କର୍ଣ୍ଣାଟକ ସଙ୍କଟ, ଆଜି ଆସ୍ଥା ଭୋଟ୍‌ ପାଇଁ ବାଚସ୍ପତିଙ୍କ ଘୋଷଣା

ମତେ ବଳିର ବୋଦା କରନ୍ତୁ ନାହିଁ: ବାଚସ୍ପତି, ଇସ୍ତଫା ଦେଇପାରନ୍ତି କୁମାରସ୍ବାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଗତ କିଛି ଦିନ ଧରି ଚାଲିଥିବା ରାଜନୈତିକ ସଙ୍କଟ ଏବେ ଚରମରେ ପହଞ୍ଚିଛି। ବିଧାନସଭାରେ ଆସ୍ଥା ପ୍ରସ୍ତାବ ଉପରେ ଚାଲିଥିବା ବିତର୍କ ଆସନ୍ତାକାଲି ‌ଶେଷ ହେବ ଏବଂ ସନ୍ଧ୍ୟା ୬ଟାରେ ଭୋଟ୍‌ ଗ୍ରହଣ କରାଯିବ ବୋଲି ବାଚସ୍ପତି ଗୃହରେ ଘୋଷଣା କରିଛନ୍ତି। ବିତର୍କ ପାଇଁ ଅନାବଶ୍ୟକ ଭାବେ ସମୟ ଦିଆଯାଉଥିବା ଏବଂ ଷଡ଼ଯନ୍ତ୍ର କରି ଗୃହକୁ ନିଲମ୍ବିତ ରଖାଯାଉଥିବା ଅଭିଯୋଗ କରି ଆଜି ବିଜେପି ବିଧାୟକମାନେ ଏହାର ଜୋର୍‌ଦାର ବିରୋଧ କରିଥିଲେ। ଗୁରୁବାର ଏବଂ ଶୁକ୍ରବାର ଦିନ ଗୃହରେ ଆସ୍ଥା ପ୍ରସ୍ତାବ ଉପରେ ବିତର୍କ ହୋଇଥିଲେ ମଧ୍ୟ ଭୋଟ୍‌ ଗ୍ରହଣ କାହିଁକି କରାଗଲା ନାହିଁ ବୋଲି ବିଜେପି ନେତା ବି.ଏସ୍‌. ୟେଦୁରପ୍ପା ପ୍ରଶ୍ନ କରିଥିଲେ। ପରିସ୍ଥିତି ଜଟିଳ ହେଉଥିବା ଦେଖି ଆଜି ହିଁ ଏହି ପ୍ରକ୍ରିୟା ଶେଷ କରାଯିବ ବୋଲି ବାଚସ୍ପତି ଘୋଷଣା କରିଥିଲେ। ତେବେ ପରେ ସେ ତାଙ୍କ ମତ ବଦଳାଇ ମଂଗଳବାର ଭୋଟ୍‌ ଗ୍ରହଣ ହେବ ବୋଲି କହିଥିଲେ। ଏହା ସହିତ ଶାସକ ଦଳ ତାଙ୍କୁ ବଳିର ବୋଦା ନ କରିବା ପାଇଁ ବାଚସ୍ପତି କହିଥିଲେ। ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଭୋଟ୍‌ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି । ସରକାରକୁ ବଞ୍ଚାଇ ରଖିବା ପାଇଁ ସମସ୍ତ ପ୍ରୟାସ ବିଫଳ ହେଉଥିବାରୁ କୁମାରସ୍ବାମୀ ଏଭଳି ସ୍ଥିତିରେ ଇସ୍ତଫା ଦେବାକୁ ଅଧିକ ପସନ୍ଦ କରିବେ ବୋଲି କୁହାଯାଉଛି। ଆସ୍ଥା ଭୋଟ୍‌ ଉପରେ ୨୪ ଜୁଲାଇରେ ଭୋଟ୍‌ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଆଜି ହିଁ ଫଏସଲା ହେବ ବୋଲି କହିଥିଲେ। ବାଚସ୍ପତି କହିଥିଲେ ଯେ ସୁପ୍ରିମ୍‌ କୋର୍ଟଙ୍କ ରାୟ ବୁଝିବାରେ ବିଳମ୍ବ ହେବାରୁ ଏହି ପ୍ରକ୍ରିୟା ଲମ୍ବିଥିଲା ଏବଂ ଏବେ ଆଉ ଅଧିକ ସମୟ ଦିଆଯିବ ନାହିଁ।

ଆଜି ବାଚସ୍ପତି ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ଜବାବ ମାଗିଛନ୍ତି। ବିଧାନସଭାରେ ସେମାନଙ୍କ ସଦସ୍ୟତା କାହିଁକି ରଦ୍ଦ କରାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଆଜି ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ବିଜେପି ବିଧାୟକମାନେ ଭେଟି ଆସ୍ଥା ପ୍ରସ୍ତାବଜନିତ ସମସ୍ୟା ଉପରେ ଆଲୋଚନା କରିଥିଲେ। ଆଜି ଅପରାହ୍ନରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ କିଛି ସମୟ ପାଇଁ ମୁଲତବୀ ରଖାଯାଇଥିଲେ ମଧ୍ୟ ବିଜେପି ବିଧାୟକମାନେ ଗୃହରୁ ବାହାରକୁ ଯାଇନଥିଲେ। ଆସ୍ଥା ଭୋଟ ତୁରନ୍ତ କରିବା ପାଇଁ ଦୁଇ ଜଣ ସ୍ବାଧୀନ ବିଧାୟକ ସୁପ୍ରିମ କୋର୍ଟରେ ଯେଉଁ ମାମଲା ରୁଜୁ କରିଛନ୍ତି ତାହାକୁ କୋର୍ଟ ତୁରନ୍ତ ଶୁଣାଣି ପାଇଁ ଗ୍ରହଣ ନକରି ବାଚସ୍ପତି ନିଷ୍ପତ୍ତି ଉପରେ ମାମଲାକୁ ଛାଡ଼ି ଦେଇଛନ୍ତି। ୨୨୪ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସ ଓ ଜେଡିଏସ ମେଣ୍ଟର ମୋଟ ୧୧୭ ଜଣ ବିଧାୟକ ଥିଲେ। ସୁପ୍ରିମ୍‌ କୋର୍ଟ ଯାଇଥିବା ୧୫ ବିଧାୟକଙ୍କ ଇସ୍ତଫା ଯଦି ଗୃହୀତ ହୁଏ ତାହେଲେ ସରକାରଙ୍କ ନିକଟରେ ୧୦୧ ବିଧାୟକ ରହିବେ। ଅନ୍ୟପକ୍ଷରେ ଦୁଇ ସ୍ବାଧୀନ ବିଧାୟକଙ୍କ ସମର୍ଥନ ମି‌ଳିଲେ ବିଜେପିର ସଂଖ୍ୟା ୧୦୭ରେ ପହଞ୍ଚିବ। ‌ଏଭଳି ସ୍ଥିତିରେ ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ମ୍ୟାଜିକ ସଂଖ୍ୟା ହେଉଛି ୧୦୫ ।

ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ହେବା ପାଇଁ ଜେଡିଏସ୍‌ର ପ୍ରସ୍ତାବ
ବେଙ୍ଗାଲୁରୁ : କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ସଙ୍କଟ ନେଇ ପ୍ରତିଦିନ କିଛି ନା’ କିଛି ରୋଚକ ଘଟଣା ଘଟୁଛି। ଏବେ ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟାଙ୍କୁ ମୁଖ୍ୟମନ୍ତ୍ରୀ ହେବାପାଇଁ ଜେଡିଏସ୍‌ ନେତାମାନେ ପ୍ରସ୍ତାବ ଦେଇଥିବା କୁହାଯାଉଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଗୁଜବ ଏବଂ ଭିତ୍ତିହୀନ ବୋଲି ରାଜ୍ୟ କଂଗ୍ରେସ ମତ ଦେବା ସହ ଏଭଳି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି।

ସମ୍ବନ୍ଧିତ ଖବର