ନୂଆଦିଲ୍ଲୀ: ଅଧାରେ ରହିଲା ଆଇଏଏସ୍ ହେବାର ସ୍ବପ୍ନ। ଲିପ୍ଟରେ ଅଣନିଶ୍ବାସୀ ହୋଇ ଚାଲିଗଲା ଜୀବନ। 'ଭାଇରେ ମୋତେ ବଞ୍ଚେଇ ଦେ...ନିଶ୍ବାସ ନେଇପାରୁନି।' ଏହା ଥିଲା ବିଶାଲ ମେଗା ମାର୍ଟର ଲିପ୍ଟରେ ଫସି ମୃତ୍ୟୁବରଣ କରିଥିବା ଯୁବକଙ୍କ ଶେଷ ମେସେଜ୍।  ଶୁକ୍ରବାର ଦିନ ଦିଲ୍ଲୀର କାରୋଲ ବାଗରେ ଥିବା ବିଶାଲ ମେଗା ମାର୍ଟରେ ଅଗ୍ନିକାଣ୍ଡ ଘଟିଥିଲା, ଯାହା ଯୋଗୁଁ ୨୫ବର୍ଷୀୟ ଛାତ୍ର ଧୀରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।

Advertisment

କୁହାଯାଉଛି ଯେ ଅଗ୍ନିକାଣ୍ଡ ଯୋଗୁଁ ଧୀରେନ୍ଦ୍ର ଲିଫ୍ଟରେ ଫସି ଯାଇଥିଲେ ଏବଂ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ପରିବାର ଲୋକେ ଧୀରେନ୍ଦ୍ରଙ୍କ ମୃତ୍ୟୁ ପାଇଁ ବିଶାଲ ମେଗା ମାର୍ଟକୁ ଦାୟୀ କରିଛନ୍ତି। ଅବହେଳା ପାଇଁ ଏହା ଘଟିଥିବା ଅଭିଯୋଗ କରିଛନ୍ତି। ବଡ଼ ଭଉଣୀ କହିଛନ୍ତି ଯେ, ଯଦି ଭାଇକୁ ଠିକ୍ ସମୟରେ ଲିଫ୍ଟରୁ ବାହାର କରାଯାଇଥାନ୍ତା, ତେବେ ତାଙ୍କ ଜୀବନ ବଞ୍ଚିଯାଇଥାନ୍ତା।

ସୂଚନା ମୁତାବକ, ଧୀରେନ୍ଦ୍ର ଗତ ପାଞ୍ଚ ବର୍ଷ ଧରି ଦିଲ୍ଲୀରେ ରହି ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିଲେ। ସେ କରୋଲ ବାଗର ଏକ ପିଜିରେ ରହୁଥିଲେ। ଗୁରୁବାର ନିଜ ଘର ସୋନଭଦ୍ରରୁ ଆସିଥିବା ବେଳେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିଲା। ଧୀରେନ୍ଦ୍ରଙ୍କ ପରିବାର ଲୋକେ କହିଛନ୍ତି ଯେ, ସନ୍ଧ୍ୟା ୬ଟା ୫୧ରେ ଧୀରେନ୍ଦ୍ର ମେସେଜ୍ କରି ଅଣନିଶ୍ବାସୀ ହୋଇଯାଉଥିବା ଜଣାଇଥିଲା। ମେସେଜ୍ ପାଇଁ ତାକୁ କଲ୍ କରିବା ପରେ ସେ ଆଉ କଲ୍ ଉଠାଇନଥିଲା।