ବେଙ୍ଗାଲୁରୁ: କର୍ଣ୍ଣାଟକ ଗୃହ ନିର୍ମାଣ ମନ୍ତ୍ରୀ ଜାମିର ଅହମଦ ଖାନ୍ ସୋମବାର କେନ୍ଦ୍ରମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ବିରୋଧରେ ବର୍ଣ୍ଣବାଦୀ ମନ୍ତବ୍ୟ ଦେଇ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ରବିବାର ରାମନଗରରେ ଏକ ରାଲିକୁ ସମ୍ବୋଧିତ କରି ଖାନ୍ କହିଛନ୍ତି ଯେ ଚନ୍ନାପାଟଣା କଂଗ୍ରେସ ପ୍ରାର୍ଥୀ ସିପି ଯୋଗୀଶ୍ୱରଙ୍କ ପାଖରେ ବିଜେପିରେ ଯୋଗ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା। ଆମ ଦଳ (କଂଗ୍ରେସ)ରେ କିଛି ମତଭେଦ ଯୋଗୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ‘କାଳିଆ କୁମାରସ୍ୱାମୀ’ ବିଜେପିଠାରୁ ଅଧିକ ବିପଜ୍ଜନକ ଥିବାରୁ ସେ ଜେଡିଏସ୍‌ରେ ଯୋଗ ଦେବାକୁ ରାଜି ନ ଥିଲେ।

Advertisment

ଚନ୍ନାପାଟଣା ବିଧାନସଭା ଉପନିର୍ବାଚନରେ ଜେଡିଏସ୍ ଟିକେଟରେ ଏନ୍‌ଡିଏର ପ୍ରାର୍ଥୀ କୁମାରସ୍ୱାମୀଙ୍କ ପୁଅ ନିଖିଲଙ୍କ ବିପକ୍ଷରେ ଯୋଗୀଶ୍ୱର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କୁମାରସ୍ୱାମୀଙ୍କ ଜନତା ଦଳ-ସେକ୍ୟୁଲାର (ଜେଡିଏସ୍) ମନ୍ତ୍ରୀ ଜାମିରଙ୍କୁ ଟାର୍ଗେଟ କରିଛି। ଦଳ ଏକ୍ସରେ ଲେଖିଛି, ରାଜ୍ୟବାସୀ ଆପଣଙ୍କ ଅପମାନଜନକ ଶବ୍ଦ ଓ  କଳାରଙ୍ଗର ଲୋକଙ୍କ ପ୍ରତି ଆପଣଙ୍କ ମାନସିକତାକୁ ଉଚିତ ଜବାବ ଦେବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ମନ୍ତ୍ରୀ ଏଚ୍‌ସି ମହାଦେବପ୍ପା, ସତୀଶ ଜାରାକିହୋଲି, ପ୍ରିୟଙ୍କ ଖଡ଼ଗେ ଓ କେଏଚ୍ ମୁନିୟାପ୍ପାଙ୍କ ରଙ୍ଗ କ’ଣ ବୋଲି ଜେଡିଏସ୍ ପ୍ରଶ୍ନ କରିଛି। ଜେଡିଏସ୍‌ର ସହଯୋଗୀ ଦଳ ବିଜେପି ମଧ୍ୟ କୁମାରସ୍ୱାମୀଙ୍କ ସମର୍ଥନରେ ବାହାରିଛି ଏବଂ ଏହାର ନେତାମାନେ ମେ ମାସରେ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ ମୁଖ୍ୟ ସାମ୍ ପିଟ୍ରୋଡାଙ୍କ ସମାନ ବର୍ଣ୍ଣବାଦୀ ବୟାନକୁ ମନେ ପକାଇଥିଲେ। ଅନ୍ୟମାନଙ୍କ ବିରୋଧରେ ବର୍ଣ୍ଣବାଦୀ ମନ୍ତବ୍ୟ ନ ଦେବାକୁ ରାଜ୍ୟ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ଲୋକଙ୍କୁ ଅନୁରୋଧ କରିଛନ୍ତି।