କର୍‌ତାରପୁର କରିଡର୍‌ ଭିତ୍ତିପ୍ରସ୍ତର, ସୁଷମାଙ୍କୁ ପାକ୍‌ର ନିମନ୍ତ୍ରଣ

ଚଣ୍ଡିଗଡ଼: ଶିଖ୍‌ମାନଙ୍କ ପାଇଁ କର୍‌ତାରପୁର କରିଡର ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ଦେବା ପରେ ପାକିସ୍ତାନ କର୍‌ତାରପୁର ସାହିବଠାରୁ ସୀମା ପର୍ଯ୍ୟନ୍ତ କରିଡର୍‌ ନିର୍ମାଣ ଲାଗି ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏଥିପାଇଁ ନଭେମ୍ବର ୨୮ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଛନ୍ତି। ଏହି ଉତ୍ସବରେ ଯୋଗଦେବା ଲାଗି ପାକିସ୍ତାନ ପକ୍ଷରୁ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ନିମନ୍ତ୍ରଣ ପାଇଁ ସୁଷମା ପାକ୍‌କୁ ଧନ୍ୟବାଦ ଜଣାଇବା ସହିତ ଏଥିରେ ସାମିଲ ହୋଇପାରିବେ ନାହିଁ ବୋଲି କହିଛନ୍ତି। ନଭେମ୍ବର ୨୮ରେ ତେଲେଙ୍ଗାନାକୁ ଦଳୀୟ ପ୍ରଚାର କାର୍ଯ୍ୟରେ ଯିବାକୁ ଥିବାରୁ ସେ ଯାଇପାରିବେ ନାହିଁ। କିନ୍ତୁ କେନ୍ଦ୍ରମନ୍ତ୍ରୀ ହର୍‌ସିମ୍ରତ୍‌ କୌର ବାଦଲ ଓ ହର୍‌ଦୀପ ସିଂହ ପୁରୀ ଯିବେ ବୋଲି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରେଶିଙ୍କୁ ଲେଖିଥିବା ଚିଠିରେ ସୁଷମା କହିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ରାଜ୍ୟ ମନ୍ତ୍ରୀ ନବ୍‌ଜୋତ୍‌ ସିଂହ ସିଦ୍ଧୁଙ୍କୁ ପାକ୍‌ ନିମନ୍ତ୍ରଣ କରିଛି।

ସମ୍ବନ୍ଧିତ ଖବର