ସୁଧୁରୁଛି କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା

ଚେନ୍ନାଇ: ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି। ତାଙ୍କ ଝିଅ ତଥା ଡିଏମ୍‌କେ ନେତ୍ରୀ କାନିମୋଝି ଏହି ସୂଚନା ଦେଇଛନ୍ତି। ମୂତ୍ର ସଂକ୍ରମଣ ଯୋଗୁ ଜ୍ୱରରେ ପୀଡ଼ିତ ହେବା ପରେ ୯୪ ବର୍ଷୀୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯାଇଥିଲା। ଫଳରେ ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ରାଜ୍ୟସଭା ସାଂସଦ କାନିମୋଝିଙ୍କ କହିବାନୁସାରେ କରୁଣାନିଧିଙ୍କ ରକ୍ତଚାପ ଶୁକ୍ରବାର ହଠାତ୍‌ ବଢ଼ିଯାଇଥିଲା। ଶନିବାର ସକାଳେ ତାଙ୍କ ରକ୍ତଚାପ ସ୍ତରରେ ସୁଧାର ଆସିଛି। ତେଣୁ ଖୁବ୍‌ଶୀଘ୍ର ତାଙ୍କୁ ହସ୍ପିଟାଲ୍‌ରୁ ମୁକ୍ତ କରାଯାଇପାରେ ବୋଲି ଆଶା ପ୍ରକାଶ ପାଇଛି। ଅନ୍ୟପକ୍ଷରେ କାବେରୀ ହସ୍ପିଟାଲ୍‌ରେ କରୁଣାନିଧିଙ୍କ ସମର୍ଥକ ଓ ପ୍ରଶଂସକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଫଳରେ ରୋଗୀଙ୍କ ଯାତାୟାତ କଷ୍ଟକର ହୋଇପଡ଼ିଛି। ସ୍ଥଳବିଶେଷରେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ବି ସମ୍ମୁଖୀନ ହେଉଛନ୍ତି। ଟିଟିକେ ରୋଡ୍‌ରୁ ହସ୍ପିଟାଲ୍‌ ପର୍ଯ୍ୟନ୍ତ ଟ୍ରାଫିକ୍‌ ପରିସ୍ଥିତି ଉତ୍କଟ ହେବାରେ ଲାଗିଛି। ହସ୍ପିଟାଲ୍‌ ପରିସରରେ ଭିଡ଼କୁ ନିୟନ୍ତ୍ରଣ କରିବା ସକାଶେ ୧୦ ଜଣ ଟ୍ରାଫିକ୍‌ ପୁଲିସ ନିୟୋଜିତ ହୋଇଛନ୍ତି। ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ୧୧ ବର୍ଷୀୟ କ୍ୟାନ୍‌ସର ରୋଗୀଙ୍କ ମାଆ ଏସ୍‌ ସରସ୍ୱତୀଙ୍କ କହିବାନୁସାରେ ଭିଡ଼ ଯୋଗୁ ହସ୍ପିଟାଲ୍‌ରେ ପ୍ରବେଶ କରିବା ମୁସ୍କିଲ୍‌ ହୋଇପଡୁଛି।

ସମ୍ବନ୍ଧିତ ଖବର