ବିଜେପି ଯୁବ ମୋର୍ଚ୍ଚା ନେତାଙ୍କୁ ହତ୍ୟା ଘଟଣା: ୨ଜଣଙ୍କୁ ଗିରଫ କଲା ପୁଲିସ

ବେଙ୍ଗାଲୁରୁ: ଗତ ମଙ୍ଗଳବାର ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ପ୍ରବୀଣ ନେଟ୍ଟାରୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଥିବା ବେଳେ ଗୁରୁବାର ମାଙ୍ଗାଲୋର ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ହେଲେ ଶଫିକ୍ ବଲ୍ଲେର ଏବଂ ଜାକିର ସାବାନୁର। ଏହାପୂର୍ବରୁ ପୁଲିସ ଏହି ଘଟଣା ସହ ଜଡ଼ିତ ଥିବା ୨୧ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିବା ବେଳେ ସମସ୍ତେ ପିଏଫଆଇ ଏବଂ ଏସଡିପିଓର ସଦସ୍ୟ ‌ବୋଲି ସ୍ପଷ୍ଟ କରିଥିଲା।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ପ୍ରବୀଣ ନେଟ୍ଟାରୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରବୀଣ ବେଲାର ଅଞ୍ଚଳ ନିକଟରେ ଏକ କୁକୁଡ଼ା ଦୋକାନ ଚଳାଉଥିଲେ। ଦିନସାରା କାମ କରିବା ପରେ, ଯେତେବେଳେ ପ୍ରବୀଣ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ରାତି ପ୍ରାୟ ୯ଟା ସମୟରେ ବାଇକ୍ ଯୋଗେ କିଛି ଦୁର୍ବୃତ୍ତ ଆସି ଧାରୁଆ ଅସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ପରେ ପ୍ରବୀଣଙ୍କର ମୃତ୍ୟୁ ହୋଇଥିଲା।

କୁହାଯାଉଛି ଯେ ଜୁନ୍ ୨୯ରେ ପ୍ରବୀଣ ସୋସିଆଲ ମିଡିଆରେ ଦର୍ଜି କହ୍ନୈୟା ଲାଲଙ୍କ ହତ୍ୟାକୁ ବିରୋଧ କରି ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଏକ ଫଟୋ ମଧ୍ୟ ସେୟାର କରିଥିଲେ। ସେ ନିଜ ପୋଷ୍ଟରେ ଲେଖିଥିଲେ ଯେ ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ସମର୍ଥନ କରିବା ପାଇଁ ଜଣେ ଦର୍ଜିଙ୍କ ଗଳା କାଟି ହତ୍ୟା କରାଯାଇଛି ଏବଂ ଏହାର ଭିଡିଓ ମଧ୍ୟ ରେକର୍ଡ କରାଯାଇଛି। ପ୍ରବୀଣ କରିଥିବା ଏଭଳି ପୋଷ୍ଟ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଏବେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର