କର୍ଣ୍ଣାଟକରେ ଯୋଗୀ ମଡେଲ ଲାଗୁ ହୋଇପାରିବନି, ହଜାରେ ମୋଦୀ ଆସିଲେ ବି…: କୁମାରସ୍ବାମୀ

ବେଙ୍ଗାଲୁରୁ: ଯଦି ପରିସ୍ଥିତି ଉପୁଜେ ତେବେ ସାମ୍ପ୍ରଦାୟିକ ହିଂସାର ମୁକାବିଲା ପାଇଁ ରାଜ୍ୟରେ ଯୋଗୀ ଆଦିତ୍ୟନାଥ ମଡେଲ କାର୍ଯ୍ୟକାରୀ ହେବ। ଗୁରୁବାର ଏଭଳି କହିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇ । ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ପ୍ରବୀଣ ନେଟ୍ଟାରୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ନେଇ ବମ୍ମାଇଙ୍କ ଏଭଳି ମନ୍ତବ୍ୟ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ଏହାକୁ ବିରୋଧ କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ।

ସେ କହିଛନ୍ତି ଯଦି କର୍ଣ୍ଣାଟକରେ ଯୋଗୀ ମଡେଲ ଲାଗୁ ହେବ ତେବେ ବିଜେପିକୁ କ୍ଷମତାଚ୍ୟୁତ କରି ରାଜ୍ୟ ବାହାରକୁ ଫିଙ୍ଗିଦେବୁ। କୁମାରସ୍ୱାମୀ ବିଜେପିକୁ ରାଜ୍ୟ ପାଇଁ ବିପର୍ଯ୍ୟୟ ବୋଲି କହିଛନ୍ତି। ଏଥି ସହ ସେ କହିଛନ୍ତି ଯେ, ଯଦି କର୍ଣ୍ଣାଟକକୁ ଏକ ହଜାର ମୋଦୀ ମଧ୍ୟ ଆସନ୍ତି, ତେବେ ସେମାନଙ୍କ ମଡେଲ କାମ କରିବ ନାହିଁ। କୁମାରସ୍ୱାମୀ ଉତ୍ତରପ୍ରଦେଶ ଚାଲୁଥିବା ବୁଲଡୋଜର ଅଭିଯାନ ବିଷୟରେ ଦର୍ଶାଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, “ଯଦି ବିଜେପି ବୁଲଡୋଜର ସଂସ୍କୃତିକୁ କର୍ଣ୍ଣାଟକକୁ ଆଣନ୍ତି, ତେବେ ବିଜେପିକୁ ଉଚ୍ଛେଦ କରି ରାଜ୍ୟ ବାହାରକୁ ଫିଙ୍ଗି ଦିଆଯିବ।

ଗତକାଲି ଯୋଗୀ ମଡେଲକୁ ପ୍ରଶଂସା କରି ବମ୍ମାଇ କହିଥିଲେ‌ ଯେ, ଉତ୍ତରପ୍ରଦେଶର ପରିସ୍ଥିତିକୁ ଦେଖିଲେ ଜଣାପଡ଼ୁଛି ଯେ, ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ପରିଚାଳନା କରିବା ପାଇଁ ଉଚିତ୍ ବ୍ୟକ୍ତି। କର୍ଣ୍ଣାଟକରେ ଆମେ ସାମ୍ପ୍ରଦାୟିକ ହିଂସାର ମୁକାବିଲା ପାଇଁ ବିଭିନ୍ନ ବାଟ ଆପଣାଉଛୁ। ଯଦି ପରିସ୍ଥିତି ଉପୁଜେ ତେବେ ଯୋଗୀ ମଡେଲ କାର୍ଯ୍ୟକାରୀ ହେବ। ପ୍ରବୀଣଙ୍କ ହତ୍ୟା ପରେ ଆମ ହୃଦୟରେ କ୍ରୋଧ ଆସିଛି। ଶିବାମୋଗାରେ ହର୍ଷ (ବଜରଙ୍ଗ ଦଳ କର୍ମୀ)ଙ୍କୁ ହତ୍ୟା କରାଯିବାର କିଛି ମାସ ମଧ୍ୟରେ ଏହି ଘଟଣା ଘଟିବା ମୋତେ ବ୍ୟଥିତ କରିଛି। ନିୟମିତ ଯାଞ୍ଚ, କଠୋର ନିୟମ ଏବଂ ଦଣ୍ଡ ସହିତ ପିଏଫଆଇ ଭଳି ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ସଂପୂର୍ଣ୍ଣ ଭାବେ ଶେଷ କରିବା ପାଇଁ ଆମେ ଅସ୍ତ୍ରଶସ୍ତ୍ର ସହିତ ରାଜ୍ୟରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ କମାଣ୍ଡୋ ଫୋର୍ସକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ।

ସମ୍ବନ୍ଧିତ ଖବର