ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ାଙ୍କ ନାତି ତଥା ହାସନର ପୂର୍ବତନ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କୁ ଶନିବାର ଦୁଷ୍କର୍ମ ଅଭିଯୋଗରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରେବନ୍ନାଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ବି ଲଗାଯାଇଛି। ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି କୋର୍ଟ କହିଛନ୍ତି। ରେବନ୍ନା କୋର୍ଟରେ କାନ୍ଦି କାନ୍ଦି କମ୍ ଦଣ୍ଡ ପାଇଁ ନିବେଦନ କରିଥିଲେ।

Advertisment

ଜଣେ ୪୭ ବର୍ଷୀୟା ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶୁକ୍ରବାର ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ରେବନ୍ନା ଦୁଷ୍କର୍ମ, ଯୌନ ନିର୍ଯାତନା, ସାକ୍ଷ୍ୟ-ପ୍ରମାଣ ନଷ୍ଟ କରିବା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଅନୁଯାୟୀ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ ଗିରଫ ହେବାର ପ୍ରାୟ ୧୪ ମାସ ପରେ ଏବଂ ଶୁଣାଣି ଆରମ୍ଭ ହେବାର ୮ ସପ୍ତାହ ମଧ୍ୟରେ ବିଚାରପତି ସନ୍ତୋଷ ଗଜାନନ ଭଟ୍ଟ ଏହି ରାୟ ଶୁଣାଇଛନ୍ତି। ୨୦୨୪ରେ ରେବନ୍ନାଙ୍କ ନିର୍ବାଚନମଣ୍ଡଳୀରେ ଅଶ୍ଳୀଳ ଭିଡିଓ ଥିବା ଶତାଧିକ ପେନ୍ ଡ୍ରାଇଭ୍ ପ୍ରସାରିତ ହେବାର କିଛି ସମୟ ପରେ ସେ  ଜର୍ମାନୀ ପଳାଇଥିଲେ। ନିର୍ବାଚନ ପରେ ସେ ଭାରତ ଫେରିଥିଲେ ଏବଂ ମେ ୩୧ରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ତାଙ୍କୁ ଗିରଫ କରାଯାଇଥିଲା। ଏପ୍ରିଲ ମାସରେ ମହୀଶୂର ନିକଟସ୍ଥ ଏକ ଫାର୍ମହାଉସରୁ ଉଦ୍ଧାର ହେବା ପରେ ବର୍ତ୍ତମାନର ମାମଲାର କେନ୍ଦ୍ରରେ ଥିବା ମହିଳା ଜଣକ ପୁଲିସରେ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ରେବନ୍ନାଙ୍କ ବିରୋଧରେ ଅଭିଯୋଗ ରୋକିବା ପାଇଁ ତାଙ୍କୁ ତାଙ୍କ ପରିବାରର ନିର୍ଦ୍ଦେଶରେ ଅପହରଣ କରାଯାଇଥିଲା। ୪୦ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ୧୮୦୦ ପୃଷ୍ଠାର ରିପୋର୍ଟ ଦାଖଲ କରିଛନ୍ତି। ୩୮ଟି ଶୁଣାଣିରେ ୨୬ ଜଣ ସାକ୍ଷୀଙ୍କୁ ଜେରା କରାଯାଇଥିବା ବେଳେ ୧୮୦ଟି ଦସ୍ତାବିଜ୍‌ ଯାଞ୍ଚ କରାଯାଇଥିଲା। ତିନି ଥର ସାଂସଦ ହୋଇଥିବା ରେବନ୍ନା ଏବେ ବି ଅନ୍ୟ ତିନୋଟି ମାମଲାରେ ବିଚାରର ସମ୍ମୁଖୀନ ହେଉଛନ୍ତି।