ବେଙ୍ଗାଲୁରୁ: କର୍ଣ୍ଣାଟକ ପୂର୍ତ୍ତମନ୍ତ୍ରୀ ସତୀଶ ଜର୍କିହୋଲି ୨୦ ଜଣ କଂଗ୍ରେସ ବିଧା‌ୟକଙ୍କୁ ମହୀଶୁର ଟ୍ରିପ୍‌ରେ ନେବାପାଇଁ ଉଦ୍ୟମ କରି ଆଜି ଦଳରେ ଏକ ଭୟ ସୃଷ୍ଟି କରିଥିଲେ। କନ୍ତୁ ପାର୍ଟି ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ଏହି ଟ୍ରିପ୍‌ ବାତିଲ ହୋଇଛି। କିଟ୍ଟୁର ଏବଂ କେନ୍ଦ୍ରୀୟ କର୍ଣ୍ଣାଟକ ଅଞ୍ଚଳର ୨୦ ଜଣ ବିଧାୟକ ଆଜି ସକାଳେ ଜର୍କିହୋଲିଙ୍କ ବାସଭବନରେ ପହଞ୍ଚିଥିଲେ ଏବଂ ସେମାନେ ଏକ ବସ୍‌ରେ ମହୀଶୁର ଯାଇଥ‌ାନ୍ତେ। ଏସମ୍ପର୍କରେ ଖବର ପାଇବାପରେ ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସିଂହ ସୂର୍ଯେୱାଲା କିଛି ସମସ୍ୟା ଥିବା ବାରିଥିଲେ ଏବଂ ଜର୍କିହୋଲିଙ୍କ ସହ କଥା ହୋଇ ତାଙ୍କୁ ଏହି ଟ୍ରିପ୍‌ ବାତିଲ କରିବାକୁ କହିଥିଲେ। ଏକାଠି ମିଳିତ ଭାବେ ଗଲେ ଏହା ଏକ ଭୁଲ୍‌ ବାର୍ତ୍ତା ଦେବ ଏବଂ ସରକାର ଉପରେ ଆକ୍ରମଣ କରିବାପାଇଁ ବିରୋଧୀଙ୍କୁ ଏକ ସୁଯୋଗ ମଧ୍ୟ ମିଳିଯିବ । ତେଣୁ ସେ ତାଙ୍କର ଏହି ଯାତ୍ରା ବାତିଲ କରନ୍ତୁ ବୋଲି ସୂର୍ଯେୱାଲା କହିଥିଲେ।

Advertisment

ଜର୍କିହୋଲି ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବିଧାୟକମାନେ ବୁଲିବାକୁ ଯିବାପାଇଁ ଚାହିବାରୁ ସେ ସେମାନଙ୍କୁ ମହୀଶୁର ନେବାପାଇଁ ଚାହିଲେ। ମହୀଶୁରର କିଛି ବିଧାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଏଥିରେ କୌଣସି ରାଜ‌ାନୖତିକ ଦିଗ ନାହିଁ। ତେବେ ଏହି ଯାତ୍ରା ଏକ ଶକ୍ତି ପ୍ରଦର୍ଶନ କି ବୋଲି ପଚାରିବାରୁ ଜର୍କିହୋଲି ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମତେ ଏକ ପ୍ରମୁଖ ବିଭାଗ ମିଳିଛି। ତେଣୁ ମୁଁ ଅସନ୍ତୁଷ୍ଟ କାହିଁକି ‌ହେବି। ସେ ଖୁବ୍‌ ଶୀଘ୍ର ବିଧାୟକମାନଙ୍କୁ ନେଇ ଆଉ ଏକ ଟ୍ରିପ୍‌ ଯୋଜନା କରିବେ ବୋଲି କହିଛନ୍ତି।