ନିତି ଆୟୋଗ ଦ୍ୱାରା ଭାରତ ନବୋନ୍ମେଷ ସୂଚକାଙ୍କ ୨୦୧୯ ପ୍ରକାଶିତ : ଶୀର୍ଷରେ କର୍ଣ୍ଣାଟକ, ଦ୍ୱାଦଶ ସ୍ଥାନରେ ଓଡ଼ିଶା

ପ୍ରଥମ ୪ଟି ସ୍ଥାନରେ ତାମିଲନାଡ଼ୁ, ମହାରାଷ୍ଟ୍ର ଓ ଦିଲ୍ଲୀ

ନୂଆଦିଲ୍ଲୀ : ନିତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି। ‌ଦେଶର ବୃହତ୍‌ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି। ଏହା ପଛକୁ ଶୀର୍ଷ ୧୦ଟି ସ୍ଥାନରେ ଯଥାକ୍ରମେ ତାମିଲନାଡ଼ୁ, ମହାରାଷ୍ଟ୍ର, ତେଲଙ୍ଗାନା, ହରିୟାଣା, କେରଳ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ ରହିଛନ୍ତି। ଅନ୍ୟପକ୍ଷରେ, ଭାରତ ନବୋନ୍ମେଷ ସୂଚକାଙ୍କର ବୃହତ୍‌ ରାଜ୍ୟବର୍ଗରେ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି ।

ନିତି ଆୟୋଗ ଉପାଧ୍ୟକ୍ଷ ଡ.ରାଜୀବ କୁମାର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ, ବିଜ୍ଞାନ ବିଭାଗ ସଚିବ ଆଶୁତୋଷ ଶର୍ମା, ବାୟୋ-ଟେକ୍ନୋଲୋଜି ବିଭାଗ ସଚିବ ରେଣୁସ୍ୱରୂପ, ଆୟୁଷ ସଚିବ ବୈଦ୍ୟରାଜେଶ କୋଟେଚାଙ୍କ ଉପସ୍ଥିତିରେଏହି ସୂଚକାଙ୍କ ଜାରି କରାଯାଇଥିଲା ।

ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ନବୋନ୍ମେଷ ପରିସଂସ୍ଥାନକୁ ଅନୁଧ୍ୟାନ କରାଯିବା ପରେ ଏହି ସୂଚକାଙ୍କ ପ୍ରକାଶ ପାଇଛି। ଦେଶରେ ରହିଥିବା ଆହ୍ୱାନ ଗୁଡ଼ିକର ମୁକାବିଲା କରିବା ଏବଂ ନିର୍ଦ୍ଦିଷ୍ଟ ଅଂଚଳର ଆର୍ଥିକ ବିକାଶ ନୀତି ପ୍ରସ୍ତୁତ କରିବା ଦିଗରେ ନୀତି ନିର୍ଦ୍ଧାରକମାନଙ୍କୁ ଏକ ସାମାଗ୍ରିକ ସାଧନ ପ୍ରଦାନ କରିବା ହେଉଛି ଏହି ସୂଚକାଙ୍କର ଉଦ୍ଦେଶ୍ୟ । ଏହି ସୂଚକାଙ୍କରେ ରାଜ୍ୟଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି ଯଥା : ବୃହତରାଜ୍ୟ, ଉତ୍ତର-ପୂର୍ବାଂଚଳ ଓ ପାର୍ବତ୍ୟରାଜ୍ୟଏବଂକେନ୍ଦ୍ରଶାସିତ ପ୍ରଦେଶ/ନଗର ରାଜ୍ୟ/କ୍ଷୁଦ୍ର ରାଜ୍ୟ । ବ୍ୟାପକ ଗବେଷଣାଏବଂ ବିଶ୍ଳେଷଣ ପରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ନବୋନ୍ମେଷ ସାମର୍ଥ୍ୟ ଓ ପ୍ରଦର୍ଶନକୁ ନିରୀକ୍ଷଣ କରିବା ମାଧ୍ୟମରେ ଦେଶର ସାମଗ୍ରିକ ନବୋନ୍ମେଷ ପରିଦୃଶ୍ୟକୁ ଦେଖାଯାଇଛି।

ଏହି ସୂଚକାଙ୍କ ମାଧ୍ୟମରେ ଦେଶର ୨୯ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ପ୍ରଦେଶର ନବୋନ୍ମେଷ ପରିବେଶକୁ ନିରନ୍ତର ମୂଲ୍ୟାୟନ ପାଇଁ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରିବାର ପ୍ରୟାସ କରାଯାଇଛି । ଏହା ଜରିଆରେ ତିନୋଟି କାର୍ଯ୍ୟ ସମ୍ପାଦନ ପାଇଁ ପ୍ରୟାସ କରାଯାଇଛି ଯଥା :୧-ସୂଚକାଙ୍କ ଫଳାଫଳ ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଗୁଡ଼ିକୁ ରୢାଙ୍କ ପ୍ରଦାନ କରିବା, ୨-ସମ୍ଭାବନା ଓ ଆହ୍ୱାନଗୁଡ଼ିକୁ ବିବେଚନା କରିବା ଏବଂ ନବୋନ୍ମେଷର ପ୍ରୋତ୍ସାହନ ଲାଗି ସରକାରୀ ନୀତି ପ୍ରସ୍ତୁତିରେ ସହାୟତା କରିବା। ଦୁଇଟି ସୋପାନ-ଏନେବଲର୍ସ ଓ ପର୍‌ଫର୍ମାନ୍ସରେ ମିଳିଥିବା ହାରାହାରି ଅଙ୍କ ଆଧାରରେ ଭାରତ ନବୋନ୍ମେଷ ସୂଚକାଙ୍କ-୨୦୧୯ର ଫଳାଫଳ ପ୍ରକାଶ ପାଇଛି । ଏହି ସୂଚକାଙ୍କର ବୃହତ୍‌ ରାଜ୍ୟବର୍ଗରେ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି। ତେବେ ସକ୍ଷମତା ଓ ପ୍ରଦର୍ଶନରେ ଓଡ଼ିଶାକୁ ଯଥାକ୍ରମେ ଦଶମ ଓ ଏକାଦଶ ସ୍ଥାନ ମିଳିଛି ।

ଏହି ଅବସରରେ ଡ. ରାଜୀବକୁମାର କହିଥିଲେ ଯେ, ନବୋନ୍ମେଷ ପରିସଂସ୍ଥାନରେ ଥିବା ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଭାରତ ନବୋନ୍ମେଷ ସୂଚକାଙ୍କ ସମନ୍ୱୟ ପ୍ରତିଷ୍ଠା କରିବ ଏବଂ ଭାରତ ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଉତ୍ତମ ପ୍ରଶାସନ ଦିଗରେ ଅଗ୍ରସର ହୋଇପାରିବ। ଅଗଣିତ ଆହ୍ୱାନ ମଧ୍ୟରେ ବିଶ୍ୱ ନବୋନ୍ମେଷ କ୍ଷେତ୍ରରେ ନେତୃତ୍ୱ ନେବା ଲାଗି ଭାରତ ନିକଟରେ ଅଭିନବ ସୁଯୋଗ ରହିଛି ବୋଲି ଅମିତାଭକାନ୍ତ ପ୍ରକାଶ କରିଥିଲେ । ରେଣୁସ୍ୱରୂପ କହିଥିଲେ ଯେ, କ୍ଲଷ୍ଟର୍‌ ଆଧାରିତ ନବୋନ୍ମେଷକୁ ପ୍ରତିଦ୍ୱନ୍ଦ୍ୱିତାର କେନ୍ଦ୍ରବିନ୍ଦୁ ଭାବେ ବିକଶିତ କରାଯିବା ଆବଶ୍ୟକ । ଉଭୟ ନିବେଶଏବଂ ଫଳାଫଳ ଉପାଦାନ ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ଏହି ସୂଚକାଙ୍କ ଦେଶରେ ନବୋନ୍ମେଷ ପରିବେଶକୁ ଉନ୍ନତ କରିବାରେ ଉତ୍ତମ ଆରମ୍ଭ ବୋଲି ଶ୍ରୀ ଶର୍ମାକହିଥିଲେ । ସେହିଭଳି ଶ୍ରୀ କୋଟେଚା କହିଥିଲେ ଯେ ରାଜ୍ୟଗୁଡ଼ିକ ମଧ୍ୟରେ ମାନଦଣ୍ଡ ନିର୍ଦ୍ଧାରଣ ଜରିଆରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ସଂଘୀୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଗରେ ଏହିସୂଚକାଙ୍କ ଏକ ଉତ୍ତମ ପ୍ରୟାସ।

ସମ୍ବନ୍ଧିତ ଖବର