ବେଙ୍ଗାଲୁରୁ: ୨୦୧୩ରେ ବିବାହ କରିବା ପରେ ପୁତ୍ର ସନ୍ତାନର ମାତାପିତା ହୋଇଥିଲେ। ଏକାଠି ରହିବା ପରେ ବାରମ୍ବାର ଝଗଡ଼ା ହେଉଥିବାରୁ ପତ୍ନୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ପତ୍ନୀ ଆବେଦନ ଫେରାଇ ଆଣିବାକୁ ମନା କରିବାରୁ ସ୍ବାମୀ ଦେହରେ ପେଟ୍ରୋଲ ଢ଼ାଳି ଜୀବନ ହାରିଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ବେଙ୍ଗାଲୁରୁର ନଗରଭବିରେ।
ପୁଲିସର ସୂଚନା ଅନୁସାରେ, ମୃତକଙ୍କ ନାମ ମଞ୍ଜୁନାଥ, ଯିଏ କୁନିଗଲ ସହରରେ ରହୁଥିଲେ। ତାଙ୍କ ବୟସ ଥିଲା ୩୯ ବର୍ଷ ଏବଂ ତାଙ୍କର ଏକ କ୍ୟାବ୍ ଥିଲା। କ୍ୟାବ୍ ଚଳାଇ ସେ ପରିବାର ଚଳାଉଥିଲେ। ୨୦୧୩ମସିହାରେ, ସେ ବିବାହ କରିଥିବା ବେଳେ ବିବାହ ପରେ ବେଙ୍ଗାଲୁରୁର ଏକ ଫ୍ଲାଟରେ ରହୁଥିଲେ। ବିବାହର କିଛି ବର୍ଷ ପରେ ସେ ଏକ ପୁତ୍ର ସନ୍ତାନର ବାପା ହୋଇଥିଲେ। ହେଲେ ଦମ୍ପତିଙ୍କ ମଧ୍ୟରେ ମତାନ୍ତର ହେତୁ, ମଞ୍ଜୁନାଥ ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀଙ୍କଠାରୁ ଅଲଗା ରହିବା ଆରମ୍ଭ କରିଥିଲେ। ଏହା ପରେ ତାଙ୍କ ପତ୍ନୀ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ବୋଲି ଜଣାପଡ଼ିଛି। ଘଟଣା ଦିନ ମଞ୍ଜୁନାଥ ତାଙ୍କ ସ୍ତ୍ରୀଙ୍କ ବାସଭବନକୁ ଯାଇ କୋର୍ଟରୁ ଛାଡପତ୍ର ଆବେଦନ ଫେରାଇ ନେବାକୁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ପତ୍ନୀ ରାଜି ନହେବାରୁ ମଞ୍ଜୁନାଥ ପତ୍ନୀଙ୍କ ଘର ବାହାରେ ପେଟ୍ରୋଲ ଢ଼ାଲି ଦେହରେ ନିଆଁ ଲଗାଇ ଦେଇଥିଲେ। ମଞ୍ଜୁନାଥଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପରିବାର ତାଙ୍କ ପତ୍ନୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି।