ନୂଆଦିଲ୍ଲୀ: ଯେଉଁ ଭାରତୀୟ ଶିଖ୍ ତୀର୍ଥଯାତ୍ରୀମାନେ କର୍ତାରପୁର ଯିବେ, ସେମାନେ ସାଙ୍ଗରେ ପାସ୍ପୋର୍ଟ ନେଇ ଯିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି। ପାକିସ୍ତାନର ବିଭ୍ରାନ୍ତିକର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି କୁହାଯାଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଥିଲେ, ଭାରତୀୟ ଶିଖ୍ ତୀର୍ଥଯାତ୍ରୀଙ୍କୁ ପାସପୋର୍ଟର ଆବଶ୍ୟକତା ପଡ଼ିବ ନାହିଁ। ଶିଖ୍ ତୀର୍ଥଯାତ୍ରୀମାନେ ଯେ କୌଣସି ଭାରତୀୟ ପ୍ରମାଣପତ୍ର ଦେଖାଇ ପାରିଲେ ସେମାନଙ୍କୁ କର୍ତାରପୁର ଦରବାର ସାହିବ ଗୁରୁଦ୍ବାରକୁ ଅନୁମତି ମିଳିଯିବ ବୋଲି ଇମ୍ରାନ୍ କହିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ପାକିସ୍ତାନ ସେନା ଭିନ୍ନ ମତ ପ୍ରକାଶ କରିଥିଲା। ଭାରତୀୟ ଶିଖ୍ ତୀର୍ଥଯାତ୍ରୀ ସାଥୀରେ ପାସ୍ପୋର୍ଟ ଆଣିବା ବାଧ୍ୟତାମୂଳକ ବୋଲି ପାକିସ୍ତାନ ସେନାବାହିନୀର ଗଣଯୋଗାଯୋଗ ବିଭାଗ ସୂଚନା ଦେଇଥିଲା। ପାକିସ୍ତାନ ସେନା ଏଭଳି କହିବା ପରେ କର୍ତାରପୁର ଯିବା ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ଏଭଳି ଦ୍ବନ୍ଦ୍ବକୁ ଦୃଷ୍ଟିରେ ରଖି ଭାରତ ସରକାର ଶିଖ୍ ତୀର୍ଥଯାତ୍ରୀଙ୍କୁ ସାଥୀରେ ପାସ୍ପୋର୍ଟ ନେଇ ଯିବାକୁ ପରାମର୍ଶ ଦେଇଛନ୍ତି। ପାକିସ୍ତାନର ଆଭିମୁଖ୍ୟ ଅସ୍ପଷ୍ଟ ଓ ଦ୍ବନ୍ଦ୍ବାତ୍ମକ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରବିଶ୍ କୁମାର କହିଛନ୍ତି। କେତେବେଳେ ସେମାନେ ବିନା ପାସ୍ପୋର୍ଟରେ ଆସିବାକୁ କହୁଛନ୍ତି ତ କେତେବେଳେ ପାସ୍ପୋର୍ଟ ସହ ଆସିବାକୁ କହୁଛନ୍ତି। ଏଭଳି ବିଭ୍ରାନ୍ତିକର ସ୍ଥିତିରେ ଶିଖ୍ ତୀର୍ଥଯାତ୍ରୀମାନେ ସାଥୀରେ ପାସ୍ପୋର୍ଟ ନେବା ହିଁ ଉପଯୁକ୍ତ ନିଷ୍ପତ୍ତି ବୋଲି ରବିଶ୍ କୁମାର କହିଛନ୍ତି। ସୂଚନାଯୋଗ୍ୟ, ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଅବସରରେ କର୍ତାରପୁର କରିଡର ନିର୍ମାଣ କରିବା ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।
କର୍ତାରପୁର କରିଡର : ତୀର୍ଥଯାତ୍ରୀ ପାସ୍ପୋର୍ଟ ନେବାକୁ କହିଲେ ସରକାର
/sambad/media/post_attachments/wp-content/uploads/2019/11/19guru3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)