ଜମ୍ମୁ- କଶ୍ମୀର: ସଶସ୍ତ୍ର ପାକିସ୍ତାନୀ ଆତଙ୍କବାଦୀଙ୍କ ଭାରତ ମଧ୍ୟକୁ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ସେନା

ଜମ୍ମୁ: ଉତ୍ତର କଶ୍ମୀରର କୁପୱାରା ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲଓସି) ଦେଇ ସୋମବାର-ମଙ୍ଗଳବାର ମଧ୍ୟରାତ୍ରିରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କର ଏକ ସଶସ୍ତ୍ର ଦଳ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ ଚଳାଇଥିବା ବେଳେ ଭାରତୀୟ ସେନା ଏହାକୁ ପଣ୍ଡ କରି ଦେଇଛନ୍ତି।

ଏ ସଂପର୍କରେ ସୂଚନା ପ୍ରଦାନ କରିବାକୁ ଯାଇ ସେନା ପକ୍ଷରୁ କୁହାଯାଇଛି ଯେ କୁପୱାରାର ଏଲ୍‌ଓସି ନିକଟବର୍ତ୍ତୀ ଫୁର୍କିଆନ୍‌ ଗାଲି ଅଞ୍ଚଳରେ ୬ରୁ ୮ ଜଣ ବ୍ୟକ୍ତିଙ୍କ ସନ୍ଦେହଜନକ ଗତିବିଧି ଦେଖିବା ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଏହି ସମୟରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଆତଙ୍କବାଦୀ ଗୋଷ୍ଠୀ ଏବଂ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
ସେନା ସୂତ୍ରରୁ ଜଣିବା ପାଇଁ ମିଳିଛି ଯେ ଅନୁପ୍ରବେଶକାରୀମାନେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇ ଅନୁପ୍ରବେଶ ପାଇଁ ଉଦ୍ୟମ ଚଳାଇଥିଲେ। ହେଲେ, ଭାରତୀୟ ସେନା ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କଲାପରେ ସେମାନେ ଅନ୍ଧକାରର ସୁଯୋଗ ନେଇ ସେଠାରୁ ଫେରାର ହୋଇଯିବାରେ ସମର୍ଥ ହୋଇଥିଲେ।

NDTV

ଏହି ଘଟଣା ପରେ ଏବେ ସଂପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ ବ୍ୟାପକ କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହି ଘଟଣା ପୂର୍ବରୁ ଗତ ଏପ୍ରିଲରେ ଜମ୍ମୁର କିରଣ ସେକ୍ଟରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଏକ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା।

ସମ୍ବନ୍ଧିତ ଖବର