କୋଭିଡ କଟକଣା କୋହଳ କଲେ କର୍ଣ୍ଣାଟକ ସରକାର, ସୋମବାରଠାରୁ ଖୋଲିବ ସ୍କୁଲ, ଉଠିବ ରାତ୍ରି କର୍ଫ୍ୟୁ

ନୂଆଦିଲ୍ଲୀ : କର୍ଣ୍ଣାଟକରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାର କେତେକ କଟକଣାକୁ କୋହଳ କରିଛନ୍ତି । ଆସନ୍ତା ସୋମବାରଠାରୁ ରାତ୍ରି କର୍ଫ୍ୟୁକୁ ହଟାଇବା ସହ ସ୍କୁଲ ଖୋଲିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

କର୍ଣ୍ଣାଟକର ମନ୍ତ୍ରୀ ବି.ସି.ନାଗେଶ କହିଛନ୍ତି ଯେ ବିବାହ ପାଇଁ ସର୍ବାଧିକ ଲୋକ ସଂଖ୍ୟାରେ ବୃଦ୍ଧି କରାଯାଇଛି । ଇନଡୋର ହଲରେ ସର୍ବାଧିକ ୨୦୦ ଜଣ ଓ ଆଉଟଡୋର (ଖୋଲା ସ୍ଥାନ)ରେ ୩୦୦ ଲୋକଙ୍କୁ ଅନୁମତି ଦିଆଯିବ । ସବୁ କ୍ଷେତ୍ରରେ କୋଭିଡ୍ ଏସଓପିକୁ କଡ଼ାକଡି ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ବାର ଓ ହୋଟେଲଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଥିବାବେଳେ ଜିମଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିପାରିବ । ସ୍ବିମିଂ ପୁଲ, ସ୍ପୋର୍ଟ କଂପ୍ଲେକ୍ସ ଓ ଷ୍ଟାଡିୟମଗୁଡ଼ିକୁ ମଧ୍ୟ ୫୦ ପ୍ରତିଶତ କ୍ଷମତାରେ ଚାଲିବାକୁ ଅନୁମତି ଦିଆଯାଇଛି । ସରକାରୀ ଅଫିସଗୁଡ଼ିକ ସଂପୂର୍ଣ୍ଣ ଉପସ୍ଥାନ ସହ ଚାଲିପାରିବ । ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକୁ ଶ୍ରଦ୍ଧାଳୁମାନେ ଯାଇପାରିବେ । ତେବେ ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ, ବିକ୍ଷୋଭ ଆଦିକୁ ଅନୁମତି ଦିଆଯିବ ନାହିଁ ।

ଅନ୍ୟପକ୍ଷରେ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ର, କୋରଳ ଓ ଗୋଆରୁ ଆସୁଥିବା ଯାତ୍ରୀମାନଙ୍କ ବାଧ୍ୟତାମୂଳକ ଆରଟିପିସିଆର ପରୀକ୍ଷା କରାଯିବ ।

ରାଜ୍ୟରେ ସଂକ୍ରମଣ ବଢିବା ସହ ଗତ ଜାନୁଆରି ୪ରୁ ରାଜ୍ୟରେ କଟକଣାକୁ କଡ଼ାକଡ଼ି କରାଯାଇଥିଲା । ତେବେ ରାଜ୍ୟରେ ଦୈନିକ ସଂକ୍ରମଣ କମିଥିଲେ ବି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ରହିଛି ।

ସମ୍ବନ୍ଧିତ ଖବର