ଚେନ୍ନାଇ: ଭୟଙ୍କର ଭିଡ଼, ନା ଆଗକୁ ଯିବାକୁ ବାଟ ମିଳୁଛି ନା ପଛକୁ ଫେରିବାକୁ… ଜୀବନ ସେଇଠି ଫସିଯାଇଛି ଯେଉଁଠି ଜୀବନ ଯମକୁ ହାବୁଡ଼ିଛି… ଆଉ ନୁହେଁ ତ କଣ… କିଏ କଣ ଭାବିଥିଲା ନିଜ ସୁପରଷ୍ଟାରକୁ ଦେଖିବାକୁ ଆସି ଶବ ପାଲଟିଯିବ ବୋଲି… ଖୁସିର ଶୋଭାଯାତ୍ରାଟା ଶବଯାତ୍ରାରେ ପରିଣତ ହେବ ବୋଲି… କରୁରର ସେ କାଳରାତିରେ ଘଟିଥିବା ଦଳାଚକଟା ୩୯ ଜଣଙ୍କ ଜୀବନ ନେଇଛି ସତ ହେଲେ ଜୀବନ ଯିବା ବେଳେ କେମିତି ଥିଲା ସେ ଘଟଣା- ସବୁର ମୁକସାକ୍ଷୀ ପାଲଟିଛି ଏ ନିର୍ଜୀବ ଜୋତା । ଯିଏ ଦରମରା ହୋଇ ରାସ୍ତାରେ ପଡିଛି । ଯଦି ସେ କଥା କହିପାରୁ ଥାନ୍ତା ତେବେ ହୁଏତ ବଖାଣି ପାରିଥାନ୍ତା କାଲି ରାତିର ମୃତ୍ୟୁ ତାଣ୍ଡବ କଥା…

Advertisment

WhatsApp Image 2025-09-28 at 8.23.45 AM

ମାଟିରେ ପଡିଛି ମାଳ ମାଳ ଜୋତା... କେଉଁଠି ଚପଲ ସବୁ ଓଲଟି ପଡିଛି ତ କାହାର ଗୋଟେ ସ୍ଲିପର ଅନ୍ୟ ଏକ ପଟ ଠାରୁ ସମ୍ପର୍କ ତୁଟେଇ ଜୋତାର ଜଙ୍ଗଲ ଭିତରେ ନିଖୋଜ ହୋଇଯାଇଛି... ସେଇଠି ତା ବାପା ଜୋତା ପି ପଡିଛି, ସେଇଠି ତା ପିଲାର ଜୋତା ବି ପଡିଛି । ପଟେ ଜୋତା କାହାର ରାସ୍ତାରେ ରହିଯାଇଛି ପୁଣି ଅନ୍ୟ ପଟଟି ତା ପାଦରେ ରହି ହସ୍ପିଟାଲ ପଳାଇଛି । କାହାର ପୁଣି ଜୋତା ସିନା ଏଇ ରାସ୍ତାରେ ଅଛି, ହେଲେ ଯିଏ ଜୋତା ପିନ୍ଧି ଆସିଥିଲା ସିଏ କିନ୍ତୁ ଆଉ ଏ ଦୁନିଆର ନାହିଁ । ଜୋତା ସିନା ପ୍ଲାଷ୍ଟିକ ବୋଲି ଦଳାଚକଟାରେ ବର୍ତ୍ତିଗଲା, ହେଲେ ଜୀବନ ତ ଜୋତା ପରି ପ୍ଲାଷ୍ଟିକରେ ତିଆରି ନୁହେଁ ନା- ଦଳିଦେଲେ ବି ବଞ୍ଚିଥିବ- ସେଇଥିପାଇଁ ତ ସିଏ ଜୀବନ । ଅଧିକ ଆଘାତ ପାଇଲେ ଆରପାରିକୁ ଚାଲିଯିବ… 

ରାସ୍ତାରେ ପଡିଥିବା ମାଳମାଳ ଜୋତା ମୃତ୍ୟୁର ମୁକସାକ୍ଷୀ ପାଲଟିଥିବା ବେଳେ ଆଜି ସକାଳେ ସକାଳେ ଶବ ବ୍ୟବଚ୍ଛେଦ ଗୃହ ବାହାରେ ଲୋକଙ୍କ ଭିଡ ଜମିଥିବା ବେଳେ ଶବ ଉପରେ ସମ୍ପର୍କୀୟଙ୍କ ମୁଣ୍ଡ ପିଟି କାନ୍ଦ ବୋବାଳିରେ ଫାଟି ପଡୁଥିଲା ପୂରା ପରିବେଶ । ସୁପରଷ୍ଟାରଙ୍କ ରାଲି ଯେ କାହାର ଶେଷଯାତ୍ରା ହୋଇଯିବ ତାହା କେହି କେବେ କଳ୍ପନା କରିନଥିଲେ । କରୁର ଦଳାଚକଟା ଘଟଣା ପରେ ଏବେ ଆଖିରୁ ଶୁଖୁନି ଲୁହ । ମାଆ ତା ପୁଅକୁ ଝୁରୁଛି, ସ୍ତ୍ରୀ ତା ମଥାର ସିନ୍ଦୂର ସବୁଦିନ ପାଇଁ ସେଇଠି ପୋଛି ଦେଇ ଆସିଛି । ଗୋଟେ ପରିବାର ତା ରୋଜଗାରିଆ ପୁଅକୁ ବି ହରାଇଛି । ଶବ ଉପରେ ମଥା ପିଟି କାନ୍ଦୁଛି ସ୍ତ୍ରୀ, ଲୁହ ଝରାଉଛି ମା’, ତୁନି ପଡ଼ିଯାଉଛି ଗେହ୍ଲୀ ଭଉଣୀ । ବାପା-ଭାଇ, ସାଙ୍ଗସାଥୀ ସଭିଏଁ ନିର୍ବାକ୍ । କେମିତି ବା ବିଶ୍ବାସ କରିବେ ! କାଲି ସକାଳେ ଯିଏ ଥାଲାପତି ଥାଲାପତି କହି ଖୁସିରେ ନାଚୁଥିଲେ ସେ ସନ୍ଧ୍ୟାର ‘ବିଜୟ’ ରାଲି ପରେ ସବୁଦିନ ପାଇଁ ଜୀବନ ଆଗରେ ପରାଜୟ ହୋଇଯିବ ବୋଲି… 

New Project (7)

କେବେ ଫିଲ୍ମର ଟ୍ରେଲର ରିଲିଜ୍ ବେଳେ ଜୀବନ ଯାଉଛି ତ କେବେ ଟଫ୍ରି ଜିତିବାର ଖୁସିରେ ଦଳାଚକଟା ବି ହେଉଛି । ଆଉ ଏବେ ସୁପରଷ୍ଟାର ବିଜୟଙ୍କ ପଲିଟିକାଲ୍ ରୋଡ୍ ସୋ’ ପାଇଁ  ଚାଲିଯାଇଛି ଅନେକଙ୍କ ପ୍ରାଣ । ସରକାର, ନେତା ମନ୍ତ୍ରୀ ସବୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । କ୍ଷତିପୂରଣ ସତରେ ଭରି ପାରିବ କି ସେ କ୍ଷତ ? ଏହା ଏବେ ବଡ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଥିବା ବେଳେ ଭାରତରେ କଣ ପାଇଁ ବାରମ୍ବାର ଭିଡରୁ ମୃତ୍ୟୁ ହେଉଛି ତାହା ବି ବଡ଼ ଚାଲେଞ୍ଜ ସୃଷ୍ଟି କରିଛି । ଭିଡରୁ ବର୍ତ୍ତିବାକୁ ଆଉ ଆମେ କେବେ ଚେତିବା… ???

madurai... karuur