ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ବନିଥିବା ବିଜୟଙ୍କ ଦଳ ତାମିଲାଗା ଭେଟ୍ରି କାଝାଗମ୍ (ଟିଭିକେ) ଦ୍ୱାରା ତାମିଲନାଡ଼ୁର କରୁରଠାରେ ୨୭ ସେପ୍ଟେମ୍ବର ୨୦୨୫ର ରାଲିରେ ହୋଇଥିବା ଦଳାଚକଟାର ତଦନ୍ତ କରିବାକୁ ସୁପ୍ରିମ୍‌କୋର୍ଟ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଃଖଦ ଘଟଣାରେ ମହିଳା ଓ ଶିଶୁଙ୍କ ସମେତ ୪୧ ଜଣ ପ୍ରାଣ ହରାଇଥିଲେ ଏବଂ ପ୍ରାୟ ୬୦ ଜଣ ଆହତ ହୋଇଥିଲେ। ଜଷ୍ଟିସ୍ ଜେକେ ମାହେଶ୍ବରୀ ଓ ଜଷ୍ଟିସ୍ ଏନ୍‌ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଏହି ଘଟଣା ନାଗରିକଙ୍କ ମୌଳିକ ଅଧିକାର ଉପରେ ପ୍ରଭାବ ପକାଇଛି ଏବଂ ଜାତୀୟ ବିବେକକୁ ଦୋହଲାଇ ଦେଇଛି। କୋର୍ଟ କହିଛନ୍ତି ଯେ, ନାଗରିକମାନେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପାଇଁ ହକ୍‌ଦାର ଓ ନିରପେକ୍ଷ ତଦନ୍ତର ଆବଶ୍ୟକତା ଉପରେ କୌଣସି ସନ୍ଦେହ ନାହିଁ। ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ସୁପ୍ରିମ୍‌କୋର୍ଟ ସିବିଆଇ ତଦନ୍ତର ତଦାରଖ କରିବାକୁ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଅଜୟ ରସ୍ତୋଗୀଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଅନୁଧ୍ୟାନ କମିଟି ଗଠନ କରିଛନ୍ତି।

Advertisment

ଜଷ୍ଟିସ୍ ରସ୍ତୋଗୀ ଦୁଇଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଚୟନ କରିବେ, ଯେଉଁମାନେ ଇନ୍‌ସ୍ପେକ୍ଟର ଜେନେରାଲ୍ ପଦବିରୁ କମ୍ ନୁହନ୍ତି। ସେମାନେ ତାମିଲନାଡୁ କ୍ୟାଡରର ହୋଇପାରନ୍ତି କିନ୍ତୁ ରାଜ୍ୟର ମୂଳ ବାସିନ୍ଦା ହୋଇ ନ ଥିବେ। କମିଟି ସିବିଆଇକୁ ନିର୍ଦ୍ଦେଶ ଦେଇପାରିବ, ପ୍ରମାଣ ସମୀକ୍ଷା କରିପାରିବ ଏବଂ ତଦନ୍ତକାରୀ ଅଧିକାରୀଙ୍କଠାରୁ ମାସିକ ଅଗ୍ରଗତି ରିପୋର୍ଟ ପାଇପାରିବ।

ଏସ୍‌ଆଇଟି ଆଦେଶ ନେଇ ହାଇକୋର୍ଟଙ୍କୁ ସମାଲୋଚନା କଲେ

ତାମିଲନାଡୁ ପୁଲିସ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିଥିବାରୁ ମାଡ୍ରାସ ହାଇକୋର୍ଟ (ଚେନ୍ନାଇ ବେଞ୍ଚ)କୁ କୋର୍ଟ ତୀବ୍ର ସମାଲୋଚନା କରିଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ମଦୁରାଇ ବେଞ୍ଚ ଅଧୀନରେ ଥିବା କରୁର ମାମଲାର ଶୁଣାଣି କରିବାର କୌଣସି ଅଧିକାର ଚେନ୍ନାଇ ବେଞ୍ଚର ନାହିଁ। କେବଳ ରାଜ୍ୟ ପୁଲିସ ଅଧିକାରୀଙ୍କୁ ନେଇ ଏକ ଏସ୍ଆଇଟି ଗଠନ କରିବା ଏବଂ ଟିଭିକେ ଓ ବିଜୟଙ୍କ ବିରୋଧରେ ପ୍ରତିକୂଳ ମନ୍ତବ୍ୟ ଦେବା ପାଇଁ ମାଡ୍ରାସ ହାଇକୋର୍ଟଙ୍କ ଅକ୍ଟୋବର ୩ ଆଦେଶକୁ ଚ୍ୟାଲେଞ୍ଜ କରି ଟିଭିକେ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଏହି ମଧ୍ୟବର୍ତ୍ତିକାଳୀନ ଆଦେଶ ଆସିଛି। ସୁପ୍ରିମ୍‌କୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ ପାଇଁ ଟିଭିକେ ଆବେଦନ କରିଥିଲା। ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ ଅନେକ ପ୍ରସଙ୍ଗ ଉଠାଇଥିଲେ। ସେଥିରେ ଏଆଇଏଡିଏମ୍‌କେକୁ ଅନୁମତି ଦିଆଯାଇ ନ ଥିବା ବେଳେ ଟିଭିକେକୁ କାହିଁକି ରାଲି କରିବାକୁ ଅନୁମତି ଦିଆଗଲା? ମଧ୍ୟରାତ୍ରିରେ ୩୦-୪୦ଟି ମୃତଦେହର ବ୍ୟବଚ୍ଛେଦ କରାଯିବା ଓ ଭୋର ୪ଟାରେ ଶବଦାହ କରାଯିବାକୁ ନେଇ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ ତାମିଲନାଡୁ ସରକାରଙ୍କୁ ଏହାର କାଉଣ୍ଟର ଆଫିଡେଭିଟ୍ ଦାଖଲ କରିବାକୁ ଆଠ ସପ୍ତାହ ସମୟ ଦେଇଛନ୍ତି ଏବଂ ଏହି ଆଦେଶ ପ୍ରାଥମିକ ପର୍ଯ୍ୟବେକ୍ଷଣ ଉପରେ ଆଧାରିତ ବୋଲି ଉଲ୍ଲେଖ କରିଛନ୍ତି।