କର୍‌ତାରପୁର ସାହିବ କରିଡର ଶିଳାନ୍ୟାସ:ପାକ୍‌କୁ ଅମରିନ୍ଦରଙ୍କ ଚେତାବନୀ

O ବିଶୃଙ୍ଖଳା ସୃଷ୍ଟି କଲେ ଉଚିତ ଶିକ୍ଷା O ଇମ୍ରାନ୍‌ଙ୍କ ପ୍ରଶଂସାରେ ଶତମୁଖ ସିଦ୍ଧୁ

ଚଣ୍ଡିଗଡ଼: ପାକିସ୍ତାନର କର୍‌ତାରପୁର ସାହିବ କରିଡର୍‌ ଶିଳାନ୍ୟାସ ଉତ୍ସବରେ ଯୋଗଦେବାକୁ ଇମ୍ରାନ୍‌ ସରକାରଙ୍କ ପକ୍ଷରୁ ପଠାଯାଇଥିବା ନିମନ୍ତ୍ରଣ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ଏହି ଉତ୍ସବରେ ସେ ଯୋଗଦେଇ ପାରିବେ ନାହିଁ ବୋଲି କହିଛନ୍ତି। ଅମରିନ୍ଦର ଅନ୍ୟପକ୍ଷରେ ପାକ୍‌ ସେନା ମୁଖ୍ୟ କମର୍‌ ଜାଭେଦ୍‌ ବାଜ୍‌ୱାଙ୍କୁ ଚେତାବନୀ ଦେଇଛନ୍ତି। ସେ ବାଜ୍‌ୱା‌ଙ୍କୁ ତାଗିଦ୍‌ କରି କହିଛନ୍ତି, ଆମ ଦେହରେ ମଧ୍ୟ ପଞ୍ଜାବୀଙ୍କ ରକ୍ତ ପ୍ରବାହିତ ହେଉଛି। ଆମେ ଚାହିଲେ କିଛି ବି କରିଦେଇ ପାରିବୁ। ତେଣୁ ପଞ୍ଜାବରେ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କଲେ ତାହାର ଉଚିତ ଜବାବ ଦିଆଯିବ।
କ୍ୟାପ୍‌ଟେନ୍‌ ଅମରିନ୍ଦର କହିଛନ୍ତି, ମୁଁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଧନ୍ୟବାଦ ଦେଉଛି। ଏଥିସହ ବାଜ୍‌ୱାଙ୍କୁ ଏକ ବାର୍ତ୍ତା ଦେବାକୁ ମଧ୍ୟ ଚାହୁଛି। ମୁଁ ବି ସେନାରେ ଥିଲି। ପାକ୍‌ ସେନାକୁ ସମ୍ଭାଳିଥିବା ବ୍ୟକ୍ତି ଜଣକ (ବାଜ୍‌ୱା) ମୋଠୁ ବହୁ ପଛରେ ସେନାରେ ଯୋଗଦେଇଛନ୍ତି। ତେଣୁ ତାଙ୍କର ମୋ ଅପେକ୍ଷା କମ୍‌ ଅଭିଜ୍ଞତା ରହିଛି। ତେବେ ଜଣେ ଯବାନଙ୍କୁ ଅନ୍ୟ ଜଣେ ଯବାନଙ୍କ ଶକ୍ତି ସମ୍ପର୍କରେ ଜାଣିରଖିବା ଆବଶ୍ୟକ।
ଅନ୍ୟପକ୍ଷରେ ପଞ୍ଜାବର ମନ୍ତ୍ରୀ ନବ୍‌ଜୋତ୍‌ ସିଂହ ସିଦ୍ଧୁଙ୍କୁ କିନ୍ତୁ ପାକିସ୍ତାନ ପ୍ରେମ ଛାଡୁନାହିଁ। ସେ କେତେବେଳେ ଇମ୍ରାନ୍‌ ଖାନ୍‌ଙ୍କୁ ପ୍ରଶଂସାରେ ପୋତୁଛନ୍ତି ତ‌ କେବେ ବାଜ୍‌ୱାଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି। ଏମିତି କି ବାଜ୍‌ୱାଙ୍କ ସହ ତାଙ୍କର ଆଲିଙ୍ଗନ ଯୋଗୁ ‌ଭାରତରେ କେନ୍ଦ୍ର କ୍ୟାବିନେଟ୍‌ କର୍‌ତାରପୁର କରିଡର ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରି ଦେଲା ବୋଲି ମଧ୍ୟ ସେ କହିଛନ୍ତି। ଇମ୍ରାନ୍‌ଙ୍କୁ ସେ ଦେବଦୂତ ‌ବୋଲି ଅଭିହିତ କରିଛନ୍ତି। ଏହାକୁ ନେଇ ତାଙ୍କୁ ସମାଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର