କର୍‌ତାରପୁର କରିଡର ଉଦ୍‌ଘାଟିତ : ଇମ୍ରାନ୍‌ଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସୀମାରେ କର୍‌ତାରପୁର କରିଡର ଉଦ୍‌ଘାଟନ କରିଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପାକିସ୍ତାନ ପାର୍ଶ୍ବରେ କରିଡର ଉଦ୍‌ଘାଟନ କରିଛନ୍ତି। କର୍‌ତାରପୁର କରିଡର ଏବଂ ସମନ୍ବିତ ଚେକ୍‌ ପୋଷ୍ଟ ଉଦ୍‌ଘାଟନ କରି ଶିଖ୍‌ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଜି ପ୍ରଥମ ପର୍ଯ୍ୟାୟରେ ଆସିଥିବା ୫୦୦ ଶିଖ୍‌ ତୀର୍ଥଯା‌ତ୍ରୀଙ୍କୁ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ମୋଦୀ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଭୁଲି ନଥିଲେ। କର୍‌ତ‌ାରପୁରରେ ନିର୍ମିତ ଯାତ୍ରୀ ରହଣୀ ଭବନକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟଙ୍କ ଭାବାବେଗକୁ ପାକିସ୍ତାନ ବୁଝିବା ଆବଶ୍ୟକ ବୋଲି ‌କହିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯୋଗଦେଇ କର୍‌ତାରପୁର କରିଡର ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବ ବୋଲି କହିଥିଲେ।

ପାକିସ୍ତାନ ପାର୍ଶ୍ବର କରିଡର ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆଞ୍ଚଳିକ ସଦ୍‌ଭାବନା ବୃଦ୍ଧି କରିବାରେ ଏହା ସହାୟକ ହେବ ବୋଲି କହିଛନ୍ତି। ଇମ୍ରାନ୍‌ଙ୍କ ଉଦ୍‌ଘାଟନୀ ଉତ୍ସବରେ ପୂର୍ବତନ କ୍ରିକେଟ୍‌ ଖେଳାଳୀ ତଥା କଂଗ୍ରେସ ନେତା ନଭଜୋତ୍‌ ସିଂହ ସିଦ୍ଧୁ ଅତିଥି ଭାବେ ଯୋଗଦେଇ ଶିଖ୍‌ମାନଙ୍କ ପାଇଁ ଏଭଳି ଏକ କରିଡର ନିର୍ମାଣ କରିଥିବାରୁ ଇମ୍ରାନ୍‌ ଖାନ୍‌ଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ। ସେହିଭଳି ସିଦ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର