କର୍ଣ୍ଣାଟକ ମନ୍ଦିର ଭଙ୍ଗାକୁ ନେଇ ରାଜନୈତିକ ଝଡ଼

ମହୀଶୂର: କିଛିମାସ ତଳେ କର୍ଣ୍ଣାଟକର ନଞ୍ଜାନଗୁଡ଼ା ତାଲୁକ ଅନ୍ତର୍ଗତ ହଚାଗାନି କୋଭିଡ୍‌-ମୁକ୍ତ ଗାଁ ଭାବେ ଦେଶ ସାରା ଚର୍ଚ୍ଚିତ ହୋଇଥିଲା। କିନ୍ତୁ ଗତ ୧୦ ଦିନ ହେଲା ମହୀଶୂରଠାରୁ ୩୫ କିମି ଦୂରରେ ଅବସ୍ଥିତ ଏହି ନିପଟ ଗାଁର ଏକ ମନ୍ଦିରକୁ ଭାଙ୍ଗିଦିଆଯିବା ଯୋଗୁ ‘ମନ୍ଦିର ରାଜନୀତି’କୁ ନେଇ ଏହା ଚର୍ଚ୍ଚାରେ ରହିଛି। ସେପ୍ଟେମ୍ବର ୮ ତାରିଖ ଭୋର ବେଳା ତାଲୁକ ପ୍ରଶାସନ ସ୍ଥାନୀୟ ପୁଲିସ ସହାୟତାରେ ବୁଲ୍‌ଡୋଜର ଆଣି ଗାଁର ଶ୍ରୀଆଦିଶକ୍ତି ମହାଦେବାମ୍ମା ମନ୍ଦିରକୁ ଭାଙ୍ଗିଦେଇଥିଲା। ମୁଖ୍ୟ ଶାସନ ସଚିବ ପି. ରବିକୁମାରଙ୍କ ଜୁଲାଇ ୧, ୨୦୨୧ର ଆଦେଶନାମା ଅନୁଯାୟୀ ଏହି ମନ୍ଦିର ଭଙ୍ଗାଯାଇଥିଲା। ପ୍ରତି ତାଲୁକରେ ଥିବା ବେଆଇନ ଧାର୍ମିକ ଅନୁଷ୍ଠାନ ଓ ମନ୍ଦିର ଆଦିକୁ ଭାଙ୍ଗିଦିଅ ବୋଲି ରବିକୁମାର ଜିଲ୍ଲା ଡେପୁଟି କମିସନରଙ୍କୁ ଏକ ଚିଠିରେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ଶାସନ ସଚିବଙ୍କ ଏହି ଆଦେଶନାମା ପୁଣି ସୁପ୍ରିମ୍‌କୋର୍ଟଙ୍କ ଏକ ଆଦେଶର ଅନୁପାଳନ ମାତ୍ର। ସରକାରୀ ଜାଗାରେ ବେଆଇନ ଭାବେ ରହିଥିବା ମନ୍ଦିର ଆଦି ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଭାଙ୍ଗିବା ପାଇଁ ସୁପ୍ରିମ୍‌କୋର୍ଟ ଆଦେଶ ଦେଇଥିଲେ।
କିନ୍ତୁ ମନ୍ଦିର ଭଙ୍ଗା ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ରାଜନୈତିକ ବିବାଦ ଆରମ୍ଭ ହୋଇଛି, ଯାହା କେନ୍ଦ୍ରର ବିଜେପି ସରକାରକୁ ଅଡ଼ୁଆରେ ପକାଇଛି। ବିରୋଧୀ ଦଳ ନେତା ସିଦ୍ଦାରାମାୟା ମନ୍ଦିର ଭଙ୍ଗାକୁ ନେଇ ବିଜେପି ସରକାରକୁ ନିନ୍ଦା କରିଛନ୍ତି।

ନଞ୍ଜାନଗୁଡ଼ା ଅଞ୍ଚଳରେ ଏହି ମନ୍ଦିରକୁ ମିଶାଇ ୧୫ଟି ଧାର୍ମିକ ଅନୁଷ୍ଠାନକୁ ଭାଙ୍ଗିବା ପାଇଁ ଚିହ୍ନଟ କରାଯାଇଛି। ସବୁଗୁଡ଼ିକ ସରକାରୀ ଜାଗାରେ ତିଆରି ହୋଇଛି। ଏ ମନ୍ଦିର ସହିତ ଗ୍ରାମବାସୀଙ୍କର ଏକ ଆବେଗିକ ସମ୍ପର୍କ ରହିଥିଲା କାରଣ ସର୍ବସାଧାରଣଙ୍କ ଦାନରେ ଏହା ତିଆରି ହୋଇଥିଲା। ତେବେ ପ୍ରକୃତରେ ଠିକ୍ କେବେ ମନ୍ଦିରଟି ତିଆରି ହୋଇଥିଲା, ତାହା କାହାକୁ ଜଣାନାହିଁ। ଲୋକଙ୍କର ଯାହା ମନେପଡ଼ୁଛି ଅନେକ ଦଶନ୍ଧି ତଳେ ସଂଗମ କ୍ଷେତ୍ରର ସଦ୍‌ଗୁରୁ ମହାଦେବ ଥାତା ଏଠି ଦେବୀଙ୍କୁ ପ୍ରାର୍ଥନା କରିଥିଲେ ଏବଂ ତା’ପରେ ସର୍ବସାଧାରଣଙ୍କ ଦାନରେ ମନ୍ଦିର ତିଆରି ହୋଇଥିଲା। ଆଉ କିଛି ଲୋକଙ୍କ ମତ ହେଉଛି, ମନ୍ଦିରଟି ପ୍ରାୟ ୨୫୦ ବର୍ଷର ପୁରୁଣା। ଏପରି ଏକ ପ୍ରାଚୀନ ମନ୍ଦିରକୁ ଲୋକଙ୍କୁ କିଛି ନ ଜଣାଇ ଚୋରଙ୍କ ଭଳି ଆସି ପ୍ରଶାସନ ଭାଙ୍ଗିଦେବା ଅନୁଚିତ ବୋଲି ସେମାନେ କହିଛନ୍ତି। ଏହି ମନ୍ଦିର ଭଙ୍ଗାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି।

ସମ୍ବନ୍ଧିତ ଖବର