ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣିସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାକୁ ନେଇ ରାଜସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି ।
ଜୟପୁର ପୁଲିସ କମିସନର ବିଜୁ ଜର୍ଜ ଜୋସେଫଙ୍କ ସୂଚନା ଅନୁସାରେ ସୁଖଦେବ ସିଂ ଗୋଗାମେଡ଼ି ଓ ତାଙ୍କ ବନ୍ଧୁକଧାରୀ ସୁରକ୍ଷାକର୍ମୀ ନରେନ୍ଦ୍ରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ଗୁଳିମା଼ଡ଼ ପରେ ସୁଖଦେବଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ ।
ତାଙ୍କ ଘରୁ ଜବତ ହୋଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ ତାଙ୍କ ସହ ବସି କଥାବାର୍ତ୍ତା ହେଉଥିବା ଦୁଇଜଣ ବ୍ୟକ୍ତି ଅତର୍କିତ ଭାବେ ପିସ୍ତଲ ବାହାର କରି ଅତି ନିକଟରୁ ତାଙ୍କ ଉପରେ ଗୁଳି ଚଳାଉଛନ୍ତି। ଏହି ଘଟଣା ମଧ୍ୟାହ୍ଣ ୧.୪୫ ମିନିଟରେ ଘଟିଛି।
ଖବରପାଇ ଶ୍ୟାମ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ସିସିଟିଭି ଭିଡିଓ ଦେଖି ତଦନ୍ତ କରୁଛି। ଶ୍ୟାମ ନଗରରେ ଥିବା ଦାନାପାଣି ରେଷ୍ଟୁରାଣ୍ଟ ପଛରେ ଏହି ଘଟଣା ଘଟିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସମ୍ପତ୍ ନେହେରା ପୂର୍ବରୁ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଏହି ଘଟଣା ପରେ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ଜଡ଼ିତ ରୋହିତ ଗୋଡାରା ଫେସବୁକରେ ଏକ ପୋଷ୍ଟ କରି ସେମାନେ ସୁଖଦେବ ସିଂଙ୍କୁ ହତ୍ୟା କରିଛନ୍ତି ବୋଲି ପ୍ରକାଶ କରିଛି।
କଂଗ୍ରେସ ନେତା ଇନ୍ଦ୍ରାଜ ଗୁର୍ଜର କହିଛନ୍ତି, 'ଆଜି ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣିସେନାର ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି ଏବଂ ଦୋଷୀମାନଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ପୁଲିସ ପ୍ରଶାସନକୁ ଅନୁରୋଧ କରୁଛି ।'
କଂଗ୍ରେସ ସୋସିଆଲ ମିଡିଆ ଆବାହକ ନୀତିନ ଅଗ୍ରୱାଲ କହିଛନ୍ତି, ରାଜସ୍ଥାନରେ ଆଇନ ଶୃଙ୍ଖଳା ଶେଷ ହୋଇଛି ଏବଂ ବିଜେପିର ଜଙ୍ଗଲରାଜ ଆରମ୍ଭ ହୋଇଛି।