ବେଙ୍ଗାଲୁରୁ: କର୍ଣ୍ଣାଟକ ପୌରପାଳିକା ନିର୍ବାଚନରେ କଂଗ୍ରେସକୁ ବିପୁଳ ବିଜୟ ମିଳିବା ପରେ ଦଳୀୟ ନେତାଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ରାଜ୍ୟରେ କଂଗ୍ରେସ ଏକ ନମ୍ବର ଦଳ ଭାବରେ ଉଭା ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ୨ୟ କ୍ରମରେ ରହିଛି। ନିର୍ବାଚନରେ ଜିତିଥିବା ନେତାମାନେ ‘ବିଜୟ ର୍ୟାଲି’ରେ ବାହାରିଥିବା ବେଳେ ସୋମବାର ଏସିଡ ଆକ୍ରମଣ ହୋଇଛି। ଫଳରେ କଂଗ୍ରେସର ୧୦ ଜଣ କର୍ମକର୍ତ୍ତା ଗୁରୁତର ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଘଟଣାର ଶିକାର ହୋଇଥିବା ନେତାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟରେ କେଉଁମାନେ ଏହି ଏସିଡ ଆକ୍ରମଣ କରିଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।
Karnataka: Eight people injured in an acid attack on the victory procession of winning Congress candidate Inayatullah Khan in Tumkur. #KarnatakaLocalBodyElectionspic.twitter.com/EKnHMo8Vy6
— ANI (@ANI) September 3, 2018
ଘଟଣା ସଂପର୍କରେ ତୁମକର ପୁଲିସ ଅଧିକ୍ଷକ କହିଛନ୍ତି, କଂଗ୍ରେସ ପ୍ରାର୍ଥୀ ଜିତିବା ପରେ ସେମାନଙ୍କର ସମର୍ଥକମାନେ ବିଜୟ ର୍ୟାଲିରେ ବାହାରିଥିଲେ। ଭିଡ଼ର ସୁଯୋଗ ନେଇ ସଦିଗ୍ଧ ବ୍ୟକ୍ତି ଏସିଡ ଆକ୍ରମଣ କରିଛି। ଗୁରୁତର ଭାବରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଅନୁସାରେ ଲିକ୍ୟୁଇଡ ବ୍ୟବହାର ହୋଇଛି। ବାଥରୁମ କ୍ଲିନର ଭଳି ଲାଗୁଛି। ପୁଲିସ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ ରାଜ୍ୟର ୧୦୫ ପୌରପାଳିକା ଆସନର ୨୭୦୯ ଓ୍ଵାର୍ଡରେ ହୋଇଥିବା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଏପର୍ଯ୍ୟନ୍ତ ଆସିଥିବା ଫଳାଫଳ ଅନୁସାରେ ଅଧିକାଂଶ ସ୍ଥାନରେ କଂଗ୍ରେସ ବିଜୟୀ ହୋଇଛି। ୨୭୦୯ ଓ୍ଵାର୍ଡର ମଧ୍ୟରୁ ୨୫୯୨ ଓ୍ଵାର୍ଡରେ କଂଗ୍ରେସକୁ ୯୫୪ଟିରେ ବିଜୟ ମିଳିଛି। ସେହିଭଳି ବିଜେପିକୁ ୯୦୫ଟି ବିଜୟ ମିଳିଥିବା ବେଳେ ଜେଡି(ଏସ୍) ୩୬୪ ଆସନରେ ଜିତିଛି। ୨୭୭ଟି ଓ୍ଵାର୍ଡରେ ସ୍ୱାଧୀନ ପ୍ରାର୍ଥୀଙ୍କର ବିଜୟ ହୋଇଛି।