କର୍ଣ୍ଣାଟକରେ ହୋଇପାରେ ରାଷ୍ଟ୍ରପତି ଶାସନ : ସରକାର ଗଠନ ନେଇ ଅନିଶ୍ଚିତତା, ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା

ନୂଆଦିଲ୍ଲୀ : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ସରକାର ପତନର ତିନି ଦିନ ବିତି ଯାଇଥିଲେ ମଧ୍ୟ ସରକାର ଗଠନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ତେବେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ବାଚସ୍ପତି କେ.ଆର୍‌. ରମେଶ କୁମାର ୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରେ ସ୍ବାଧୀନ ବିଧାୟକ ଆର୍‌ ଶଙ୍କର ମଧ୍ୟ ସାମିଲ ‌ଅଛନ୍ତି। ସେ ସରକାରରେ ନିଗମ ପ୍ରଶାସନ ମନ୍ତ୍ରୀ ଥିଲେ। ଅଯୋଗ୍ୟ ଘୋଷିତ ଅନ୍ୟ ଦୁଇ ଜଣ ବିଧାୟକ ହେଲେ କଂଗ୍ରେସର ରମେଶ ଜାର୍‌କିହୋଲି ଏବଂ ମହେଶ କୁମାତଲ୍ଲୀ। ଏହି ତିନି ବିଧାୟକଙ୍କୁ ଦଳ ବଦଳ ଆଇନ ଆଧାରରେ ଅଯୋଗ୍ୟ ଘୋଷଣା କରାଯାଇଥିବା ବାଚସ୍ପତି କହିଛନ୍ତି। ଏହି ତିନି ଜଣଙ୍କ ସମେତ ୧୭ ଜଣ ବିଧାୟକଙ୍କ ବିଦ୍ରୋହ ଯୋଗୁଁ ମେଣ୍ଟ ସରକାରର ପତନ ଘଟିଥିଲା।

ବାଚସ୍ପତି କହିଛନ୍ତି ଯେ ଆର ଶଙ୍କର ସ୍ବାଧୀନ ବିଧାୟକ ନଥିଲେ। ‌େସ କେପିଜେପି ଟିକଟରେ ନିର୍ବାଚନ ଲଢ଼ିଥିଲେ। ତେବେ ସେ ତାଙ୍କର ପାର୍ଟିକୁ କଂଗ୍ରେସରେ ମିଶାଇ ଦେଇଥିଲେ। ଏସଂପର୍କରେ ତାଙ୍କର ଅନୁରୋଧକୁ ଗ୍ରହଣ କରି ଶଙ୍କରଙ୍କୁ କଂଗ୍ରେସ ବିଧାୟକ ଭାବେ ସ୍ବୀକୃତି ଦିଆଯାଇଥିଲା। କଂଗ୍ରେସରେ ଥାଇ ସେ ବିଜେପିକୁ ସମର୍ଥନ କରିବା ଲାଗି ଘୋଷଣା କରିଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଅଯୋଗ୍ୟ ଘୋଷିତ ଏହି ତିନି ବିଧାୟକ ଚଳିତ ବିଧାନସଭା କାର୍ଯ୍ୟକାଳ ମଧ୍ୟ‌େର ନିର୍ବାଚନ ଲଢ଼ିପାରିବେ ନାହିଁ। ବିଧାନସଭା କାର୍ଯ୍ୟକାଳ ୨୦୨୩ରେ ସରିବ। ଅନ୍ୟ ବିଧାୟକମାନଙ୍କ ସପଂର୍କରେ ସେ ଆଇନ ଅନୁଯାୟୀ ନିଷ୍ପତ୍ତି ନେବେ ବୋଲି ବାଚସ୍ପତି କହିଛନ୍ତି।

ମୋଟ ୧୭ ଜଣ ବିଧାୟକ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ଇସ୍ତଫା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣ ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଯଦି ବାଚସ୍ପତି ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫାକୁ ସ୍ବୀକାର କରିବା କିମ୍ବା ଖାରଜ କରିବାରେ ଅଧିକ ସମୟ ନେବେ ତା’ହେଲେ ରାଜ୍ୟପାଳ ବଜୁଭାଇ ବାଲା କର୍ଣ୍ଣାଟକରେ ରାଷ୍ଟ୍ରପତି ଜାରି ପାଇଁ ସୁପାରିସ କରିପାରନ୍ତି ବୋଲି ବିଜେପି ପ୍ରବକ୍ତା ଜି. ମଧୁସୂଦନ କହିଛନ୍ତି। ସୁପ୍ରିମ୍‌ କୋର୍ଟ ୧୭ ଜୁଲାଇରେ ଦେଇଥିବା ରାୟରେ କହିଥିଲେ ଯେ ବିଧାନସଭା ବାଚସ୍ପତି ଦଳ ବଦଳ ବିରୋଧୀ ଆଇନ ଅନୁସାରେ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନେବା କ୍ଷେତ୍ରରେ ସଂପୂର୍ଣ୍ଣ ସ୍ବାଧୀନ। ତେବେ ବିଧାୟକମାନଙ୍କ ଇସ୍ତଫା ଆବେଦନ ପୂର୍ବରୁ ନିଲମ୍ବିତ ରହିଥିବାରୁ ସେମାନଙ୍କୁ ଗୃହ କାର୍ଯ୍ୟରେ ଯୋଗ ଦେବାପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ। କଂଗ୍ରେସ ସୁପ୍ରିମ୍‌ କୋର୍ଟ ରାୟକୁ ଜୋର୍‌ଦାର ବିରୋଧ କରିଥିବା ବେଳେ ରାୟ ବାବଦରେ ପୁନଃ ସ୍ଥିତି ସ୍ପଷ୍ଟ କରିବାକୁ ଆବେଦନ କରିଥିଲା।

ସୂଚନାଯୋଗ୍ୟ, କଂଗ୍ରେସ ଏବଂ ଜେଡିଏସ୍ ଆସ୍ଥା ଭୋଟ୍‌ ପୂର୍ବରୁ ସମସ୍ତ ବିଧାୟକଙ୍କୁ ହ୍ବିପ୍‌ ଜାରି କରିଥିଲେ। ତେବେ ସୁପ୍ରିମ୍‌ କୋର୍ଟଙ୍କ ରାୟ ଯୋଗୁଁ ଏ କ୍ଷେତ୍ରରେ ହ୍ବିପ୍‌ କାର୍ଯ୍ୟକାରୀ ହୋଇପାରି ନଥିଲା।

ସେପଟେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏ ପର୍ଯ୍ୟନ୍ତ ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ କୌଣସି ସବୁଜ ସଙ୍କେତ ନଦେବା ପଛରେ ବିଦ୍ରୋହୀ ବିଧାୟକଙ୍କୁ ନେଇ ଅସ୍ପଷ୍ଟ ସ୍ଥିତି ମୁଖ୍ୟ କାରଣ ବୋଲି କୁହାଯାଉଛି।

ଏହି ତିନି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପରେ ରାଜ୍ୟ ବିଧାନସଭା‌େର ସଭ୍ୟସଂଖ୍ୟା ୨୨୨କୁ ହ୍ରାସ ପାଇଛି। ଏଭଳି ସ୍ଥିତିରେ ସରକାର ଗଠନ ପାଇଁ ୧୧୨ ଜଣ ସଭ୍ୟଙ୍କ ସମର୍ଥନ ଦରକାର ଥିବା ବେଳେ ବିଜେପି ପାଖରେ ଅଛନ୍ତି ୧୦୫ ବିଧାୟକ। ବାଚସ୍ପତି ଯଦି ଅନ୍ୟ ୧୪ ଜଣ ବିଧାୟକଙ୍କ ଇସ୍ତଫା ଗ୍ରହଣ କରି ନିଅନ୍ତି ତାହା ହେଲେ ଗୃହ ସଭ୍ୟ ସଂଖ୍ୟା ୨୦୮କୁ ଖସି ଆସିବ। ନୂଆ ପରିସ୍ଥିତିରେ ସରକାର ଗଠନ ପାଇଁ ୧୦୫ ସମର୍ଥନ ଦରକାର ଏବଂ ବିଜେପି ପାଖରେ ୧୦୫ ସଭ୍ୟ ଅଛନ୍ତି। ତେବେ ବାଚସ୍ପତି ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ ବିଜେପି ସଂଖ୍ୟାଲଘୁ ସରକାର ଗଠନ କରିବାକୁ ଆଗ୍ରହୀ ନୁହେଁ ବୋଲି ଦଳୀୟ ମୁଖପାତ୍ର ମଧୁଦୂଦନ କହିଛନ୍ତି। ତେଣୁ ରାଷ୍ଟ୍ରପତି ଶାସନ ଛଡ଼ା ଅନ୍ୟ ବାଟ ନାହିଁ ବୋଲି ‌େସ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର