କର୍ଣ୍ଣାଟକରେ ଘୋଡ଼ା ବେପାର!

ଦିଲ୍ଲୀ ଓ ମୁମ୍ବାଇରେ ଲୁଚିଛନ୍ତି କଂଗ୍ରେସ ବିଧାୟକ, ଦିଲ୍ଲୀରେ ୧୦୪ ବିଜେପି ବିଧାୟକ ଏକାଠି

ବେଙ୍ଗାଲୁରୁ : ପୁଣି ଚର୍ଚାରେ କର୍ଣ୍ଣାଟକ ରାଜନୀତି। ରାଜ୍ୟରେ ମେଣ୍ଟ କରି ସରକାର କରିଥିବା କଂଗ୍ରେସ ଏବଂ ଜେଡିଏସ୍ ସଂପର୍କ ତିକ୍ତ ହେଉଛି। ଏହାର ସୁଯୋଗେରେ ସେହି ମେଣ୍ଟର ବିଧାୟକଙ୍କୁ ନେଇ ବିଜେପି ସରକାର ଗଠନ କରିବାକୁ ଚକ୍ରାନ୍ତ କରୁଛି। ଉଭୟ କଂଗ୍ରେସ ଏବଂ ଜେଡିଏସ୍ ଏଭଳି ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଅଭିଯୋଗ ମୁତାବକ କଂଗ୍ରେସର ୫ ଜଣ ବିଧାୟକଙ୍କୁ ନେଇ ଦିଲ୍ଲୀ ଓ ମୁମ୍ବାଇର ହୋଟେଲରେ ରଖାଯାଇଛି। କେବଳ ଏତିକି ନୁହେଁ ବିଜେପି ମଧ୍ୟ ଏହାର ସମସ୍ତ ୧୦୪ ବିଧାୟକଙ୍କୁ ଲୁଚାଇ ରଖିଥିବାରୁ ରାଜ୍ୟ ରାଜନୀତିରେ ବିଦ୍ରୋହ ଚର୍ଚାକୁ ଖୋରାକ ଯୋଗାଇଛି।

ରାଜ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ମନ୍ତ୍ରୀ ଡିକେ ଶିବକୁମାର ପ୍ରଥମେ ଏହି ଅଭିଯୋଗ ଆଣିଥିଲେ। ଜେଡିଏସ୍ ନେତା ତଥା ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ପ୍ରଥମେ ଏହି ଭେିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ ପରେ କହିଛନ୍ତି ଯେ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ବ୍ୟାକୁଳ ହେଉଛି। ଏହି କାରଣରୁ ଉଭୟ କଂଗ୍ରେସ ଏବଂ ଜେଡିଏସ୍ ବିଧାୟକଙ୍କୁ କିଣିବା (ଘୋଡ଼ା ବେପାର) ଲାଗି ଉଦ୍ୟମ ଚଳାଇଛି। କିନ୍ତୁ ଏହି ଉଦ୍ୟମକୁ ବିଫଳ କରି ଦିଆଯିବ।

କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ କଂଗ୍ରେସ-ଜେଡିଏସ୍‌ ସରକାରର ପତନ ପାଇଁ ବିଜେପି ‘ଅପରେସନ କମଲ’ ଜାରି ରଖିଛି। କଂଗ୍ରେସର ୫ ଜଣ ବିଧାୟକଙ୍କୁ ମୁମ୍ବାଇ ଓ ଦିଲ୍ଲୀରେ ରଖାଯାଇଛି। ଏହି ୫ ଜଣ ବିଧାୟକଙ୍କ ମାଧ୍ୟମରେ ବିଜେପି ୧୩ ଜଣ କଂଗ୍ରେସ ବିଧାୟକଙ୍କୁ ନିଜ ପକ୍ଷକୁ ନେବାପାଇଁ ଜୋର୍‌ସୋରରେ ଉଦ୍ୟମ ଚଳାଇଛି। ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା ମଧ୍ୟ ଚୂଡ଼ାନ୍ତ ହେଉଛି ବୋଲି କଂଗ୍ରେସର ଅନ୍ୟ କେତେକ ବିଧାୟକ ଆଜି ବୟାନ ଦେବାପରେ ମାମଲା ଅଧିକ ନାଟକୀୟ ହୋଇଉଠିଛି।

ଅନ୍ୟପକ୍ଷରେ ବିଜେପି ନେତା ୟେଦୁରପ୍ପା ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ‌ କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ସଂପର୍କ ତିକ୍ତ ହେଉଛି। ଯେକୌଣସି ମୁହୂର୍ତରେ ମେଣ୍ଟ ଭାଙ୍ଗିଯାଇପାରେ। ତେଣୁ ସେମାନେ ବିଜେପି ଉପରେ ଆଖି ପକାଇଛନ୍ତି। ବିଜେପିରେ ବିଭାଜନ ଲାଗି ଉଦ୍ୟମ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ କେତେକ ବିଜେପି ବିଧାୟକଙ୍କ ସହ କଥା ହୋଇଛନ୍ତି ଏବଂ ସେମାନଙ୍କୁ ମନ୍ତ୍ରୀ ପଦ ମଧ୍ୟ ଯାଚିଛନ୍ତି। ଆମେ ସମସ୍ତ ବିଧାୟକଙ୍କୁ ଦିଲ୍ଲୀରେ ଏକାଠି ରଖିଛୁ। ସେ ଆହୁରି କହିଲେ ଯେ ବର୍ତମାନ ତାଙ୍କ ପାର୍ଟିର ଫୋକ‌ସରେ ରହିଛି ଲୋକସଭା ନିର୍ବାଚନ। ଏହି ରଣନୀତି ଉପରେ ବିଚାରବିମର୍ଶ ଲାଗି ସମସ୍ତ ବିଜେପି ବିଧାୟକଙ୍କୁ ଦିଲ୍ଲୀରେ ଦୁଇ ତିନି ଦିନ ଲାଗି ରଖାଯିବ। ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ ଭୟଙ୍କର କନ୍ଦଳରେ ଘାଣ୍ଟି ହେଉଥିବା କଂଗ୍ରେସ-ଜେଡିଏସ୍‌ ସରକାର ଏବେ ଲୋକଙ୍କ ରୋଷର ଶିକାର ହୋଇଛି। ଜନସାଧାରଣ ଏହି ସରକାର ଉପରୁ ଆସ୍ଥା ହରାଇଛନ୍ତି ବୋଲି ୟେଦୁୁରପ୍ପା କହିଛନ୍ତି।

କଂଗ୍ରେସ ଏବଂ ଜେଡିଏସ୍‌ ମଧ୍ୟରେ ସଂପର୍କ ତିକ୍ତ ହେଉଥିବାରୁ ଯେ କୌଣସି ମୁହୂର୍ତ୍ତରେ ବିଦ୍ରୋହ ସମ୍ଭାବନା ରହିଛି। ନିକଟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ କଂଗ୍ରେସରେ କନ୍ଦଳ ବଢ଼ିଥିଲା ଏବଂ ୧୦ ଜଣ ବିଧାୟକ ଖୋଲାଖୋଲି ଅସନ୍ତୋଷ ଜାହିର କରିଥିଲେ।

ସୂଚନାଯୋଗ୍ୟ ଯେ ଗତବର୍ଷ ଅନୁଷ୍ଠିତ ୨୨୪ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ୧୦୪ ଆସନ ପାଇଥିବା ବେଳେ କଂଗ୍ରେସ ୮୦ ଏବଂ ‌େଜଡିଏସ୍ ୩୭ଟି ଆସନରେ ବି‌ଜୟୀ ହୋଇଥିଲେ। ତେବେ କଂଗ୍ରେସ ଏବଂ ଜେଡିଏସ୍ ମେଣ୍ଟ (୧୧୭) କରି ସରକାର ଗଠନ କରିଛନ୍ତି।

ସମ୍ବନ୍ଧିତ ଖବର