ବେଙ୍ଗାଲୁରୁ: ମେହନ୍ତର କାର୍ଯ୍ୟରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ‘ସୂଚନା ଅଧିକାର’ରେ ତା’ର ସବିଶେଷ ତଥ୍ୟ ଯୋଗାଇ ଦେଇ ନ ଥିବା କାରଣରୁ କର୍ଣ୍ଣାଟକର ଜଣେ ବରିଷ୍ଠ ‘ଆଇପିଏସ୍’ ଅଧିକାରୀଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା କରାଯାଇଛି।
ଅର୍ଥଦଣ୍ଡାଦେଶ ପାଇଥିବା ଉକ୍ତ ‘ଆଇପିଏସ୍’ ଅଧିକାରୀ ହେଉଛନ୍ତି ‘କର୍ଣ୍ଣାଟକ ଷ୍ଟେଟ୍ ରିଜର୍ଭ ପୋଲିସ୍’ର ପୂର୍ବତନ ଡେପୁଟି ଇନ୍ସ୍ପେକ୍ଟର୍ ଜେନେରାଲ୍ ଅଫ୍ ପୋଲିସ୍’ ରାମ ନିବାସ ସେପତ।
ନିର୍ଦ୍ଧାରିତ ସମୟ ମଧ୍ୟରେ ସୂଚନା ଦେଇ ନ ଥିବାରୁ ସେପତଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ରାଜ୍ୟ ସୂଚନା କମିସନର୍ କେ. ଲିଙ୍ଗାରାଜୁ ଆଦେଶ ଦେଇଛନ୍ତି। ଦୁଇ ମାସ ପାଇଁ ସେପତଙ୍କ ବେତନରୁ ୫୦୦୦ ଟଙ୍କା ଲେଖାଏଁ କାଟିବାକୁ କମିସନ୍ ନିର୍ଦେଶ ଦେଇଛନ୍ତି।
/sambad/media/post_attachments/wp-content/uploads/2021/11/Rti.jpg)
ମାମଲାର ଆବେଦନକାରିଣୀ ଆଡ୍ଭୋକେଟ୍ ସୁଧା କାତୱା କହିଛନ୍ତି ଯେ, ୪ ବର୍ଷରୁ ଅଧିକ ହେବ ସୂଚନା ପାଇବା ପାଇଁ ଆବେଦନ କରାଯାଇଥିଲା। ଏପ୍ରିଲ୍୨୦୧୬ରେ ‘ଡି-ଗ୍ରୁପ୍’ର କର୍ମଚାରୀମାନଙ୍କୁ ଅଡୁଗୋଡ଼ି ଅଞ୍ଚଳର ‘କର୍ଣ୍ଣାଟକ ଷ୍ଟେଟ୍ ରିଜର୍ଭ ପୋଲିସ୍’ ପରିସର ମଧ୍ୟରେ ଥିବା ‘ସାନିଟାରି ପିଟ୍’ (ପରିମଳ ଖାତ) ଓ ‘ମ୍ୟାନ୍ହୋଲ୍’ ସଫେଇରେ ଲଗାଯାଇଥିଲା। ଜାଣନ୍ତରେ ଏଭଳି ଆଇନ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହେବା ପରେ ‘କର୍ଣ୍ଣାଟକ ରାଜ୍ୟ ମାନବ ଅଧିକାର କମିସନ୍’ର ମୁଖ୍ୟ ମୀରା ସାକ୍ସେନା ଘଟଣାସ୍ଥଳ ପରିଦର୍ଶନ କରିଥିଲେ।
‘ସାନିଟାରି ପିଟ୍’ ଓ ‘ମ୍ୟାନ୍ହୋଲ୍’ ସଫେଇରେ ‘ଡି-ଗ୍ରୁପ୍’ କର୍ମଚାରୀଙ୍କୁ ଲଗାଇଥିବା ବ୍ୟକ୍ତିଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସାକ୍ସେନା ନିର୍ଦେଶ ଦେଇଥିଲେ।
କାତ୍ୱା କହିଛନ୍ତି, ଏ ଭଳି ଅମାନବୀୟ କାର୍ଯ୍ୟ କରାଇଥିବା ବ୍ୟକ୍ତିଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ପଚାରି ସେତେବେଳେ ସୂଚନା ଅଧିକାରୀ ଥିବା ‘କେଏସ୍ଆର୍ପି’ର ‘ଡିଆଇଜିପି’ଙ୍କ ନିକଟରେ ସେ ୨୦୧୬ ସେପ୍ଟେମ୍ବରରେ ‘ଆର୍ଟିଆଇ’ ଆବେଦନ କରିଥିଲେ। ଆଇନ ଅନୁଯାୟୀ, ୩୦ ଦିନ ମଧ୍ୟରେ ୩୦ ଦିନ ମଧ୍ୟରେ ସୂଚନା ଯୋଗାଇ ଦେବା କଥା। କିନ୍ତୁ, ପୋଲିସ ବଳ ଠାରୁ ସେ କୌଣସି ସୂଚନା ପାଇଲେ ନାହିଁ। ତେଣୁ, ସେ ୨୦୧୭ ଜୁନ୍ ୩୦ରେ ‘କର୍ଣ୍ଣାଟକ ଇନ୍ଫର୍ମେସନ୍ କମିସନ୍’ଙ୍କ ନିକଟରେ ପିଟିସନ୍ ଦାଏର କରିଥିଲେ।
କେତେଗୁଡ଼ିଏ ଦରଖାସ୍ତ ପକାଇବା ପରେ, ଚଳିତ ବର୍ଷ ଫେବ୍ରୁଆରି ୧୬ ତାରିଖ ଦିନ ‘କେଏସ୍ଆର୍ପି’ ସୂଚନା ଯୋଗାଇ ଦେଇ କହିଲେ ଯେ, ଏଭଳି ଅମାନବୀୟ କାର୍ଯ୍ୟରେ କର୍ମଚାରୀମାନଙ୍କୁ ନିୟୋଜନ ନ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ଯଦି କରନ୍ତି ତେବେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ, ୨୦୧୬ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।