ଧାରା ୩୭୦ ହଟିଲା ପରେ ବି କଶ୍ମୀରରେ ହିଂସା ଜାରି, ୪୩୯ ଆତଙ୍କବାଦୀ ମୃତ, ୧୦୯ ଯବାନ ସହିଦ

ଶ୍ରୀନଗର : ୨୦୧୯ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରେ ବି ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ନିର୍ମୂଳ ହୋଇପାରିନାହିଁ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସଭାରେ ପ୍ରଦତ୍ତ ଏକ ସୂଚନା ଅନୁସାରେ ଅଗଷ୍ଟ ୫, ୨୦୧୯ ପରଠାରୁ ଏପର୍ଯ୍ୟନ୍ତ କଶ୍ମୀର ଘାଟିରେ ପ୍ରାୟ ୫୪୧ଟି ଆତଙ୍କବାଦୀ କାର୍ଯ୍ୟକଳାପ ହୋଇଛି । ସେଗୁଡ଼ିକରେ ମୋଟ ୪୩୯ ଆତଙ୍କବାଦୀ ଓ ୧୦୯ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି ।

ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଏସବୁ ଆତଙ୍କବାଦୀ କାର୍ଯ୍ୟକଳାପରେ କେବଳ ଆତଙ୍କବାଦୀ ବା ସୁରକ୍ଷାବଳ ନିହତ ହୋଇଛନ୍ତି, ତାହା ନୁହେଁ, ପ୍ରାୟ ୯୮ ଜଣ ସାଧାରଣ ଲୋକ ବି ନିହତ ହୋଇଛନ୍ତି । ତେବେ ଏସବୁ ଆତଙ୍କବାଦୀ ଘଟଣାରେ ସରକାରୀ ସଂପତ୍ତିର ବିଶେଷ କୌଣସି କ୍ଷତି ହୋଇନାହିଁ ।

କେନ୍ଦ୍ର ସରକାର ୨୦୧୯, ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ପ୍ରତ୍ୟାହାର କରିନେବା ସହ ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର କ୍ଷମତାର ବିଲୋପ ହୋଇଥିଲା । ଏହା ସହିତ ଜମ୍ମୁ ଓ କଶ୍ମୀର ଠାରୁ ଲଦାଖକୁ ଅଲଗା କରି ଉଭୟକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଥିଲା । ଏହା ସହିତ ଘାଟିରେ ଏକ ଲମ୍ବା ସମୟ ପାଇଁ କର୍ଫ୍ୟୁ ଲଗାଯାଇଥିଲା ଓ ଇଣ୍ଟରନେଟକୁ ବନ୍ଦ କରାଯାଇଥିଲା ।

ସମ୍ବନ୍ଧିତ ଖବର