କର୍ଣ୍ଣାଟକର ନେତାମାନେ ତନ୍ତ୍ରମନ୍ତ୍ରର ସାହାରା ନେଉଛନ୍ତି, କାହିଁକି ଜାଣନ୍ତୁ..

ବାଙ୍ଗାଲୁରୁ : ନିର୍ବାଚନ ଆୟୋଗ ପକ୍ଷରୁ କର୍ଣ୍ଣାଟକ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବା ପରେ ରାଜନୈତିକ ଦଳ ଗୁଡ଼ିକ ଚଳଚଞ୍ଚଳ ହୋଇପଡିଛନ୍ତି । ତେବେ ଯେଉଁ ତାରିଖରେ ଭୋଟ ଗ୍ରହଣ ହେବ ଓ ଗଣତି ତାରିଖକୁ ନେଇ ରାଜ୍ୟର ପ୍ରମୁଖ ନେତାମାନେ ଖୁସି ନାହାନ୍ତି । କାରଣ ଏହି ଦୁଇଟି ଦିନ ଅଶୁଭ ତିଥିରେ ପଡୁଥିବା ଏହି ନେତାମାନେ ବିଶ୍ୱାସ କରୁଛନ୍ତି । ଏଥିପାଇଁ କେତେକ ଜ୍ୟୋତିଷ ବିଦ୍ୟାର ସହାୟତା ନେଉଥିବାବେଳେ ଆଉ କେତେକ ସାଧୁସନ୍ୟାସୀଙ୍କ ଶରଣ ପଶିଲେଣି ।

କଥା ହେଉଛି ଭୋଟଗ୍ରହଣ ତାରିଖ ମଇ ୧୨ ଶନିବାର ପଡୁଛି ଓ ଗଣତି ତାରିଖ ମଇ ୧୫ ମଙ୍ଗଳବାର ପଡୁଛି । ଭାରତୀୟ ସଂସ୍କୃତିରେ ଶନିବାର ଦିନକୁ ବିଶେଷ ଶୁଭଦିନ ବୋଲି ଧରାଯାଏ ନାହିଁ । କିନ୍ତୁ ସବୁଠୁ ବଡ଼ ଚିନ୍ତା ହେଉଛି ଗଣତି ଦିନ ଅର୍ଥାତ ମଇ ୧୫ ତାରିଖ ଅମାବାସ୍ୟା ପଡୁଛି । ଅମାବାସ୍ୟାକୁ ଏକ ଅଶଭ ଦିନ ବୋଲି ଧରାଯାଏ । ଏଣୁ ଅଶୁଭ ପ୍ରଭାବ କମାଇବାକୁ ନେତାମାନେ ପୂଜାପାଠ, ମନ୍ତ୍ରତନ୍ତ୍ର ଆରମ୍ଭ କରିଦେଲେଣି । ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ପୂଜାପାଠରେ ବିଶେଷ ରୁଚି ରଖନ୍ତି ନାହିଁ । କିନ୍ତୁ ତାଙ୍କ ପତ୍ନୀ ପାର୍ବତୀ ସିଦ୍ଧରାମାୟା ବେଶ ଧର୍ମପରାୟଣା । ଏଣୁ ସେ ପଣ୍ଡିତ ମାନଙ୍କୁ ଡାକି ପୂଜାପାଠ ଆରମ୍ଭ କରିଦେଇଛନ୍ତି ।

ଅନ୍ୟପକ୍ଷରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୟେଦ୍ୟୁରପ୍ପା ମଧ୍ୟ ଜ୍ୟୋତିଷ ବିଦ୍ୟାରେ ବିଶ୍ୱାସ କରନ୍ତି । କିଛିଦିନ ତଳେ ସେ ଜଣେ ନାଗା ସାଧୁଙ୍କୁ ତାଙ୍କଘରକୁ ଡ଼ାକିଥିବା ଆଲୋଚନା ହେଉଛି ।

ସେହିପରି ଜେଡି(ଏସ) ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ଜ୍ୟୋତିଷ ଶାସ୍ତ୍ରରେ ବେଶ ବିଶ୍ୱାସ କରନ୍ତି । ଏଣୁ ସେ ଇତି ମଧ୍ୟରେ ଜଣେ ବଡ଼ ଜ୍ୟୋତିଷଙ୍କୁ ଡାକି ପରାମର୍ଶ ଗ୍ରହଣ କରିଛନ୍ତି । ତାଙ୍କ ବଡ଼ ପୁଅ ଏଚଡି ରେବନ୍ନା ମଧ୍ୟ ତାମିଲନାଡ଼ୁର ଜଣେ ପଣ୍ଡିତଙ୍କୁ ଡାକି ହୋମ ଯଜ୍ଞ କରାଇଛନ୍ତି । ଭୋଟଦିନ ଓ ଗଣତି ଦିନ ମଧ୍ୟ ହୋମ କରାଯିବ ।

ବିଜେପିର ଜଣେ ସ୍ଥାନୀୟ ନେତା ୟଶବନ୍ତ ରାଓ ଯାଦବ ମଧ୍ୟ ନାଗା ସନ୍ୟାସୀଙ୍କ ଶରଣ ପସିଛନ୍ତି ।

ସମ୍ବନ୍ଧିତ ଖବର