କର୍ଣ୍ଣାଟକ ସଙ୍କଟ, ବାଚସ୍ପତିଙ୍କୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ

ବିଧାୟକଙ୍କ ଇସ୍ତଫା ନେଇ ସ୍ଥିତାବସ୍ଥା ବଜାୟ ରହିବ, ଅଯୋଗ୍ୟ ଘୋଷଣା କରିପାରିବେନି

ନୂଆଦିଲ୍ଲୀ: କର୍ଣ୍ଣାଟକର କଂଗ୍ରେସ-ଜେଡିଏସ୍‌ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାବଦରେ ନିଷ୍ପତ୍ତି ନେବାକୁ ବାଚସ୍ପତି ରମେଶ କୁମାର ଅଧିକ ସମୟ ଲୋଡ଼ିଥିବାରୁ ତାଙ୍କୁ ସୁପ୍ରିମ୍‌ କୋର୍ଟ ମଂଗଳବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ମଂଗଳବାର ଦିନ ସୁପ୍ରିମ୍‌ କୋର୍ଟ ଏ ବାବଦରେ ପରବର୍ତ୍ତୀ ଶୁଣାଣି କରିବେ। ତେବେ ଏହି ସମୟ ମଧ୍ୟରେ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ବାଚସ୍ପତିଙ୍କୁ କହିଛନ୍ତି। ବାଚସ୍ପତି ଏବେ ଇସ୍ତଫା ବାବଦରେ ଯାଞ୍ଚ କରିପାରିବେ, କିନ୍ତୁ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ । କଂଗ୍ରେସ ଏବଂ ଜେଡିଏସ୍‌ ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କରିଛନ୍ତି। ଆଜି ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ। ବିଦ୍ରୋହୀ ବିଧାୟକମାନଙ୍କ ଓକିଲ ମୁକୁଲ ରୋହଗତି କହିଥିଲେ ଯେ ବାଚସ୍ପତି ଜାଣିଶୁଣି ଇସ୍ତଫା ସଂକ୍ରାନ୍ତରେ ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି । ଏହାର ଜବାବରେ ବାଚସ୍ପତି ରମେଶ କୁମାରଙ୍କ ଓକିଲ ଅଭିଷେକ ମନୁ ସିଂଘଭି କହିଥିଲେ ଯେ ଇସ୍ତଫା ଉପରେ କିଭଳି ନିଷ୍ପତ୍ତି ନିଆଯିବ ସେ ବାବଦରେ ବାଚସ୍ପତିଙ୍କର ସ୍ବତନ୍ତ୍ର ଅଧିକାର ରହିଛି। ବିଧାୟକମାନେ କେବଳ ଅଯୋଗ୍ୟ ଘୋଷଣା ହେବାରୁ ବର୍ତ୍ତିବା ପାଇଁ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି ବୋଲି ସେ କହିଥିଲେ।

ସିଂଘଭିଙ୍କ ଏହି ଯୁକ୍ତିରେ ପ୍ରଧାନ ବିଚାରପତି ରଂଜନ ଗୋଗଇ କଡ଼ା ମନ୍ତବ୍ୟ ଦେଇଥିଲେ। ବାଚସ୍ପତି ସୁପ୍ରିମ୍‌ କୋର୍ଟଙ୍କ ଅଧିକାର ପରିସରକୁ ଚ୍ୟାଲେଂଜ କରୁଛନ୍ତି କି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ। ଏହାର ଜବାବରେ ସିଂଘଭି କହିଥିଲେ ବାଚସ୍ପତି ଏକ ସାମ୍ବିଧାନିକ ପଦ ଏବଂ ସେ କିଭଳି ନିଷ୍ପତ୍ତି ନେବେ, ସେ ବାବଦରେ ତାଙ୍କର ବିଶେଷ ଅଧିକାର ରହିଛି । ତେବେ ବିଧାୟକଙ୍କ ଇସ୍ତଫାକୁ ନେଇ ବାଚସ୍ପତି ଅଯଥା ଜଟିଳ ସ୍ଥିତି ସୃଷ୍ଟି କରିଛନ୍ତି ଏବଂ ଏଥିରେ ବିଳମ୍ବ କରି ସେମାନଙ୍କୁ ସେ ଯେନତେନ ପ୍ରକାରେ ଅଯୋଗ୍ୟ ଘୋଷଣା କରିବାକୁ ପ୍ରୟାସ କରୁଛନ୍ତି ବୋଲି ରୋହତଗି କହିଥିଲେ। ବାଚସ୍ପତି ଯଦି ଇସ୍ତଫା ଗ୍ରହଣ କରିବେ ନାହିଁ ଏବଂ ସଂପୂର୍ଣ୍ଣ ପକ୍ଷପାତ ନୀତିରେ କାମ କରିବେ ତା’ହେଲେ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ନୋଟିସ ଜାରି କରାଯାଉ ବୋଲି ରୋହତଗି କହିଥିଲେ। ସୂଚନାଯୋଗ୍ୟ ଗତକାଲି ବିଦ୍ରୋହୀ ବିଧାୟକଙ୍କ ସୁପ୍ରିମ୍‌ କୋର୍ଟ ଯିବାକୁ ବାଚସ୍ପତି ସମାଲୋଚନା କରିବା ସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏ ବାବଦରେ ମଧ୍ୟ ରୋହତଗି ସୁପ୍ରିମ୍‌ କୋର୍ଟରେ ତଥ୍ୟ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର