ଚେନ୍ନାଇ: ଶନିବାର କରୁର୍‌ ରାଲିରେ ଦଳାଚକଟା ହୋଇ ୪୦ ଜଣଙ୍କର ମୃତ୍ୟୁ ପରେ ଆଜି ଟିଭିକେ ମୁଖ୍ୟ ବିଜୟଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। କୌଣସି ଅପ୍ରୀତିକର ସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ବିଜୟଙ୍କ ଚେନ୍ନାଇ ସ୍ଥିତ ବାସଭବନ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବିଜୟଙ୍କ ସୁରକ୍ଷା ପାଇଁ ଜଣେ ଏସିପି, ଜଣେ ଇନ୍ସପେକ୍ଟର, ୨୦ ଜଣ ପୁଲିସ ମୁତୟନ ହୋଇଛନ୍ତି। ଏହାବାଦ୍‌ ୪ ସିଆର୍‌ପିଏଫ୍‌ ଯବାନ ମଧ୍ୟ ମୁତୟନ ହୋଇଛନ୍ତି। ପୁଲିସ ସୂଚନାନୁଯାୟୀ ସମସ୍ତ ଟିଭିକେ ଜିଲ୍ଲା ସମ୍ପାଦକଙ୍କ ବାସଭବନ ଗୁଡ଼ିକରେ ମଧ୍ୟ ସୁରକ୍ଷା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ଉଲ୍ଲେଖଯୋଗ୍ୟ ଯେ ଆସନ୍ତାବର୍ଷ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଥିବାବେଳେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଏବେଠାରୁ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଗତକାଲିର ଘଟଣା ପରେ ଲୋକମାନେ ତାଙ୍କ ଉପରେ କ୍ଷୁବ୍ଧ ହୋଇଯାଇଛନ୍ତି।  

Advertisment

ଜରୁରୀ ବୈଠକ କଲେ ମୁଖ୍ୟମନ୍ତ୍ରୀ
ପୀଡ଼ିତ ପରିବାରକୁ ଭେଟିଲେ

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଏହି ଘଟଣା ରାଜ୍ୟର ସବୁଠାରୁ ଦୁଃଖଦାୟକ ଘଟଣା ବୋଲି କହିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରୁଣା ଜଗଦୀଶନଙ୍କ ନେତୃତ୍ବରେ ଏକ ନ୍ୟାୟିକ କମିସନ୍‌ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଆଜି ସ୍ଥିତି ସମୀକ୍ଷା ପାଇଁ ବରିଷ୍ଠ ଅଧିକାରୀମାନଙ୍କ ସହ ଚେନ୍ନାଇରେ ଏକ ଜରୁରୀ ବୈଠକ କରିଛନ୍ତି। ପୀଡ଼ିତଙ୍କ ପରିବାର ସଦସ୍ୟ ଏବଂ ଆହତମାନଙ୍କୁ ଭେଟିଛନ୍ତି। ଷ୍ଟାଲିନ ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଏବଂ ଆହତମାନଙ୍କୁ ୧ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି। ଇତି ମଧ୍ୟରେ କରୁର୍‌ ଜିଲ୍ଲା ପୁଲିସ ଟିଭିକେ ଦଳର ସାଧାରଣ ସମ୍ପାଦକ ଆନନ୍ଦ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ନିର୍ମଳ କୁମାରଙ୍କ ବିରୋଧରେ ଏତଲା ରୁଜୁ କରିଛି।