କର୍ଣ୍ଣାଟକରେ ଉଗ୍ରରୂପ ନେଉଛି ହିଜାବ ବିବାଦ: ସ୍କୁଲ, କଲେଜ ୩ ଦିନ ପାଇଁ ବନ୍ଦ

ଗୋଷ୍ଠୀ ସଂଘର୍ଷ,୧୪୪ ଧାରା ଜାରି, ଶାନ୍ତିରକ୍ଷା ପାଇଁ ଅନୁରୋଧ କଲେ କୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ହିଜାବ ବନାମ ଗେରୁଆ ସ୍କାର୍ଭ‌୍‌କୁ ନେଇ ଯେଉଁ ବିବାଦ ଓ ଆନ୍ଦୋଳନ ଚାଲିଛି, ତାହା ଏବେ ଉଗ୍ର ରୂପ ନେବାରୁ ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ଆସନ୍ତା ୩ ଦିନ ପାଇଁ ବନ୍ଦ ରହିବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, ଶାନ୍ତି ରକ୍ଷା ପାଇଁ କୋର୍ଟ ଅନୁରୋଧ କରିଛନ୍ତି। ଗତ ମାସରେ ଉଡ଼ୁପିର ସରକାରୀ ବାଳିକା ପିୟୁ କଲେଜ୍‌ରେ ହିଜାବକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲା। ୬ ଜଣ ମୁସଲିମ ଛାତ୍ରୀ ହିଜାବ ପିନ୍ଧିଥିବାରୁ ସେମାନଙ୍କୁ ‌‌ଶ୍ରେଣୀଗୃହରେ ପ୍ରବେଶ ଅନୁମତି ମିଳିଲାନି ବୋଲି ଅଭିଯୋଗ କରିଥିଲେ। ଏହାକୁ ନେଇ ବିବାଦ ବଢ଼ି ଚାଲିଲା ଏବଂ ଏହା ଏବେ ହିଂସାତ୍ମକ ମୋଡ଼ ନେଇଛି। ଉଡ଼ୁପିରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ଶିବମୋଗା ସମେତ ଅନ୍ୟ ସହରରେ ପହଞ୍ଚିଛି।

ଆଜି ଶିବମୋଗାର ଏକ କଲେଜରେ ଜଣେ ଛାତ୍ର ଏକ ଖୁଣ୍ଟି ଉପରକୁ ଚଢ଼ିଯାଇ ଜାତୀୟ ପତାକା କାଢ଼ି ଦେଇଥିଲେ ଏବଂ ସେହି ସ୍ଥାନରେ ଗେରୁଆ ପତାକା ଉଡ଼ାଇଥିଲେ। ନିକଟରେ ରୁଣ୍ଡ ହୋଇଥିବା ଛାତ୍ରମାନେ ଗେରୁ୍ଆ ପତାକା ଏବଂ ସ୍କାର୍ଭ ଉଡ଼ାଇ ଜୟ ଶ୍ରୀରାମ ଧ୍ବନି ଦେଇଥିଲେ। ଖାଲି ଏତିକି ନୁହେଁ, ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ କରାଯାଇଥିଲା। ଫଳରେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୧୪୪ଧାରା ଜାରି କରାଯାଇଥିଲା। ସେହିଭଳି, ହରିହର ଏବଂ ‌ଦାଭେ‌ଙ୍ଗେରେରେ ବହୁ ସଂଖ୍ୟାରେ ହିଜାବ ପିନ୍ଧିଥିବା‌ ଆନ୍ଦୋଳନକାରୀ ଏବଂ ଗେରୁଆ ସାଲ୍‌ ପିନ୍ଧିଥିବା ଆନ୍ଦୋଳନକାରୀ ପରସ୍ପର ଉପରକୁ ମଧ୍ୟ ଟେକା ପଥର ମାଡ଼ କରିଥିଲେ। ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ଲୁହବୁହା ଗ୍ୟାସ୍‌ ସେଲ୍‌ ପ୍ର‌ୟୋଗ କରିଥିଲେ।

ମାଣ୍ଡିଆର ଏକ କଲେଜ୍‌ରେ ଗେରୁ୍ଆ ସ୍କାର୍ଭ ପକାଇଥିବା କିଛି ଛାତ୍ରଛାତ୍ରୀ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ଜଣେ ମୁସଲିମ ଛାତ୍ରୀଙ୍କୁ ‌‌ଠେଲାପେଲା କରିବାକୁ ଚେଷ୍ଟା କରିଥିବା‌ ଅଭିଯୋଗ ହୋଇଛି। ଏହାର ଜବାବରେ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ‘ଆଲ୍ଲା ହୁ ଆକ୍‌ବର’ ସ୍ଲୋଗାନ ଦେଇଥିଲେ ଏବଂ ସାଥୀମାନଙ୍କୁ ଏଭଳି କରିବା ପାଇଁ କହିଥିଲେ।
ଏହିଭଳି ଏକ ପରିସ୍ଥିତିରେ କର୍ଣ୍ଣାଟକ ହାଇକୋର୍ଟ ହିଜାବ ମାମଲାରେ ଶୁଣାଣି ଆରମ୍ଭ କରିଛନ୍ତି। ହାଇକୋର୍ଟ ଆଜି ହିଜାବ ମାମଲାରେ ‌କୌଣସି ରାୟ ଦେଇନାହାନ୍ତି। କୋର୍ଟ ଛାତ୍ର ସମ୍ପ୍ରଦାୟକୁ ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଛନ୍ତି। ଆସନ୍ତାକାଲି ମଧ୍ୟ କୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ଉକ୍ତ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶିବକୁମାର କହିଛନ୍ତି, କର୍ଣ୍ଣାଟକ ଶିକ୍ଷାନୁଷ୍ଠାନରେ ସ୍ଥିତି ଅଣା‌ୟତ୍ତ ‌ହୋଇଯାଉଛି। ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ପ୍ରଭାବିତ ଶିକ୍ଷାନୁଷ୍ଠାନ ଗୁଡ଼ିକ ସପ୍ତାହକ ପାଇଁ ବନ୍ଦ ରହିବା ଉଚିତ୍‌ ବୋଲି ସେ କହିଛନ୍ତି। ଇତିମଧ୍ୟରେ କର୍ଣ୍ଣାଟକ ବିଜେପି କହିଛି ଯେ ବିବାଦ ବଢ଼ାଇବା ପାଇଁ କିଛି ଲୋକ ଷଡ଼ଯନ୍ତ୍ର କରୁଛନ୍ତି।

ସମ୍ବନ୍ଧିତ ଖବର