ନୂଆଦିଲ୍ଲୀ: ବିହାରର ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତରଭାବେ ଭାରତର ୪୯ତମ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯିବ। ସ୍ୱର୍ଗତ ସମାଜବାଦୀ ନେତାଙ୍କ ଜନ୍ମ ଶତବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ସ୍ବର୍ଗତ ଠାକୁର ୧୯୭୦ ଡିସେମ୍ବରରୁ ୧୯୭୧ ଜୁନ୍ ଏବଂ ଡିସେମ୍ବର ୧୯୭୭ରୁ ଏପ୍ରିଲ ୧୯୭୯ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ଥିଲେ। ୧୯୨୪ ମସିହାରେ ବିହାରର ସମସ୍ତିପୁର ଜିଲ୍ଲାରେ ସମାଜର ଅନ୍ୟତମ ପଛୁଆବର୍ଗ - ନାଇ (ନାପିତ) କୁଳରେ ସେ ଜନ୍ମଗ୍ରହଣ କରିଥିଲେ। ଜଣେ ସାମାଜିକ କର୍ମୀ ଭାବେ ସେ ଭାରତଛାଡ଼ ଆନ୍ଦୋଳନରେ
ଯୋଗ ଦେବା ପାଇଁ କଲେଜ ଛାଡିଥିଲେ ଏବଂ ସ୍ୱାଧୀନତା ସଂଗ୍ରାମ ସମୟରେ ଅଢେଇ ବର୍ଷ ଜେଲରେ ବିତାଇଥିଲେ। ପରେ ୧୯୬୦ ଓ ୧୯୭୦ ମସିହାରେ କର୍ମଚାରୀ ଓ ଶ୍ରମିକଙ୍କ ଧର୍ମଘଟରେ ଅଂଶଗ୍ରହଣ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବରେ ଠାକୁର ୧୯୫୨ ମସିହାରେ ତାଜପୁରରୁ ପ୍ରଥମଥର ପାଇଁ ବିହାର ବିଧାନସଭାର ସଦସ୍ୟ ହୋଇଥିଲେ। ୧୯୭୦ ମସିହାରେ ବିହାରର ପ୍ରଥମ ଅଣକଂଗ୍ରେସ ସମାଜବାଦୀ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଠାକୁର ଦ୍ୱିତୀୟ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ଆଣିଥିବା ସଂସ୍କାରଗୁଡ଼ିକ ମଧ୍ୟରେ ମଦ ନିଷେଧ ଅନ୍ୟତମ ଥିଲା। ଶିକ୍ଷାମନ୍ତ୍ରୀ ଭାବେ ସେ ମାଟ୍ରିକ୍ ପାଇଁ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ତାଲିକାରୁ ହଟାଇ ଦେଇଥିଲେ। ଠାକୁରଙ୍କୁ ଲାଲୁ ପ୍ରସାଦ ଯାଦବ, ରାମବିଳାସ ପାସୱାନ, ଦେବେନ୍ଦ୍ର ପ୍ରସାଦ ଯାଦବ ଓ ନୀତୀଶ କୁମାରଙ୍କ ଭଳି ପ୍ରମୁଖ ବିହାରୀ ନେତାଙ୍କ ଗୁରୁ ଭାବରେ ବିବେଚନା କରାଯାଏ। ୧୯୮୮ ମସିହା ଫେବ୍ରୁଆରି ୧୭ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।
କର୍ପୁରୀ ଠାକୁରଙ୍କୁ ‘ସାମାଜିକ ନ୍ୟାୟର ପ୍ରତୀକ’ ଆଖ୍ୟା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପଛୁଆବର୍ଗଙ୍କ ଉନ୍ନତି ପାଇଁ ତାଙ୍କର ଅତୁଟ ପ୍ରତିବଦ୍ଧତା ଏବଂ ତାଙ୍କର ଦୂରଦର୍ଶୀ ନେତୃତ୍ୱ ଭାରତର ସାମାଜିକ-ରାଜନୈତିକ ଢାଞ୍ଚାରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଆନନ୍ଦିତ ଯେ ଭାରତ ସରକାର ସାମାଜିକ ନ୍ୟାୟର ପ୍ରତୀକ, ମହାନ ଜନନାୟକ କର୍ପୂରୀ ଠାକୁରଜୀଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ତାହା ମଧ୍ୟ ସେହି ସମୟରେ ଯେତେବେଳେ ଆମେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ।
ଏହି ପୁରସ୍କାର କେବଳ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରେ ନାହିଁ ବରଂ ଏକ ଅଧିକ ନ୍ୟାୟପୂର୍ଣ୍ଣ ଏବଂ ସମତାପୂର୍ଣ୍ଣ ସମାଜ ଗଠନ ଲାଗି ଆମକୁ ପ୍ରେରଣା ଦେଇଥାଏ ବୋଲି ମୋଦୀ କହିଛନ୍ତି। ଠାକୁରଙ୍କର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଲା ସଂରକ୍ଷଣ ପାଇଁ ‘କର୍ପୂରୀ ଠାକୁର ଫର୍ମୁଲା’ ପ୍ରଚଳନ, ଯାହାର ଉଦ୍ଦେଶ୍ୟ ଥିଲା ସରକାରୀ ସେବାରେ ପଛୁଆବର୍ଗଙ୍କ ପାଇଁ ସମାନ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବା। ନଭେମ୍ବର ୧୯୭୮ରେ ସେ ବିହାରରେ ପଛୁଆବର୍ଗଙ୍କ ପାଇଁ ୨୬ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିଲେ, ଯାହା କି ୧୯୯୦ ଦଶକରେ ମଣ୍ଡଳ କମିସନ ସୁପାରିସ ପାଇଁ ମଞ୍ଚ ପ୍ରସ୍ତୁତ କରିଥିଲା। ଏହି ନୀତି ପଛୁଆବର୍ଗଙ୍କୁ ସଶକ୍ତ କରିବା ସହ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ରାଜନୀତିର ଚେହେରା ବଦଳାଇ ଦେଇଥିବା ଆଞ୍ଚଳିକ ଦଳଗୁଡ଼ିକର ଉତ୍ଥାନକୁ ମଧ୍ୟ ଉତ୍ସାହିତ କରିଥିଲା। ପଛୁଆ ବର୍ଗଙ୍କ ସମର୍ଥକ କର୍ପୁରୀ ଠାକୁର ବିହାରର ରାଜନୈତିକ ଦୃଶ୍ୟପଟରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ। ଗୋକୁଳ ଠାକୁର ଓ ରାମଦୁଲାରୀ ଦେବୀଙ୍କ ସନ୍ତାନଭାବେ ଜନ୍ମଗ୍ରହଣ କରିଥିବା ଠାକୁରଙ୍କ ପିତାଉଞ୍ଝିଆ ଗ୍ରାମରୁ ବିହାରର ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ତାଙ୍କର ଜନସେବା ପ୍ରତି ନିଷ୍ଠା ଓ ସମର୍ପଣର ପ୍ରମାଣ ଥିଲା। ୧୯୭୦ ଦଶକରେ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ବିଶେଷ କରି ସମାଜର ବଞ୍ଚିତବର୍ଗଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ହୃଦୟରୁ ସମାଜବାଦୀ ଥିବା ଠାକୁର ଛାତ୍ରଜୀବନରେ ଜାତୀୟତାବାଦୀ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଏବଂ ପରେ ସର୍ବଭାରତୀୟ ଛାତ୍ର ମହାସଂଘରେ ଯୋଗ ଦେଇଥିଲେ। ତାଙ୍କର ରାଜନୈତିକ ବିଚାରଧାରା ‘ଲୋହିଆ’ ଚିନ୍ତାଧାରା ଦ୍ୱାରା ଆହୁରି ବ୍ୟାପକ ହୋଇଥିଲା।
ଜରୁରୀ ପରିସ୍ଥିତି ବେଳେ ଓଡ଼ିଶା ଆସିଥିଲେ
ଭୁବନେଶ୍ବର: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ଜରୁରୀ ପରିସ୍ଥିତି ସମୟରେ ଓଡ଼ିଶା ଆସିଥିଲେ। ଜରୁରୀ ପରିସ୍ଥିତିକୁ ବିରୋଧ କରି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ହିଂସା ହେଉଥିବା ବେଳେ ଓଡ଼ିଶାରେ କିଭଳି ଏହାକୁ କାର୍ଯ୍ୟକାରୀ କରାଯିବ ସେସଂପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଭେଟି ଆଲୋଚନା କରିଥିଲେ। ସ୍ବର୍ଗତ ରାଉତରାୟ ତାଙ୍କ ପୁସ୍ତକ ‘ସ୍ମୃତି ଓ ଅନୁଭୂତି’ରେ ଏସଂପର୍କରେ ଉଲ୍ଲେଖ କରିଛନ୍ତି। ଶ୍ରୀ ରାଉତରାୟଙ୍କ କଟକ ଘରେ ପହଞ୍ଚିଥିଲେ ଶ୍ରୀ ଠାକୁର। ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ବି ସେମାନେ ତାଙ୍କୁ ଚିହ୍ନି ପାରି ନ ଥିଲେ। ଆତ୍ମଗୋପନ କରିଥିବା ଶ୍ରୀ ଠାକୁର ନେପାଳରୁ କୋଲକାତା ଆସିଥିଲେ। ଜରୁରୀ ପରିସ୍ଥିତି ବିରୋଧରେ ଉତ୍କଟ ଜନମତ ସୃଷ୍ଟି କରିବା ପାଇଁ ସନ୍ତ୍ରାସବାଦୀ କାର୍ଯ୍ୟକ୍ରମ କିଭଳି ଜୋରଦାର କରାଯିବ ସେ ବିଷୟରେ ଆଲୋଚନା କରିବାକୁ ଓଡ଼ିଶା ଆସିଥିଲେ। କଟକ ନିକଟ ମହାନଦୀ ଉପରେ ଥିବା ରେଳ ଲାଇନ୍ ଓ ଜାତୀୟ ରାଜପଥ ଉପରେ ଥିବା ପୋଲ ଦୁଇଟିକୁ କିଭଳି ଡିନାମାଇଟ୍ ଖଞ୍ଜି ଉଡ଼ାଇ ଦିଆଯିବ ଏହାର ଦାୟିତ୍ବ ଶ୍ରୀ ରାଉତରାୟଙ୍କୁ ନେବାକୁ ଅନୁରୋଧ କରିଥିଲେ। ମାତ୍ର ଜାତୀୟ ସଂପତ୍ତି ବିଶେଷ କରି ଓଡ଼ିଶା ଦେଇ ଯାଉଥିବା ମୁଖ୍ୟ ରାସ୍ତାଘାଟକୁ ବିପର୍ଯ୍ୟସ୍ତ କରିବା ଆତ୍ମଘାତୀ କାର୍ଯ୍ୟ ବୋଲି ଶ୍ରୀ ରାଉତରାୟ ତାଙ୍କୁ ଜଣାଇଥିଲେ।
ଏପରିକି କୋଲକାତାର ବନ୍ଧୁମାନଙ୍କ ସହ ପରାମର୍ଶ କଲାବେଳେ ସେଭଳି କିଛି ପ୍ରସ୍ତାବ ସେମାନଙ୍କୁ ଦେଇଛନ୍ତି କି ବୋଲି ତାଙ୍କୁ ପଚାରିଥିଲେ ଶ୍ରୀ ରାଉତରାୟ। ଏଭଳି ପ୍ରସ୍ତାବକୁ ସେମାନେ ବିଚାର କରୁଛନ୍ତି ବୋଲି ଶ୍ରୀ ଠାକୁର ଜଣାଇଥିଲେ। ଏ ଦୃଷ୍ଟିରୁ କୋଲକାତାରେ ଥିବା ବନ୍ଧୁମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଜଣାଇବେ ତାଙ୍କୁ କହିଥିଲେ ନୀଳମଣି। ଗୋଟିଏ ଦିନ ରହିବା ପରେ ଶ୍ରୀ ଠାକୁର ପୁଣି କୋଲକାତା ଫେରି ଯାଇଥିଲେ। କିଛିଦିନ ପରେ ଶ୍ରୀ ରାଉତରାୟ କୋଲକାତା ଯାଇ କର୍ପୂରୀଙ୍କ ପ୍ରସ୍ତାବ ଉପରେ ପ୍ରଫୁଲ୍ଲ ଚନ୍ଦ୍ର ସେନ, ଅଶୋକ ଦତ୍ତ ଓ ଆଭା ମାଇତି ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ। ତାଙ୍କର ପ୍ରସ୍ତାବ ଅତି ଅବାସ୍ତବ ଓ ଅବାଞ୍ଛନୀୟ ବୋଲି ମତ ଆସିଥିଲା। ପୂର୍ବରୁ ମଧ୍ୟ ଶ୍ରୀ ରାଉତରାୟ ଏଭଳି ଭଙ୍ଗାରୁଜାକୁ ବିରୋଧ କରି ଆସୁଥିଲେ।