ଫେସବୁକରେ ରାମ ମନ୍ଦିର ପ୍ରସଙ୍ଗରେ ଲେଖି ସାଉଦି ଆରବରୁ ଗିରଫ ହେଲେ ଭାରତୀୟ ଯୁବକ

ନୂଆଦିଲ୍ଲୀ: ସାଉଦି ଆରବରେ କର୍ଣ୍ଣାଟକର ଜଣେ ବ୍ୟକ୍ତି ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିବାରୁ ଗିରଫ ହୋଇଛନ୍ତି | ଏହି ବ୍ୟକ୍ତିଙ୍କୁ ଗିରଫ କରାଯିବା ପରେ ବିଦେଶ ମନ୍ତ୍ରାଳୟ ସାଉଦି ଆରବ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛି | ଗିରଫ ହୋଇଥିବା ଏହି ଭାରତୀୟ ଯୁବକଙ୍କ ନାମ ହେଉଛି ହରିଶ ବାଙ୍ଗରା | ତାଙ୍କ ଘର କର୍ଣ୍ଣାଟକର କୁନ୍ଦପୁରରେ ହୋଇଥିବାବେଳେ ସେ ସାଉଦି ଆରବରେ ଦମମ କମ୍ପାନୀରେ କାର୍ଯ୍ୟ କରୁଥିଲେ | ମିଳିଥିବା ସୂଚନା ମୁତାବକ ହରିଶ କିଛି ଦିନ ତଳେ ଫେସବୁକରେ ରାମ ମନ୍ଦିରକୁ ନେଇ ଏକ ପୋଷ୍ଟ କରିଥିଲେ | ସେ ଲେଖିଥିଲେ ଯେ ମକ୍କାରେ ମଧ୍ୟ ରାମ ମନ୍ଦିର ନିର୍ମାଣ ହେବ |

Photo-OneIndia

ମକ୍କା ବିଶ୍ୱର ମୁସଲମାନଙ୍କର ଏକ ପବିତ୍ର ସ୍ଥାନ ହୋଇଥିବାରୁ ବିବାଦୀୟ ପୋଷ୍ଟ ପାଇଁ ତାଙ୍କୁ ରବିବାର ଦିନ ଗିରଫ କରାଯାଇଥିବାର କୁହାଯାଇଥିଲା | ହରିଶଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ହରିଶଙ୍କ ନାମରେ ଦୁଇଟି ଫେସବୁକ ଆକାଉଣ୍ଟ ଥିଲା | ଗୋଟିଏ ଆକାଉଣ୍ଟରେ ସେ ଆକ୍ଟିଭ ରହୁଥିବାବେଳେ ସେଥିରେ ହିଁ ପରିବାରର ସଦସ୍ୟ ଓ ତାଙ୍କର ଫଟୋ ହିଁ ପୋଷ୍ଟ କରନ୍ତି | ଅନ୍ୟ ଆକାଉଣ୍ଟଟି ହରିଶଙ୍କ ନାମରେ ଥିଲେ ବି କେବେ ବି ସେ ବ୍ୟବହାର କରୁନଥିଲେ |

ବ୍ୟବହାର କରାଯାଉନଥିବା ଆକାଉଣ୍ଟରୁ ବିବାଦୀୟ ପୋଷ୍ଟ ହୋଇଥିବାରୁ କେହି ତାଙ୍କୁ ଫସାଇଦେଇଥିବାର ହରିଶଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି | କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କୁ ଏବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଜଣାଇଦିଆଯାଇଛି | କେନ୍ଦ୍ର ସରକାର ଏହା ଉପରେ ନଜର ରଖିଛନ୍ତି | କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଉଦି ଆରବରେ ଥିବା ଦୂତାବାସକୁ ରିପୋର୍ଟ ମଧ୍ୟ ମଗାଯାଇଛି |

ସମ୍ବନ୍ଧିତ ଖବର