ପାକିସ୍ତାନରେ କର୍ତ୍ତାରପୁର କରିଡରର ଶିଳାନ୍ୟାସ : ପାକ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ସିଦ୍ଧୁ ଗଦଗଦ, କହିଲେ ଇମ୍ରାନ ‘ଦେବଦୂତ’

ଇସଲାମାବାଦ: ଗୁରୁ ନାନକଙ୍କ ଶେଷ ଆବାସ ପାକିସ୍ତାନସ୍ଥିତ ଗୁରୁଦ୍ବାରା ଦରବାର ସାହିବକୁ ଶିଖ ଧର୍ମାବଲମ୍ବୀ ଭାରତୀୟମାନେ ବିନା ଭିସାରେ ଦର୍ଶନ ଲାଗି ଯାଇପାରିବା ଲାଗି ଭାରତ-ପାକିସ୍ତାନ ମଧ୍ୟରେ ନିର୍ମିତ ହେଉଛି କର୍ତ୍ତାରପୁର  କରିଡର। ଦୁଇ ଦିନ ତଳେ ଭାରତ ପକ୍ଷରୁ ଏହି କରିଡରର ଶିଳାନ୍ୟାସ ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକ ସହରରେ ହୋଇ ସାରିଥିବା ବେଳେ ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ସେଠାରେ ଏହାର ଶିଳାନ୍ୟାସ କରିଛନ୍ତି। ଏହି ଶିଳାନ୍ୟାସ ଉତ୍ସବରେ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରସିମରତ୍ କୌର ବାଦଲ ଓ ହରଦୀପ ସିଂ ପୁରୀ ଏବଂ ପଞ୍ଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଯୋଗ ଦେଇଛନ୍ତି। ନିଜ ଭାଷଣରେ ହରସିମରତ୍ କୌର କହିଛନ୍ତି, ଯଦି ସଂପର୍କ ଲାଗି ବର୍ଲିନ୍ ପାଚେରୀ ଭାଙ୍ଗି ଦିଅାଗଲା ତେବେ କର୍ତ୍ତାରପୁର  କରିଡର ଭାରତ-ପାକିସ୍ତାନ ମଧ୍ୟରେ  ସୁସଂପର୍କ ଅାଣିପାରିବ ବୋଲି ଅାଶା କରିପାରିବା।

ଭାରତ-ପାକିସ୍ତାନ ଭିତରେ ଥିବା କର୍ତ୍ତାରପୁର ସାହିବ କରିଡରକୁ ନେଇ ନବଜୋତ ସିଂହ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କୁ ଧନ୍ୟବାଦ ଦେବା ସହ ‘ଦେବଦୂତ’ର ଆଖ୍ୟା ଦେଇଛନ୍ତି । ତାଙ୍କ କହିବା ମତରେ କରିଡରକୁ ନେଇ ଇମରାନ୍ ଦେବଦୂତ ଭଳି କାମ କରିଛନ୍ତି । ଏହି କରିଡର୍ ଗୁରୁ ନାନକଙ୍କ ଦ୍ବାରା ପ୍ରତିଷ୍ଠିତ ପବିତ୍ର ପୀଠକୁ ଭାରତୀୟ ଶିଖଙ୍କୁ ଯୋଡ଼ିଛି। ଏଠାରେ ଶାନ୍ତି ଠାରୁ ସନ୍ଧି ପର୍ଯ୍ୟନ୍ତ ସବୁକିଛି ସମ୍ଭବ ହୋଇପାରିବ ।

ତେବେ ସିଦ୍ଧୁଙ୍କ ଏଭଳି ବୟାନକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଗ୍ରହଣ କରି ନାହାନ୍ତି । ଅମରିନ୍ଦର ସିଂହ କର୍ତ୍ତାରପୁର କରିଡର ଶିଳାନ୍ୟାସ ସମାରୋହରେ ପାକିସ୍ତାନର ହରକତକୁ ଦେଖି ପାକ୍ ସେନା ପ୍ରମୁଖ ଜେନେରାଲ୍ ବାଜବାଙ୍କୁ ଚେତାବନୀ ଦେଇଥିଲେ ।

ଅନ୍ୟପକ୍ଷେ ନିଜ କ୍ୟାବିନେଟରେ ମୁଖ୍ୟଙ୍କ କଥାର ଭିନ୍ନ ମତାମତ ଦେଉଛନ୍ତି ସିଦ୍ଧୁ । ତାଙ୍କ କହିବାନୁସାରେ, ସେ ହୃଦୟ ଯୋଡିବା କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା ଉଠାଇ ସେ କହିଲେ, ମୋଦି ବର୍ଲିନ୍ ପାଚେରୀ ଭାଙ୍ଗିବା କଥା କହି ଭାରତ ଏବଂ ପାକିସ୍ତାନ ସଂପର୍କରେ ମିତ୍ରତା ସୃଷ୍ଟି କରିବା କଥା କହିଥିଲେ । ଏବେ ପାକ୍ ପ୍ରଧାନମନ୍ତ୍ରୀ ସେଭଳି କଥା ହିଁ କହୁଛନ୍ତି ।

ସମ୍ବନ୍ଧିତ ଖବର