କରୁଣାନିଧିଙ୍କ ପାଇଁ ମୁଖ୍ୟମନ୍ତ୍ରୀମାନେ ପାଇଛନ୍ତି ପତାକା ଉତ୍ତୋଳନ ଅଧିକାର

ଚେନ୍ନାଇ:  ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀମାନେ  ଯେଉଁ ଅଧିକାର ପାଇଛନ୍ତି ତାହା ଡିଏମ୍‌୍‌କେ ସଭାପତି ଏମ୍‌. କରୁଣାନିଧିଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି। ୧୯୭୪ ମସିହା ପର୍ଯ୍ୟନ୍ତ କେବଳ ରାଜ୍ୟପାଳମାନେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ସ୍ୱାଧୀନତା ଦିବସ ଏବଂ ଜନରାଜ୍ୟ ଦିବସର ରାଜ୍ୟସ୍ତରୀୟ ମୁଖ୍ୟ ଉତ୍ସବରେ ପତାକା ଉତ୍ତୋଳନ କରୁଥିଲେ। ତେବେ  ୧୯୭୪ରେ ଏହା  ବଦଳି ଯାଇଥିଲା। ସେହି ବର୍ଷ ଫେବ୍ରୁଆରିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କରୁଣାନିଧି କେନ୍ଦ୍ର ସରକାରଙ୍କଠରେ ଦୃଢ଼ ଦାବି ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀମାନଙ୍କୁ ପତାକା ଉତ୍ତୋଳନର ସୁଯୋଗ ଦେବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀମାନଙ୍କୁ କେନ୍ଦ୍ର ସରକାର ଉପେକ୍ଷା ନକରି ଏହି ଅଧିକାର ପ୍ରଦାନ କରିବାକୁ ଅନେକ ଯୁକ୍ତି ଦର୍ଶାଇଥିଲେ।  କେନ୍ଦ୍ର ରାଜ୍ୟ ସଂପର୍କ ନେଇ  ରାଜାମନ୍ନାର କମିଟି ଦାଖଲ କରିଥିବା ରିପୋର୍ଟ ଆଧାରରେ ରାଜ୍ୟମାନଙ୍କର ଅଧିକାର ପରିସର ବଢ଼ାଇବାଙ୍କୁ ମଧ୍ୟ ସେ ଦାବି କରିଥିଲେ। ସେହିବର୍ଷ ଜୁଲାଇରେ ଇନ୍ଦିରା ଗାନ୍ଧୀଙ୍କ ସରକାର କରୁଣାନିଧିଙ୍କ ଦାବିକୁ ଗ୍ରହଣ କରିଥିଲେ ଏବଂ ଏହା ପରଠାରୁ ମୁଖ୍ୟମନ୍ତ୍ରୀମାନେ ସ୍ୱାଧୀନତା ଦିବସ  ଓ ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିଆସୁଛନ୍ତି।

ସମ୍ବନ୍ଧିତ ଖବର