାଙ୍କ ମୁଣ୍ଡ ଉପରେ ଋଣର ବୋଝ ଅଛି ତେଣୁ ସେ ପତ୍ନୀ ଓ ଝିଅର ଦାୟିତ୍ୱ ନେଇପାରିବେ ନାହିଁ | ସ୍ୱାମୀ ଜଣକ ୨୦୦୮ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ କାମ କରିବାକୁ ଯାଇଥିଲେ | ମହିଳାଙ୍କ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା ଯେ ସେ ୟୁଏଇରେ ତାଙ୍କ ସ୍ୱାମୀଙ୍କ ପାଇଁ ଏକ ସେଲୁନ୍ ଖୋଲିଥିଲେ ଏବଂ ୨୦୧୨ରେ ସ୍ୱାମୀଙ୍କ ପାଇଁ ବହୁ ଅର୍ଥ ଖର୍ଚ୍ଚ କରିଥିଲେ।

କିନ୍ତୁ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ତାଙ୍କ ସ୍ୱାମୀ ଭାରତକୁ ଫେରିଆସିଥିଲେ | ମହିଳା ଜଣକ କହିଛନ୍ତି ଯେ ସେ ପରିବାରର ସମସ୍ତ ଋଣ ସୁଝିଦେଇଛନ୍ତି ଏବଂ ତାଙ୍କ ଆୟରୁ ଚିକମାଗାଲୁରରେ କିଛି ଜମି କିଣିଛନ୍ତି। ଶେଷରେ, ମହିଳା ଜଣକ କହିଛନ୍ତି ଯେ ସେ ଅନୁଭବ କରିଛନ୍ତି ଯେ କେବଳ ତାଙ୍କ ଟଙ୍କା ପାଇଁ ତାଙ୍କୁ ବ୍ୟବହାର କରାଯାଇଛି | ଯାହା ପରେ ସେ ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ । ତେବେ ଛାଡପତ୍ର ଆବେଦନକୁ ଫ୍ୟାମିଲି କୋର୍ଟ ଖାରଜ କରିଦେଇଥିଲେ | ଆଉ ଏବେ କର୍ଣ୍ଣାଟକ ହାଇକୋର୍ଟ ଫ୍ୟାମିଲି କୋର୍ଟ ରାୟକୁ ରଦ୍ଦ କରି ଛାଡପତ୍ର ପାଇଁ ଅନୁମତି ଦେଇଛନ୍ତି |

ସମ୍ବନ୍ଧିତ ଖବର