ଇସ୍ତଫା ଦେଲେ କର୍ଣ୍ଣାଟକର ବିଦ୍ରୋହୀ ବିଧାୟକ, ୮ଟି ଇସ୍ତଫା ଠିକ ଫର୍ମାଟରେ ନାହିଁ : ବାଚସ୍ପତି

ବାଙ୍ଗାଲୁରୁ : କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଂକଟ ଜାରି ରହିଛି । ମୁମ୍ବାଇରେ ଥିବା ବିଦ୍ରୋହୀ ବିଧାୟକମାନେ କର୍ଣ୍ଣାଟକ ବିଧାନସୌଧରେ ପହଞ୍ଚି ଏବେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । କିନ୍ତୁ ଏହି ବୈଠକ ପରେ ବାଚସ୍ପତି ଶରତ କୁମାର କହିଛନ୍ତି ଯେ ୮ଟି ଇସ୍ତଫା ଠିକ ଫର୍ମାଟରେ ନାହିଁ । ପୁଣି ସେଗୁଡ଼ିକ ଅସଲି କି ନା ତାହା ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଦଳବଦଳ ଆଇନ ଅନୁସାରେ ୩ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଜେଡିଏସ ଦାବି କରିଛି । ସରକାର ଆସ୍ଥା ଭୋଟ ପାଇଁ ପ୍ରସ୍ତୁତ ବୋଲି ଜେଡିଏସ କହିଛି । ଆଜି ସଂଧ୍ୟା ୬ଟା ସୁଦ୍ଧା ବାଚସ୍ପତିଙ୍କୁ ବ୍ୟକ୍ତିଗତଭାବେ ଭେଟି ଇସ୍ତଫା ଦେବାକୁ ଓ ଏସଂପର୍କରେ ରାତି ୧୨ଟା ସୁଦ୍ଧା ନିଷ୍ପତ୍ତି ନେବାକୁ ଆଜି ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇଥିଲେ । ତେବେ ଏହି ସମୟସୀମାକୁ ବଢାଇବାକୁ ବାଚସ୍ପତି ଶରତ କୁମାର ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣି ଆସନ୍ତା କାଲି ହେବ ।
ଏହା ପୂର୍ବରୁ ବିଦ୍ରୋହୀ ବିଧାୟକମାନେ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରି କହିଥିଲେ ଯେ ବାଚସ୍ପତି ଶରତ କୁମାର ଜାଣିଶୁଣି ସେମାନଙ୍କ ଇସ୍ତଫା ଗ୍ରହଣ କରୁନାହାନ୍ତି । ଅନ୍ୟପକ୍ଷରେ ସେ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି ।

ସମ୍ବନ୍ଧିତ ଖବର