ମଧ୍ୟରାତ୍ରିର ଫୋନ୍ କଲ୍ ବଦଳାଇଦେଲା କର୍ଣ୍ଣାଟକର ରାଜନୈତିକ ଦୃଶ୍ୟପଟ

ବେଙ୍ଗଲୁରୁ : ମଧ୍ୟରାତ୍ରିର ଫୋନ୍ କଲ୍ ବଦଳାଇଦେଲା କର୍ଣ୍ଣାଟକର ରାଜନୈତିକ ଦୃଶ୍ୟପଟ। ବିଧାନସଭାରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ସଂଖ୍ୟାଗରିଷ୍ଠତା ପ୍ରମାଣ କରିନଥିବାରୁ ଭାଙ୍ଗିଯାଇଥିଲା ସରକାର। ଆଉ ଏହାପରେ କର୍ଣ୍ଣାଟକରେ ବିଜେପିର ପରବର୍ତି ପଦକ୍ଷେପ କଣ ରହିବ ସେଥିପାଇଁ କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତିକୁ ଅପେକ୍ଷା କରିରହିଥିଲା ଦଳ। କର୍ଣ୍ଣାଟକର ବରିଷ୍ଠ ନେତା ଦିଲ୍ଲୀ ପହଂଚି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ତୁହାକୁ ତୁହା ଆଲୋଚନା ବି କରିଥିଲେ।

ANI News

କର୍ଣ୍ଣାଟକ ନାଟକ ମଝିରେ ଗୁରୁବାର ରାତି ଠିକ୍ ୧୧ଟା ୪୫ମିନିଟରେ ୟେଦୁରପ୍ପାଙ୍କ ନିକଟକୁ ଆସିଥିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଫୋନ୍ କଲ୍ ଏବଂ କର୍ଣ୍ଣାଟକରେ ସରକାର ଗଠନ ପାଇଁ ମିଳିଯାଇଥିଲା ଗ୍ରୀନ୍ ସିଗନାଲ। କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ମୁତାବକ ଶୁକ୍ରବାର ଦିନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ ଏବଂ ସଂଧ୍ୟା ହେଉ ହେଉ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ନିଜର ଚତୁର୍ଥ ପାଳି ଆରମ୍ଭ କରିଥିଲେ ବିଜେପିର ଏହି ବରିଷ୍ଠ ନେତା।

ୟେଦୁରପ୍ପାଙ୍କୁ ଶାହା ତରବରିଆ ଭାବେ କୌଣସି ଘୋଷଣା ନକରି ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ସେପଟେ ସକାଳ ହେଉ ହେଉ ୟେଦୁରପ୍ପାଙ୍କ ନିକଟକୁ ଆସିଥିଲା ଜେପି ନଡ୍ଡାଙ୍କ ଫୋନ୍ କଲ୍। ସରକାର ଗଠନ ନେଇ ୟେଦି କେତେ ସୁନିଶ୍ଚିବ ବୋଲି ପଚାରିଥିଲେ ନଡ୍ଡା ଏବଂ ନିଜ ଦାୟିତ୍ୱରେ ସେ ସରକାର ଗଠନ କରିବେ ବୋଲି ନଡ୍ଡାଙ୍କୁ ଆଶ୍ୱସ୍ତି ଦେଇଥିଲେ ବିଜେପିର ଏହି ବରିଷ୍ଠ ନେତା।

The Indian Express

ପ୍ରଧାନମନ୍ତ୍ରୀଙ୍କ ସହ ବିଚାର ବିମର୍ଷ ପରେ କର୍ଣ୍ଣାଟକରେ ସରକାର ଗଠନ ପ୍ରକ୍ରୀୟାକୁ ତ୍ୱରାନ୍ୱିତ କରିଥିଲା ବିଜେପି। ମୋଦିଙ୍କ ସହ ଆଲୋଚନା ପରେ ଶାହା ଓ ନଡ୍ଡା କର୍ଣ୍ଣାଟକରେ ସରକାର ଗଠନ ପାଇଁ ଗ୍ରୀନ ସିଗନାଲ ଦେଇଥିଲେ। ତେବେ କେବଳ ମୁଖ୍ୟମନ୍ତ୍ରୀ ଭାବେ ଏହି ଲିଙ୍ଗାୟତ ନେତାଙ୍କ ଶପଥ ଗ୍ରହଣ ହେବ ଏବଂ ୨୯ତାରିଖରେ ନୂଆ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପରେ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ହେବ ବୋଲି ନିଷ୍ପତି ନିଆଯାଇଥିଲା।

ସମ୍ବନ୍ଧିତ ଖବର