କର୍ଣ୍ଣାଟକରେ ସରକାର ଗଢିବା ଆଶା ଛାଡିନି ବିଜେପି, କେତେବେଳେ କଣ ହୋଇଯାଇପାରେ !

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରଠାରୁ ରାଜ୍ୟରେ ଏବେ ଜେଡିଏୟ ଓ କଂଗ୍ରେସର ମିଳିତ ସରକାର ଚାଲିଛି । ତେବେ ଏହି ସରକାରରେ ଏବେ ସବୁକିଛି ଠିକ ଚାଲିଛି ବୋଲି କୁହାଯାଇପାରିବ ନାହିଁ । କାରଣ ରାଜ୍ୟ କଂଗ୍ରେସରେ ବିଭିନ୍ନ କାରଣରୁ ଅସନ୍ତୋଷ କୁହୁଳିବାରେ ଲାଗିଛି । କେତେବେଳେ ଯେ ତାହା ଉଗ୍ର ରୂପ ନେବ ତାହା କହିହେବ ନାହିଁ । ଏଥିପାଇଁ ବିଜେପି ଏବେ ମଧ୍ୟ ସରକାର ଗଢିବା ନେଇ ଆଶା ଛାଡି ନାହିଁ ।
ସରକାରର ଭବିଷ୍ୟ ନେଇ ମୁଖ୍ୟମନ୍ତ୍ରୀ କୁମାରସ୍ୱୀମୀ ମଧ୍ୟ ସନ୍ଦିହାନ ଅଛନ୍ତି । ସେଥିପାଇଁ ଗତ ମାସରେ ସରକାରର ୧୦୦ ଦିନ ପୂରଣ ପାଳନ ଉପଲକ୍ଷେ ଦିଲ୍ଲୀ ଦୌଡିଯାଇ ସୋନିଆ ଓ ରାହୁଲଙ୍କ ଶରଣ ପଶିଛନ୍ତି । ରାହୁଲ ତାଙ୍କୁ ନିଃସର୍ତ୍ତ ସମର୍ଥନ ଦେବାକୁ ପ୍ରତିଶୃତି ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି । କଂଗ୍ରେସ ବିଧାୟକମାନଙ୍କର ଚିନ୍ତା ହେଉଛି ଯେ ଏହି ମିଳିତ ସରକାର ଇତି ମଧ୍ୟରେ ଲିଙ୍ଗାୟତମାନଙ୍କ ମଧ୍ୟରେ ଓ ଉତ୍ତରକର୍ଣ୍ଣାଟକରେ ନିଜର ଲୋକପ୍ରିୟତା ହରାଇସାରିଛି । ଏପରିକି କେତେକ କଂଗ୍ରେସ ବିଧାୟକ ବିଜେପି ସମ୍ପର୍କରେ ଥିବା କୁହାଯାଉଛି ।
କଂଗ୍ରେସର ଆଉ ଏକ ବଡ଼ ଚିନ୍ତା ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା । ସିଦ୍ଧରାମାୟାଙ୍କ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ଆଶା ରହିଛି ଓ ଏହି ଆଶାକୁ ସେ ସାଧାରଣରେ ପ୍ରକାଶ କରିସାରିଛନ୍ତି । କର୍ଣ୍ଣାଟକ କଂଗ୍ରେସରେ ଏବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଳ କଷାକଷି ଚାଲିଛି । ଏହି ଦୁଇ ଗୋଷ୍ଠୀ ହେଉଛନ୍ତି ସିଦ୍ଧରାମାୟା ଓ ତାଙ୍କ ଅନୁଗତ ଏବଂ ଅନ୍ୟ ଗୋଷ୍ଠୀଟି ହେଉଛି ନବ ନିଯୁକ୍ତ ଉପ-ମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱର ଓ ତାଙ୍କ ଅନୁଗତ ।

ସମ୍ବନ୍ଧିତ ଖବର