ନୂଆଦିଲ୍ଲୀ :  ତାମିଲନାଡ଼ୁର କରୁର୍‌ ଦଳାଚକଟା ଘଟଣାରେ ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି ପାଇଥିବାବେଳେ ଜଷ୍ଟିସ ଅରୁଣା ଜଗଦୀଶନଙ୍କ ଜଣିକିଆ କମିସନ୍‌ ସୋମବାର ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୭ କରୁର୍‌ ଦଳାଚକଟା ଘଟଣାରେ ଏବେ ବି ୬୦ରୁ ଅଧିକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। 

Advertisment

ଅନ୍ୟପକ୍ଷେ ଦଳାଚକଟା ଘଟଣାରେ ଏକ ଏତଲା ରୁଜୁ ହୋଇଛି। ଏତଲା ଅନୁଯାୟୀ ରାଲିରେ ୧୧ଟି ସୁରକ୍ଷା ସର୍ତ୍ତ ଉଲ୍ଲଂଘନ କରାଯାଇଛି। ଟିଭିକେ (ତାମିଲଗା ଭେଟ୍ଟ୍ରି କାଜାଗମ) ମୁଖ୍ୟ ବିଜୟ ବିଳମ୍ବରେ ଆସିବା ଯୋଗୁ ଏଭଳି ସ୍ଥିତି ଉପୁଜିଲା ବୋଲି ଅଭିଯୋଗ ହୋଇଛି। କିନ୍ତୁ ବିଜୟଙ୍କ ବି‌ରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ।  ତେବେ ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ବିଜୟଙ୍କୁ ପୀଡ଼ିତମାନଙ୍କୁ ଭେଟିବାକୁ ଯିବା ପାଇଁ ମନା କରିଛି। ଏତଲାରେ ଟିଭିକେର ୩ ଜଣ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ନାମ ରହିଛି। ସେମାନେ ହେଲେ କରୁର୍‌ ଉତ୍ତର ଜିଲ୍ଲା ସଚିବ ମାଥିଆଗଜନ, ଦଳର ରାଜ୍ୟ ସାଧାରଣ ସମ୍ପାଦକ ବୁସି ଆନନ୍ଦ ଏବଂ ଉପ ସାଧାରଣ ସମ୍ପାଦକ ନିର୍ମଳ କୁମାର। ବିଏନ୍‌ଏସର ଧାରା ୧୦୫, ୧୧୦, ୧୨୫ ଏବଂ ୨୨୩ ଅଧୀନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ କରୁର ଦଳାଚକଟା ଘଟଣାକୁ ନେଇ ମିଥ୍ୟା ଖବର ପ୍ରସାର କରୁଥିବା କାରଣ ଏବଂ ଉତ୍ତେଜନାପୂର୍ଣ୍ଣ ସୋସିଆଲ ମିଡିଆ ପୋଷ୍ଟ୍‌ ପାଇଁ ଚେନ୍ନାଇ ପୁଲିସ  ୩ ଜଣଙ୍କୁ ଗିରଫ କରିଛି ଏବଂ ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।  ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ,  ସଖୟମ (୩୮) , ଶିବନେସନ ଏବଂ ଶରଥକୁମାର।  ପୁଲିସ ଅନୁଯାୟୀ ଶିବନେସନ ଏବଂ ଶରଥକୁମାର ହେଉଛନ୍ତି ଟିଭିକେ ସଦସ୍ୟ। ସଖୟମଙ୍କର ଟିଭିକେ ସହ କିଛି ସମ୍ପୃକ୍ତି ନାହିଁ।  ପୁଲିସ ଘଟଣା ସଂକ୍ରାନ୍ତରେ ସୋସିଆଲ ମିଡିଆରେ କରାଯାଇଥିବା ବିଭିନ୍ନ ପୋଷ୍ଟ୍‌କୁ ସମୀକ୍ଷା କରୁଛି। ତାମିଲନାଡ଼ୁ ସରକାର ମଧ୍ୟ ଏକ ଚେତାବନୀ ଜାରି କରି କହିଛନ୍ତି ଯେ ଯେଉଁମାନେ ଭିତ୍ତିହୀନ ଦାବି କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।  ଲୋକମାନେ ସୋସିଆଲ ମିଡିଆରେ ଗୁଜବ ପ୍ରସାର ନକରିବାପାଇଁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ ଅନୁରୋଧ କରିଛନ୍ତି।  ଅନ୍ୟପକ୍ଷେ ଟିଭିକେ ପକ୍ଷରୁ ସିବିଆଇ ତଦନ୍ତ ଦାବିରେ ଗତକାଲି ମାଡ୍ରାସ ହାଇକୋର୍ଟରେ ଦାଖଲ ହୋଇଥିବା  ଏକ ଆବେଦନ ଉପରେ ଆସନ୍ତା ଶୁକ୍ରବାର ଦିନ ଶୁଣାଣି ହେବ। ଇତିମଧ୍ୟରେ ବିଜୟ ତାଙ୍କ ରାଲିରେ ହୋଇଥିବା ଦଳାଚକଟା ଘଟଣାର ନ୍ୟାୟିକ ପ୍ରସଙ୍ଗ ଉପରେ ତାଙ୍କ ଟିମ୍‌ ସହ ଭିଡିଓ କନଫରେନ୍ସିଂ ଜରିଆରେ ଏକ ବୈଠକ କରିଥିବା ଜଣାପଡ଼ିଛି।

ହସ୍ପିଟାଲ୍‌ରେ ପୀଡ଼ିତଙ୍କୁ ଭେଟିଲେ ନିର୍ମଳା

 ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୁର୍‌ ଦଳାଚକଟା ଘଟଣାକୁ ଅତ୍ୟନ୍ତ ହୃଦୟ ବିଦାରକ ବୋଲି କହିଛନ୍ତି। ନିର୍ମଳା ଆଜି କରୁର୍‌ରେ ଦୁର୍ଘଟଣା ସ୍ଥଳ ଗସ୍ତ କରିବା ସହ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବ୍ୟକ୍ତି ଓ ସେମାନଙ୍କ ସଂପର୍କୀୟମାନଙ୍କୁ ଭେଟିଛନ୍ତି। ମନ୍ତ୍ରୀ ଏଲ୍‌ ମୁରୁଗାନ୍‌ଙ୍କ ସହ ନିର୍ମଳା ଆଜି ଘଟଣାସ୍ଥଳରେ ପହଞ୍ଚିବାପରେ ସଂପର୍କୀୟଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ଲୋକମାନଙ୍କୁ ଭେଟିଛନ୍ତି। ନିର୍ମଳା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ‌ରେ ସେ ଏଠାକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ ସେ ଲୋକମାନଙ୍କୁ‌ ଶୋକ ବାର୍ତ୍ତା ପ୍ରଦାନ କରିଥିଲେ। ନିର୍ମଳା କହିଛନ୍ତି ଏଭଳି ଏକ ଦୁଃଖଦ ଘଟଣାରେ ଭାଙ୍ଗି ପଡ଼ିଥିବା ପରିବାର ସଦସ୍ୟଙ୍କୁ ମୁଁ ଆଶ୍ବାସନା ମଧ୍ୟ ଦେଇପାରିଲିନି। ସେମ‌ାନେ ଖୁବ୍‌ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଉଭୟ ନେତା ସୋସିଆଲ ମିଡିଆରେ ଉକ୍ତ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ମଧ୍ୟ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।  ‌ସେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ଏନ୍‌ଡିଏର ଏକ ପ୍ରତିନିଧି ଦଳ କରୁର୍‌ ଗସ୍ତ କରିବେ ବୋଲି ନଡ୍ଡା ଘୋଷଣା କରିଛନ୍ତି। ଏନ୍‌ଡିଏ ପକ୍ଷରୁ ୮ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ଏହି ଦଳର ନେତୃତ୍ବ ନେବେ ମଥୁରା ସାଂସଦ ହେମା ମାଳିନୀ। ଏହି ପ୍ରତିନିଧି ଦଳରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ସାଂସଦ ତେଜସ୍ବୀ ସୂର୍ଯ୍ୟ, ବ୍ରଜ ଲାଲ୍‌ (ପୂର୍ବତନ ଡିଜିପି), ସାଂସଦ ଶ୍ରୀକାନ୍ତ ସିନ୍ଦେ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ରେଖା ଶର୍ମା ଏବଂ ସାଂସଦ ପୁଟ୍ଟ ମହେଶ କୁମାର ଅଛନ୍ତି।

Untitled-4