ଅଦାଲତଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦର୍ଶାଇ ହିଜାବ୍‌ ପରିହିତ ଛାତ୍ରୀଙ୍କୁ ଫେରାଇ ଦେ‌ଲା କର୍ଣ୍ଣାଟକ କଲେଜ

ବିଜୟପୁର: ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଧାର୍ମିକ ବସ୍ତ୍ର ପରିଧାନ ସଂକ୍ରାନ୍ତରେ କର୍ଣ୍ଣାଟକ ହାଇକୋର୍ଟ ଯୁକ୍ତି ଶୁଣୁଥିବା ଶ୍ରେଣୀଗୃହରେ ହିଜାବ୍‌ ପିନ୍ଧି ବସିବାକୁ ଜିଦ୍‌ ଧରିଥିବା ଛାତ୍ରୀମାନଙ୍କୁ ବାହାର କରି କର୍ଣ୍ଣାଟକ ରାଜ୍ୟର ଆଉ ଏକ ସରକାରୀ ମହାବିଦ୍ୟାଳୟ ପ୍ରତିବାଦସ୍ଥଳ ପାଲଟିଯାଇଛି।

ପୂର୍ବରୁ ହିଜାବ୍‌ ପିନ୍ଧିବାକୁ ଅନୁମତି ଦେଇଥିବା ଉତ୍ତର କର୍ଣ୍ଣାଟକସ୍ଥିତ ବିଜୟପୁରରେ ଥିବା ସରକାରୀ କଲେଜ ଆଜି ହିଜାବ୍‌ ପରିହିତା ଛାତ୍ରୀମାନଙ୍କୁ ଶ୍ରେଣୀ ଗୃହରେ ପ୍ରବେଶ କରିବା ଲାଗି ଅନୁମତି ଦେଲେନାହିଁ। ଅଦାଲତଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପାଳନ କରାଯାଉଛି କଲେଜ ପ୍ରଶାସନ ଯୁକ୍ତି ବାଢ଼ିଥିଲେ। ଶ୍ରେଣୀ ଗୃହ ମଧ୍ୟକୁ କୌଣସି ଧାର୍ମିକ ପରିଧାନ ଧାରଣ କରି ପ୍ରବେଶ ନ କରିବା ସର୍ତ୍ତ ରଖି ଅଦାଲତ ବନ୍ଦ ଥିବା ସ୍କୁଲ୍‌ ଓ କଲେଜ ଖୋଲିବାକୁ ଅନୁମତି ଦେଇଥିଲେ।

Image Courtesy of Free Press Journal

କିନ୍ତୁ, ହିଜାବ ପିନ୍ଧି ଶ୍ରେଣୀ ଗୃହକୁ ଯାଇ ହେବନାହିଁ ବୋଲି କଲେଜ୍‌ ସେମାନଙ୍କୁ ସୂଚନା ଦେଇ ନ ଥିବା କଥା ଛାତ୍ରୀମାନେ କହିଛନ୍ତି। ଘଟଣାସ୍ଥଳରୁ ଉତ୍ତୋଳିତ କେତେକ ଭିଡିଓରେ ଦେଖାଯାଉଛି, ହିଜାବ୍‌ ପିନ୍ଧି ଶ୍ରେଣୀଗୃହକୁ ପଶିଯାଇଥିବା କ‌େତେକ ଛାତ୍ରୀ ଶିକ୍ଷକ ଓ ପ୍ରିନ୍‌ସିପାଲ୍‌ଙ୍କ ସହ ଯୁକ୍ତି କରୁଛନ୍ତି। କଲେଜ୍‌ ପ୍ରିନ୍ସିପାଲ୍‌ ତାଙ୍କୁ ଅଦାଲତଙ୍କ ଆଦେଶ ମାନିବାକୁ ଅନୁରୋଧ କରୁଛନ୍ତି।

ପୂର୍ବରୁ ପ୍ରିନ୍‌ସିପାଲ୍‌ କଲେଜ ଫାଟକ ପାଖରେ ହିଜାବ୍‌ ପରିହିତା ଛାତ୍ରୀଙ୍କୁ ଅଟକାଇ ଥିଲେ ମଧ୍ୟ ସେମାନେ ବଳପୂର୍ବକୁ ‌କଲେଜ ପରିସର ମଧ୍ୟରେ ପ୍ରବେଶ କରିବା ସହ ‘ଆମେ ବିଚାର ଚାହୁଁ’ ସ୍ଲୋଗାନ୍‌ ଦେଇ ସେଠାରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ସେଠାକୁ ‌କିଛି ମହିଳା ପୁଲିସ କର୍ମଚାରୀଙ୍କୁ ଡକାଯାଇଥିଲା।

ସ୍ବଳ୍ପ ସମୟ ଯୁକ୍ତତର୍କ ପରେ ହିଜାବ୍‌ ଏବଂ ବୁର୍ଖା ଓହ୍ଲାଇ‌ ଶ୍ରେଣୀଗୃହକୁ ‌ପ୍ରବେଶ କରିବା ଲାଗି ଛାତ୍ରୀମାନଙ୍କୁ ପୃଥକ୍‌ ସ୍ଥାନଟିଏ ଯୋଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର