ଚେନ୍ନାଇ : ତାମିଲନାଡ଼ୁର କରୁର୍‌ ଦଳାଚକଟା ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହି ଘଟଣାକୁ ୩ ଦିନ ବିତିଯିବାପରେ ଆଜି ଅଭିନେତା ଏବଂ ଟିଭିକେ ମୁଖ୍ୟ ବିଜୟ ଏକ୍ସରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ବିଜୟ ଏହି ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ସାର୍‌... ଯଦି ଆପଣଙ୍କର ପ୍ରତିଶୋଧ ଯୋଜନା ଅଛି ତେବେ ଆପଣ ସିଧାସଳଖ ମୋଠାରୁ ପ୍ରତିଶୋଧ ନେଇପାରିବେ। ମୁଁ ଘରେ କିମ୍ବା ଅଫିସ୍‌ରେ ରହୁଛି। କିନ୍ତୁ ମୋ ନେତାମାନଙ୍କୁ ଛୁଅଁନାହିଁ। ଆମେ କାର୍ଯ୍ୟକ୍ରମ ସ୍ଥଳରେ କହିବା ବ୍ୟତୀତ ଅନ୍ୟ କିଛି କରିନାହୁଁ। କିନ୍ତୁ ଆମର ନେତା, ବନ୍ଧୁ ଏବଂ ସୋସିଆଲ ମିଡିଆ ପାର୍ଟନରଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଏହି ବାର୍ତ୍ତା ରଖିବା ସହ ବିଜୟ ଟିଭିକେ ଭିଡ଼ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଥିବା ଅଭି‌ଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋ ରାଜନୈତିକ ଯାତ୍ରା ଏକ ନୂଆ ପରାକ୍ରମ ସହ ଜାରି ରହିବ।  ଭିଡିଓ ବାର୍ତ୍ତାରେ ବିଜୟ ଘୋଷଣା କରିଛନ୍ତି ଯେ ସେ କିମ୍ବା ତାଙ୍କ ‌ଦଳ କୌଣସି ଭୁଲ୍‌ କରିନାହାନ୍ତି ଏବଂ ପ୍ରୋଟୋକଲ୍‌ ଅନୁଯାୟୀ କାମ ହୋଇଛି। ରାଲି ମଧ୍ୟ ସୁରକ୍ଷିତ ସ୍ଥାନରେ ହୋଇଥିବା ସେ କହିଛନ୍ତି।  

Advertisment

ତେବେ ଡିଏମ୍‌କେ ଏହାର କଡ଼ା ଜବାବ ଦେଇଛି।  ଡିଏମ୍‌କେ ମୁଖପାତ୍ର ଏ ସର୍ବାନନ୍‌ କହିଛନ୍ତି, ଟିଭିକେ ମୁଖ୍ୟଙ୍କୁ  ଦଳାଚକଟା ଘଟଣାରେ ଭିଡିଓ ଜାରି କରିବାପାଇଁ ୪ ଦିନ ଲାଗିଲା।  ଏହି ମୃତ୍ୟୁ ଘଟଣାପାଇଁ ସେ ନିଜକୁ ଦାୟୀ କରିବା ଉଚିତ କାରଣ ସେ ନିୟମ ଭାଙ୍ଗିଛନ୍ତି।  ଡିଏମ୍‌କେ ସାଂସଦ ଏ ରାଜା କହିଛନ୍ତି ଯେ ବିଜୟ ଦଳାଚକଟା ସ୍ଥଳ ଛାଡ଼ି ପଳାଇଥିଲେ। ଏହାର ଅର୍ଥ କେଉଁଠି ନା କେଉଁଠି ସେ ନିଜକୁ ଦୋଷୀ ମନେ କରିଥିଲେ।  ଅନ୍ୟ ଜଣେ ଡିଏମ୍‌କେ ନେତା କାନିମୋଝି କହିଛନ୍ତି, ବିଜୟ ପୁଲିସ କଥା ଶୁଣିବା ଉଚିତ ଥିଲା। କାର୍ଯ୍ୟକ୍ରମ ସ୍ଥଳଠାରୁ କିଛି ମିଟର ଦୂରରେ ବିଜୟଙ୍କ ପ୍ରଚାର ବସ୍‌କୁ ପୁଲିସ ଅଟକାଇଥିଲା। କିନ୍ତୁ ସେମାନେ ଶୁଣିନଥିଲେ ବୋଲି ସେ କହିଛନ୍ତି। 
ଅନ୍ୟପ‌କ୍ଷେ ଦଳାଚକଟା ମାମଲାରେ ଆଜି ୨ ଟିଭିକେ ନେତାଙ୍କୁ ଗିରଫ କରାଯାଇ ୧୫ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସେମାନେ ହେଲେ କରୁରୁ ଜିଲ୍ଲା ସମ୍ପାଦକ ଭିପି ମାଥିୟାଲଗନ ଓ ଅନ୍ୟ ଜଣେ ସମ୍ପାଦକ କାଶୀ ପୌନରାଜ। ମାମଲାରେ ଗତକାଲି ୩ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୨ ଜଣ ଟିଭିକେ ନେତା ଥିବା ଜଣାପଡ଼ିଛି।