କର୍ଣ୍ଣାଟକ ନାଟକର ଶେଷ ଅଙ୍କ : ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ

୪ ବର୍ଷ ନିର୍ବାଚନ ଲଢ଼ିପାରିବେ ନାହିଁ ଅଯୋଗ୍ୟ ବିଧାୟକ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ନାଟକର ଶେଷ ଅଙ୍କ ଅଭିନୀତ ହେବାକୁ ଯାଉଛି। ଆଜି ବିଧାନସଭା ବାଚସ୍ପତି କେ.ଆର୍‌. ରମେଶ କୁମାର କଂଗ୍ରେସ ଏବଂ ଜେଡିଏସ୍‌ର ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାରୁ ଏହି ସଙ୍କଟ ଏକ ନୂଆ ମୋଡ଼ ନେଇଛି। ଏହା ପୂର୍ବରୁ ବାଚସ୍ପତି ୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ତେଣୁ ଆସନ୍ତାକାଲି ବିଧାନସଭାରେ ବିଜେପିର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରାପ୍ପାଙ୍କ ଶକ୍ତିପରୀକ୍ଷା ପୂର୍ବରୁ ୧୪ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କର୍ଣ୍ଣାଟକ ରାଜନୀତିକୁ ଆହୁରି ସରଗରମ କରିଦେଇଛି। ଅନ୍ୟପକ୍ଷରେ ଅଯୋଗ୍ୟ ଘୋଷିତ ହୋଇଥିବା ସମସ୍ତ ବିଧାୟକ ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌ କୋର୍ଟର ଦ୍ବାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ-ଜେଡିଏସ୍‌ର ୧୬ ଜଣ ବିଧାୟକ ନିଜ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରି ଇସ୍ତଫା ଦେଇଥିଲେ ଏବଂ ଆଉ ଜଣେ ସ୍ବାଧୀନ ବିଧାୟକ ସରକାରଙ୍କୁ ସମର୍ଥନ କରି ଇସ୍ତଫା ଦେଇଥିଲେ। ଏହାପରେ ଏଚ୍‌ଡି କୁମାରସ୍ବାମୀଙ୍କ ସରକାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିଲେ। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୟେଦୁରପ୍ପା ଶପଥ ନେଇଥିଲେ। ଆସନ୍ତାକାଲି ବିଧାନସଭାରେ ୟେଦୁରପ୍ପା ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ। ତେବେ ବାଚସ୍ପତି ମୋଟ ୧୭ ବିଧାୟକଙ୍କୁ ୨ଟି ପର୍ଯ୍ୟାୟରେ ଅଯୋଗ୍ୟ ଘୋଷଣା କରିବା ପରେ ଏବେ ଗୃହରେ ସଦସ୍ୟ ସଂଖ୍ୟା ୨୦୭ ରହିଯାଇଛି । ଏଭଳି ସ୍ଥିତିରେ ୟେଦୁରପ୍ପାଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାପାଇଁ ୧୦୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏବେ ବିଜେପିର ବିଧାୟକ ସଂଖ୍ୟା ୧୦୫ ଥିବା ବେଳେ ଆଉ ଜଣେ ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। ତେଣୁ ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତି ପରୋକ୍ଷରେ ‌େୟଦୁରାପ୍ପାଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା କ୍ଷେତ୍ରରେ ସହାୟକ ହେବ ବୋଲି ବିଚାର କରାଯାଉଛି।

୪ ବର୍ଷ ନିର୍ବାଚନ ଲଢ଼ିପାରିବେ ନାହିଁ ଅଯୋଗ୍ୟ ବିଧାୟକ

ବାଚସ୍ପତି ଆଜି ଯେଉଁ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ସେମାନେ ହେଲେ ଆନନ୍ଦ ସିଂହ, ଏଚ୍‌ ବିଶ୍ବନାଥ, ଏସ୍‌ଟି ସୋମ୍‌ଶେଖର, ନାରାୟଣ ଗୌଡ଼ା, କେ ଗୋପାଲେୟା, ପ୍ରତାପ ଗୌଡ଼ା ପାଟିଲ, ଶିବରାମ ହୈବର୍, ସି ସି ପାଟିଲ, ବି. ବାସବାରାଜ, କେ. ସୁଧାକରନ, ଏମ୍‌ଟିବି ନାଗରାଜ, ଶ୍ରୀମନ୍ତ ପାଟିଲ ଏବଂ ମୁନ୍ନିରତ୍ନା । ଏହା ପୂର୍ବରୁ ବାଚସ୍ପତି ଗୁରୁବାର ୩ ବିଦ୍ରୋହୀ ବିଧାୟକଙ୍କୁ ବର୍ତ୍ତମାନର ବିଧାନସଭା କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷଣା କରିଥିଲେ। ଚଳିତ ବିଧାନସଭାର କାର୍ଯ୍ୟକାଳ ୨୦୨୩ ପର୍ଯ୍ୟନ୍ତ ରହିଛି। ସେ ପର୍ଯ୍ୟନ୍ତ ଅର୍ଥାତ ଆଗାମୀ ୪ ବର୍ଷ ଯାଏ ଅଯୋଗ୍ୟ ଘୋଷିତ ବିଧାୟକମାନେ କୌଣସି ଉପନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ।

ବିଦାୟୀ ବାଚସ୍ପତି ରମେଶ କୁମାର କହିଛନ୍ତି ଯେ ଦଳ ବଦଳ ବିରୋଧୀ ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷଣା କରାଯାଇଥିବା ସଦସ୍ୟମାନେ ନିର୍ବାଚନ ଲଢ଼ିପାରିବେ ନାହିଁ କି ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇପାରିବେ ନାହିଁ। ବିଧାୟକମାନେ ଠିକ୍‌ ଢଙ୍ଗରେ ଇସ୍ତଫା ଦେଇନଥିଲେ, ତେଣୁ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇନାହିଁ ଏବଂ ଦଳ ବଦଳ ଆଇନ ଆଧାରରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର